Unknown

 

 

 

 

 

 

 

 

 

 

ବାରବାଟୀ ଦୁର୍ଗ

ଶ୍ରୀ କୃପାସିନ୍ଧୁ ମିଶ୍ର

 

ସୂଚୀପତ୍ର

 

୧.

ପ୍ରଥମ ଅଧ୍ୟାୟ

ଉପକ୍ରମଣିକା

୨.

ଦ୍ୱିତୀୟ ଅଧ୍ୟାୟ

ଦୁର୍ଗ ନିର୍ମାଣକାଳ

୩.

ତୃତୀୟ ଅଧ୍ୟାୟ

ବାରବାଟୀ ଇତିହାସ

୪.

ଚତୁର୍ଥ ଅଧ୍ୟାୟ

ନବତଳ ପ୍ରାସାଦ

୫.

ପଞ୍ଚମ ଅଧ୍ୟାୟ

ବାରବାଟୀ ଦୁର୍ଗ ବର୍ଣ୍ଣନା

୬.

ଷଷ୍ଠ ଅଧ୍ୟାୟ

ବାରବାଟୀ ଦୁର୍ଗ ଓ ତଦାନୀନ୍ତନ ଓଡ଼ିଶା

୭.

ସପ୍ତମ ଅଧ୍ୟାୟ

ଅନ୍ତିମ ଦଶା

୮.

ଅଷ୍ଟମ ଅଧ୍ୟାୟ

ଉପସଂହାର

•••

 

ନିବେନ୍ଦିତ

 

ପାଞ୍ଚବର୍ଷତଳେ ବାରବାଟୀର ଏହି ଇତିହାସଟି ‘ମୁକୁର’ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟି ପଢ଼ି ସ୍ୱର୍ଗୀୟ କବି ଫକୀରମୋହନ ଲେଖିଥିଲେ–

 

ପ୍ରକୃତ ମୁଁ ସତ୍ୟ କଥା ଲେଖୁଛି—ବାରବାଟୀ ପ୍ରବନ୍ଧଟି ଅପାତତଃ ଉତ୍କଳ ଭାଷା ଭଣ୍ଡାରରେ ଗୋଟିଏ ମାଣିକ୍ୟ । ମୋତେ ବିଶ୍ୱାସ କରନ୍ତୁ–ଭାଷାର ବନ୍ଧନ ତଥା ଚିନ୍ତାଶୀଳତା ଏବଂ ପ୍ରୟୋଜନୀୟତା ସମସ୍ତ ବିଷୟ ସମବେତରେ ଆଜି ପର୍ଯ୍ୟନ୍ତ ସାହିତ୍ୟରେ ଯେତେ ପ୍ରବନ୍ଧ ପ୍ରକାଶିତ ହୋଇଅଛି ସମସ୍ତଙ୍କଠାରୁ ବାରବାଟୀ ପ୍ରବନ୍ଧ ଶ୍ରେଷ୍ଠତମ ବୋଲି ଜ୍ଞାନ କରେ । ପୁସ୍ତକାକାରରେ ପ୍ରତ୍ୟେକ ଶିକ୍ଷିତ ଏବଂ ପାଠାର୍ଥୀ ନବ ଯୁବକ ହାତରେ ରହିବାର ଉଚିତ—ସେଥିସକାଶ ମୁଁ ବ୍ୟସ୍ତ ଥିଲି । ମୋହର ଧ୍ରୁବ ବିଶ୍ୱାସ, ନିଶ୍ଚୟ ଦରିଦ୍ରା ଉତ୍କଳଭାଷା ଆପଣଙ୍କ ଯୋଗେ ସମୟରେ ଅଳଙ୍କୃତା ହେବ । ‘ତୁଳସୀ ଦୁଇ ପତ୍ରରୁ ବାସେ’ ।

 

ଉକ୍ତ ପତ୍ରରେ ସେ ଅତ୍ୟନ୍ତ ଆଦରର ସହିତ ପୁସ୍ତକର ମୁଦ୍ରଣ ବ୍ୟୟ ବହନ କରିବାକୁ ପ୍ରସ୍ତାବ କରିଥିଲେ । କିନ୍ତୁ ‘ମୁକୁର’ର ସମ୍ପାଦକ ମୁକୁର ଛାପା ସଙ୍ଗେ ସଙ୍ଗେ କେତେକ ପୁସ୍ତକ ଛପାଇ ଥିବାରୁ ପୁସ୍ତକର ଅନ୍ୟ ମୁଦ୍ରଣ ଆବଶ୍ୟକ ହୋଇ ନ ଥିଲା ।

 

ଯେଉଁମାନେ ଦିନେ ଉତ୍କଳ ସ୍ୱାଧୀନତା ଦେବୀଙ୍କ ସମ୍ମୁଖରେ ଆତ୍ମବଳି ଦାନ ଓ ଶୋଣିତ ତର୍ପଣ କରୁଥିଲେ, ଫକୀର ମୋହନ ସେହି ପୁଣ୍ୟତ୍ମାମାନଙ୍କର ସାକ୍ଷାତ୍ ବଂଶଧର; ଏବଂ ନିଜେ ପ୍ରାଚୀନ ଓଡ଼ିଆ ଭାଷାର ସ୍ୱାଧୀନତା ଓ ସ୍ୱାତନ୍ତ୍ର୍ୟ ରକ୍ଷାକରିବା ଜୀବନରେ ବ୍ରତ କରିଥିଲେ । ସେଥିପାଇଁ ବିଚାରିଲେ ନଗଣ୍ୟ ହେଲେହେଁ, ପୁସ୍ତକଟି କେବଳ ବାରବାଟୀ ନାମ ଯୋଗେ ଫକୀରମୋହନଙ୍କର ଅଯୋଗ୍ୟ ଉପହାର ହେବନାହିଁ, ଏବଂ ପ୍ରାଣର ଗଭୀର କୃତଜ୍ଞତା ଓ ଭକ୍ତିର ସହିତ ପୁସ୍ତକଟି ତାହାଙ୍କ ପବିତ୍ର ନାମରେ ଚିରଦିନ ଉତ୍ସର୍ଗକରି ରଖିଲି । ସେତିକି ନୁହେଁ, ଜୀବନରେ ମୁଁ ଯଦି କିଛି ଐତିହାସିକ ଅନୁସନ୍ଧାନ କରେ, ତାହା କେବଳ ତାଙ୍କର ଆଦର ଓ ଉତ୍ସାହଜନିତ ପ୍ରେରଣାରେ ଫଳ ବୋଲି ମନେ କରିବି ।

 

ଦ୍ୱିତୀୟତଃ ‘ମୁକୁର’ ସମ୍ପାଦକ ମାନ୍ୟବର ଶ୍ରୀଯୁକ୍ତ ବ୍ରଜସୁନ୍ଦର ଦାସଙ୍କୁ ମୋର କୃତଜ୍ଞତା ଜଣାଉଅଛି । ସେ ମୋର ବହୁଦିନର ବନ୍ଧୁ ଓ ଉନ୍ନତିକାମୀ, ଏବଂ ମୁଁ ନବୀନ ବୟସରେ ଏହି ଐତିହାସିକ ଅନୁସନ୍ଧାନ କ୍ଷେତ୍ରରେ ତାଙ୍କଠାରୁ ବହୁ ଆଦର ଓ ଗ୍ରାହକତା ପାଇ ଉତ୍ସାହିତ ହୋଇଅଛି-। ‘ମୁକୁର’ ସ୍ତମ୍ଭରୁ ସଂକଳିତ ପୁସ୍ତକର ଭୂମିକାରେ ସେ ଲେଖିଥିଲେ—

 

ଶ୍ରଦ୍ଧେୟ ଶ୍ରାମାନ୍ କୃପାସିନ୍ଧୁ ଆମ୍ଭମାନଙ୍କ “ଐତିହାସିକ ସେ ଦୁର୍ଗ ବାରାବାଟୀ, ବୀରରକ୍ତ ପିଣ୍ଡେ ଗଢ଼ାଯାଇ ମାଟି”ର ତତ୍ତ୍ୱ ଆଲୋଚନା କରିବାକୁ ଯାଇ ଅନେକ ନୂତନ ତତ୍ତ୍ୱ ଆଲୋଚନାର ଅବତାରଣା କରିଅଛନ୍ତି । ଯୁକ୍ତି ତର୍କ ଓ ଅନୁମାନ ଏବଂ ଦେଶ କାଳ ପାତ୍ର ବିଚାରର ସମ୍ୟକ୍ ପ୍ରୟୋଗଦ୍ୱାରା ଐତିହାସିକର ଆସନ ପ୍ରତି ତାଙ୍କର ଦାବିକୁ ବିଶେଷ ଭାବରେ ଦୃଢ଼ୀଭୂତ କରିଅଛନ୍ତି-। କେବଳ ତାହା ନୁହେ, ବୈଦେଶିକ ହାତରେ ଆମ୍ଭ ଦେଶ କିପରି ଶ୍ରୀ ଧାରଣ କରିଛି ତାହା ମଧ୍ୟ ବିଶେଷ ଯୁକ୍ତିସହିତ ଦେଖାଇବାକୁ ଚେଷ୍ଟା କରିଅଛନ୍ତି ଓ ସେହି ଦୁର୍ଗର ନିର୍ମାଣ ସମୟ, ତାହାର ଇତିହାସ, ତହିଁରେ ଥିବା ମୃତ୍ତିକା ପ୍ରୋଥିତ ଭଗ୍ନ ନବତଳ ପ୍ରାସାଦ ତାହାର ଶିଳ୍ପ ଚାତୁର୍ଯ୍ୟ ଏବଂ ତାହା ସହିତ ତତ୍‍କାଳୀନ ଓଡ଼ିଶାର ସମ୍ପଦ ଓ ବର୍ତ୍ତମାନ ତାହାର ଶେଷ ଦଶାର ଜୀବନ୍ତ ଚିତ୍ରର ଆଲୋଚନା କରି ନବୀନ ଲେଖକ ପରିପକ୍ୱ ଜ୍ଞାନର ପରିଚୟ ଦେଇଅଛନ୍ତି ।

 

ପୁସ୍ତକର ଦ୍ୱିତୀୟ ସଂସ୍କରଣରେ ପ୍ରବନ୍ଧଟି ପ୍ରାୟ ଆମୂଳଚୂଳ ପୁନର୍ଲିଖିତ ହୋଇଅଛି । ସ୍ଥାନେ ସ୍ଥାନେ ନୂତନ ପ୍ରମାଣାଦି ମଧ୍ୟ ସନ୍ନିବେଶିତ ହୋଇଅଛି । ଯେଉଁଠାରେ ପ୍ରଥମ ସଂସ୍କରଣ ଗ୍ରହଣ କରାହୋଇଅଛି, ସେ ସବୁଠାରେ ପ୍ରମାଦସବୁ ଯଥାସମ୍ଭବ ସଂଶୋଧିତ ହୋଇଅଛି । ତଥାପି ଆଲୋଚନାରେ ପ୍ରମାଦ ଥିଲେ, ଦେଖାଇ ଦେବା ନିମନ୍ତେ ପାଠକମାନଙ୍କୁ ବିନୀତ ଅନୁରୋଧ କରୁଅଛି ।

 

ସତ୍ୟବାଦୀ

 

ମିଥୁନ ଦି୧୫ ନ

ଶ୍ରୀ କୃପାସିନ୍ଧୁ ମିଶ୍ର

୧୩୨୫ ସାଲ

 

•••

 

ପ୍ରଥମ ଅଧ୍ୟାୟ

ଉପକ୍ରମଣିକା

 

ଆମ୍ଭ ଦେଶରେ ଧାରାବାହିକ ଇତିହାସ ଲେଖା ଯାଇ ନାହିଁ । ଏହି ଅଭାବ କେବଳ ଓଡ଼ିଆ-ଜାତି-ଗତ ନୁହେଁ; ଏହା ଗୋଟିଏ ଭାରତଜାତୀୟ ଅଭାବ । ଭାରତୀୟମାନେ ପାରିତ୍ରିକତାରେ ଏକାବେଳକେ ତନ୍ମୟ ଥିଲେ; ଐହିକ ବିଷୟ ପ୍ରତି ସେମାନେ ସେତେ ଆଗ୍ରହ ଦେଖାଉ ନ ଥିଲେ । ଜଗତ ପରିବର୍ତ୍ତନଶୀଳ ଓ ମାୟାଜାଲ-ବିଜଡ଼ିତ; ସୁତରାଂ ଅସତ୍ । କେବଳ ବ୍ରହ୍ମହିଁ ସତ୍ । ଅତଏବ, କିପରି ଏହି ଅସତ୍‍ ଜଗତ ପାର ହୋଇ ସଚ୍ଚିଦାନନ୍ଦ ବ୍ରହ୍ମକୁ ପାଇବ, ଭାରତବାସୀର ପ୍ରାଣ ସେଥିପାଇଁ ବ୍ୟାକୁଳ । ବିଷୟବାସନାରେ ବିତୃଷ୍ଣ ହେବା ଭାରତବାସୀ ପକ୍ଷରେ ସ୍ୱାଭାବିକ ।

 

ଇତିହାସ କେବଳ ସଂସାରିକ ବିଷୟ ହିସାବ ରଖେ । ତାହାଦ୍ୱାରା ଜାତୀୟ, ସାମାଜିକ, ରାଜନୈତିକ ବା ବ୍ୟକ୍ତିଗତ ଯେ କୌଣସି ଉପକାର ହେଉ ପଛକେ, ତାହା କେବଳ ‘ଅସାର’ ସଂସାର ସମ୍ବନ୍ଧୀୟ । ଭାରତର ଇତିହାସ ଯେ ଆଦୌ ନାହିଁ ଏମନ୍ତ ନୁହେଁ । ଭାରତର ଗିରି ନଦୀ, ବନ ପ୍ରାନ୍ତର, ଐତିହାସିକ ସ୍ମୃତିରେ ପବିତ୍ର । ତେବେ ଏତିକି ମାତ୍ର କୁହାଯାଇ ପାରେ, ଭାରତର ଧାରାବାହିକ ଇତିହାସ ସ୍ୱତନ୍ତ୍ର ଭାବରେ ଇତିହାସ ଆକାରରେ ନାହିଁ । ଯାହା କିଛି ଅଛି, ତାହାର ପ୍ରକାର ସ୍ୱତନ୍ତ୍ର । ଯେଉଁସବୁ ଲେଖାବଳୀରୁ ଇତିହାସର ଉପାଦାନ ମିଳେ, ତାହା କେବଳ ଐହିକ ବିଷୟାବଳୀରେ ଆବଦ୍ଧ ନୁହେଁ । ପାଠକକୁ ଜ୍ଞାନମାର୍ଗ ଦେଖାଇ ‘ସଂସାର ବନ୍ଧ’ରୁ ମୁକ୍ତି ଲଭିବାର ଉପାୟ ଦେଖାଇବା ସେହି ଗ୍ରାନ୍ଥମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଏପରି କି ଭାରତୀୟ କାବ୍ୟ ନାଟକାଦି ସାମାଜିକ ଚିତ୍ରଣ ସୂତ୍ରରେ ପାଠକକୁ ଯେପରି ଐତିହାସିକ ଉପାଦାନ ଯୋଗାନ୍ତି, ସଂସାରର ନଶ୍ୱରତା ଓ ବ୍ରହ୍ମ ପ୍ରାପ୍ତିର ବିଶଦ୍ର ଫଳ ମଧ୍ୟ ସେହିପରି ଶିକ୍ଷା ଦିଅନ୍ତି । ଇତିହାସ ଏହିପରି କେବଳ ପ୍ରଚ୍ଛନ୍ନ ଭାବରେ ଭାରତୀୟ ଶିଳ୍ପ ସାହିତ୍ୟ, କାବ୍ୟ ପୁରାଣମାନଙ୍କର ଜଡ଼ିତ ରହିଅଛି ।

 

ଭାରତର ଅନ୍ୟାନ୍ୟ ପ୍ରଦେଶ ପରି ଓଡ଼ିଶାର ଇତିହାସ ଅଛି । ଓଡ଼ିଆମାନେ ଆପଣାର ଇତିହାସ ଗଢ଼ି ଅଛନ୍ତି । ଅନ୍ୟାନ୍ୟ ଜାତି ପରି, ଓଡ଼ିଆ ଜାତିର ଗୋଟିଏ ବିଶିଷ୍ଚ ଜୀବନ ଏକାଦିକ୍ରମେ ଚାଲିଅଛି,–ଏବଂ ଆପଣାର ସେହି ବିଶିଷ୍ଟତା ରକ୍ଷା କରିବା ନିମନ୍ତେ ଓଡ଼ିଆ ଜାତୀୟ ପ୍ରାଣ କେତେ ଉତ୍‍ଥାନ ପତନ, ଅନୁବର୍ତ୍ତନ ପରିବର୍ତ୍ତନ ଓ ବିବର୍ତ୍ତନ ଅପବର୍ତ୍ତନ ମଧ୍ୟ ଦେଇ ନାନା ଘଟନା ପରମ୍ପରାରେ ପରିପୂର୍ଣ୍ଣ ହୋଇଅଛି । ଏହି ଘଟଣା ପରମ୍ପରା ଓଡ଼ିଶାର ଇତିହାସ । କେହି କେହି ପଣ୍ଡିତ କହନ୍ତି, ଐତିହାସିକ ଉପକରଣ ଓଡ଼ିଶାରେ, ଯେତେ ବିସ୍ତାର ଭାବରେ ଅଛି, ଅନ୍ୟ କୈଣସି ପ୍ରଦେଶରେ ସେତେ ଅଛି କି ନାହିଁ ସନ୍ଦେହ । ବାସ୍ତବିକ ଓଡ଼ିଶାର ଗ୍ରାମେ ଗ୍ରାମେ ଗୃହେ ଗୃହେ ଐତିହାସିକ ଉପକରଣମାନ ରକ୍ଷିତ ଅଛି । ଓଡ଼ିଶାର ମନ୍ଦିର ପୁଷ୍କରିଣୀ, ନଦୀ ପର୍ବତ ଓ ଦୁର୍ଗ ପ୍ରାନ୍ତର ଐତିହାସିକ ସ୍ମୃତିରେ ଅଦ୍ୟାପି ପ୍ରଭାବିତ ରହିଅଛି । ଜନସାଧାରଣ ମୁଖରୁ କେତେ ଇତିହାସ କାହାଣୀ ନାନା ଭାବରେ ଅଦ୍ୟାପି ବାହାରୁ ଅଛି । ଏହିପରି ସାମାଜିକ ଅନୁଷ୍ଠାନମାନଙ୍କଠାରୁ ଆରମ୍ଭ କରି ବ୍ୟକ୍ତିଗତ କାହାଣୀ ପର୍ଯ୍ୟନ୍ତ, ଲିଖିତ ପୁସ୍ତକମାନଙ୍କଠାରୁ ନୀରବ ନୀର ପ୍ରସ୍ତର ପର୍ଯ୍ୟନ୍ତ ସର୍ବତ୍ର ଓଡ଼ିଶାର ଇତିବୃତ୍ତ ବିବୃତ ହେଉଛି ।

 

ଇତିହାସରେ ଏ ସମସ୍ତ ଉପାଦାନ ଅଛି । ଯେ କୈଣସି ପ୍ରାଚୀନ ସଭ୍ୟ ଜାତିର ତାହା ଇତର ବିଶେଷ ପରିମାଣରେ ରହିବ । କିନ୍ତୁ ଏ ସମସ୍ତ ବିଷୟାବଳୀର ଆନୁପୂର୍ବକ ସଂକଳନ ପୂର୍ବପୁରୁଷମାନେ କରି ନାହାନ୍ତି । ଆଧୁନିକ ଓଡ଼ିଆମାନେ ମଧ୍ୟ ଏ କ୍ଷେତ୍ରରେ ଭାରତର ଅନ୍ୟାନ୍ୟ ପ୍ରଦେଶବାସୀଙ୍କ ପରି ଅଗ୍ରସର ହେଉ ନାହାନ୍ତି । ଶ୍ରମସାଧ୍ୟ ଗବେଷଣା ଆପାତତଃ ନୀରସ; ମାତ୍ର ଜାତିର ଜୀବନ ଗଠନରେ, ମାନବର ମାନବତା ସମ୍ପାଦନରେ, ଏହାର ଉପଯୋଗିତା ଅତୁଳନୀୟ-। ଜାତିର ଇତିହାସ ଆମ୍ଭମାନଙ୍କୁ ଜାଣିବାକୁ ହେବ । ଯେତେବେଳେ ନିଜେ ତାହା ଆମ୍ଭେମାନେ ନ କରୁଛୁ, ସେତେବେଳେ ଅନ୍ୟ ଉପରେ ନିର୍ଭର ନ କରି ଚାରା ନାହିଁ । ବୈବେଶିକମାନେ ସତ୍ୟର ଆବିଷ୍କାର ନିମନ୍ତେ ବହୁ ତତ୍ତ୍ୱ ଅନୁସନ୍ଧାନ କରି ପ୍ରଚାର କରିଛନ୍ତି । ଆମେ ପୂର୍ବପୁରୁଷମାନଙ୍କର କୀର୍ତ୍ତିକଳାପ ବୁଝିବାକୁ ଟେଷ୍ଚା କଲେ, ଅଗତ୍ୟା ବୈଦେଶିକ ତତ୍ତ୍ୱନ୍ୱେଷୀଙ୍କର ଅନୁସରଣ କରୁଁ । କଳା କହନ୍ତୁ ଧଳା କହନ୍ତୁ, ହଣ୍ଟର ରାଜେନ୍ଦ୍ରଲାଲ, ଷ୍ଟର୍ଲିଙ୍ଗ୍‍, ଫର୍ଗୁସନ ପ୍ରଭୃତି ମନୀଷୀମାନେ ଆମ୍ଭମାନଙ୍କର ଗୁରୁ ଓ ପଥପ୍ରଦର୍ଶକ ।

 

ଅବଶ୍ୟ, ବଡ଼ ଆକ୍ଷେପର କଥା, ସେମାନଙ୍କ ଭଳି ଅଧ୍ୟବସାୟୀ ଗବେଷଣାପ୍ରିୟ ଲେଖକମାନେ ଏହିରୂପ ଗୁରୁଦାୟିତ୍ୱପୂର୍ଣ୍ଣ କାର୍ଯ୍ୟଭାର ହସ୍ତରେ ନେଇ ବେଳେ ବେଳେ ଆକୃତକାର୍ଯ୍ୟ ହୋଇଅଛନ୍ତି । ହେବାର କଥା । ବିଷୟର ବାହୁଲ୍ୟ ଓ ଅନୁସନ୍ଧାନର ଜଟିଳତା ଅନେକ ସମୟରେ ଲେଖକର ଉଦ୍ୟମ ବ୍ୟର୍ଥ କରାଇ ଦିଏ । ତାହା ଉପରେ ପୁଣି ଲେଖକର ସାମାଜିକ, ବ୍ୟକ୍ତିଗତ ଅଭିରୁଚି । ସାନ୍ତ ମାନବର ହୃଦୟ, ଆପଣାର ବ୍ୟକ୍ତିଗତ ଭାବ ଓ କାର୍ଯ୍ୟରେ ଏତେ ପ୍ରଣୋଦିତ ହୋଇଥାଏ ଯେ, ଅନ୍ୟ ଜାତୀୟ ବିଷୟକୁ ନିରପେକ୍ଷ ଭାବରେ ଆଲୋଚନା କରିବା ତାହା ପକ୍ଷରେ ବେଳେ ବେଳେ ଅସମ୍ଭବ ହୁଏ । ମନୁଷ୍ୟ ସାଧାରଣତଃ ବିଚାର କରିବାବେଳେ, ପର ସହିତ ନିଜକୁ ତୁଳନା ନ କରି, ନିଜ ସହିତ ପରକୁ ତୁଳନା କରି ବିଚାର କରେ-। ଅର୍ଥାତ୍, ମନୁଷ୍ୟ ସର୍ବଦା ନିଜର ମାନଦଣ୍ତରେ ପରକୁ ମାପେ । ପରର ଯଦି କୌଣସି ଭାବ ବା ଅନୁଷ୍ଠାନ ନିଜ ସହିତ ମେଳ ଖାଏ, ତାହାହେଲେ ପରର ତାହା ନିଶ୍ଚୟ ପ୍ରଶଂସନୀୟ ଓ ଆଦେୟ, ଏବଂ ମେଳ ନ ଖାଇଲେ, ନିନ୍ଦନୀୟ ଓ ହେୟ । ତେଣୁ ବ୍ୟକ୍ତିଗତ ଓ ଜାତିଗତ ସଂକୀର୍ଣ୍ଣ ଅଭିରୁଚି ଏବଂ ବେଳେ ବେଳେ ଜ୍ଞାତ ଓ ଅଜ୍ଞାତ ପ୍ରାଦେଶିକ ଭାବ ଦ୍ୱାରା ପରିଚାଳିତ ହୋଇ ଇତିହାସ ଲେଖକମାନେ ଅନେକ ସମୟରେ ଅକୃତକାର୍ଯ୍ୟ ହୁଅନ୍ତି ।

 

ପୁଣି, ଏ କ୍ଷେତ୍ରରେ ଏକ ଶ୍ରେଣୀର ନିରବିଲମ୍ବ ସତ୍ୟସନ୍ଧିତ୍ସୁ ଉଦାରଚେତା ଗବେଷଣାପର ଐତିହାସିକ ଯେ ଏକାବେଳକେ ନାହାନ୍ତି, ତାହା ନୁହେଁ, । ଜାତି ଧର୍ମ, ବ୍ୟବହାର ବାସନା ଓ ସମାଜ ସାହଚର୍ଯ୍ୟ ନିର୍ବିଶେଷରେ ସତ୍ୟର ଅନୁସନ୍ଧାନ ସେମାନଙ୍କର ଉଦ୍ଦେଶ୍ୟ ଓ ସେହି ସତ୍ୟ ପାଇବା ସେମାନଙ୍କର ପ୍ରାଣର ଆକାଙ୍‍କ୍ଷା ହେଲେହେଁ, ଏକାବେଳକେ ଆତ୍ମୀୟ ଭାବରେ ଅନ୍ୟ ଜାତି ଓ ସମାଜ ଲୋକଙ୍କ ପ୍ରଚଳିତ ତଥା ପୁରାତନ ଭାବ ଓ କ୍ରିୟାରାଶିରେ ପ୍ରବେଶ କରିବା, ବଡ଼ କଠିନ ଓ ମାନବ ପକ୍ଷରେ କଦାପି ସହଜସାଧ୍ୟ ନୁହେଁ । ତେଣୁ ଯେଉଁ ମନସ୍ୱୀ ସତ୍ୟାନ୍ୱେଷୀ ପଣ୍ଡିତମାନେ ଆମ୍ଭ ଦେଶର ଇତିହାସ ଲେଖିଅଛନ୍ତି, ସେମାନଙ୍କର ଉଦ୍ଦେଶ୍ୟ, ଉଦ୍ୟମ ଓ ଅଧ୍ୟବସାୟ ପ୍ରଶଂସନୀୟ । ସେମାନେ ଆମ୍ଭମାନଙ୍କୁ ଚକ୍ଷୁ ଦେଇଅଛନ୍ତି; ପୂର୍ବପୁରୁଷମାନଙ୍କର କୀର୍ତ୍ତି-କଳାପ ବୁଝିବା ନିମନ୍ତେ ସକ୍ଷମ କରାଇଛନ୍ତି । ମାତ୍ର, ସେମାନଙ୍କ ଲିଖିତ ଇତିହାସ ପୂର୍ଣ୍ଣ ସତ୍ୟାଶ୍ରିତ ହୋଇ ପାରିବ ନାହିଁ । ପୁଣି, ପକ୍ଷାନ୍ତରେ ତାହା ଆମ୍ଭମାନଙ୍କ ଜାତୀୟ ଇତିହାସ ହୋଇ ନ ପାରେ । ବୈଦେଶିକ ଅଭିରୁଚି ଆମ୍ଭ ଜାତୀୟତାର ମାନଦଣ୍ଡ ହେବା ଅନୁଚିତ; ଏବଂ ଯେତେଦିନ ବୈଦେଶିକ ଆଦର୍ଶରେ ଆମ୍ଭ ଜାତୀୟ ସଭ୍ୟତା ନିରୂପିତ ହେଇଥିବ, ସେତେଦିନ ଆମ୍ଭ ଜାତି ପ୍ରକୃତ ଲକ୍ଷ୍ୟ ସ୍ଥିର ରଖି ଆତ୍ମ-ପରିଚୟ ପାଇଛି ବୋଲି କୁହାଯାଇ ନ ପାରେ ।

 

ଇତିହାସ ଜାତୀୟତା ଗଠନର ପ୍ରଧାନ ସହାୟ । ଏହା ଜାତିର ଜୀବନ ଚରିତ । ଏହାଦ୍ୱାରା ଜାତି ଆତ୍ମ-ଜ୍ଞାନ ଲାଭ କରେ । ସୁଦୂର ଅତୀତର ସ୍ମୃତି ଯେପରି ଏହା ଜାଗରଣ କରାଏ, ଭବିଷ୍ୟତ ଉନ୍ନତିର ମାର୍ଗ ମଧ୍ୟ ସେହିପରି ଦେଖାଇ ଦିଏ । ଓଡ଼ିଶାର ଯାହା କିଛି ଇତିହାସ ଲିଖିତ ଅଛି, ତାହା ଯେତେ ସତ୍ୟାଶ୍ରିତ ହେଉ ପଛକେ, ଏକାବେଳକେ ଅଭ୍ରାନ୍ତ ସତ୍ୟ ବୋଲି ଧରି ନେବା ଓଡ଼ିଆ ଜାତି ପ୍ରତି କଦାପି ଶୁଭପ୍ରଦ ନୁହେଁ । ସଂକଳନରେ ପ୍ରସାଦ ଥିବ, ଲେଖାରେ ତ୍ରୁଟି ଥିବ ଓ ବିଚାରରେ ଭ୍ରମ ଥିବ । ତାହାର ଅନୁସରଣ କରିବା ପୂର୍ବରୁ ସତ୍ୟର ମାନଦଣ୍ଡରେ ତୁଳି ପରୀକ୍ଷା କରି ନେବାକୁ ହେବ । ଅତଏବ, ବିଶେଷ ସାବଧାନତା ସହିତ ବିଷୟର ସୂକ୍ଷ୍ମ ପରୀକ୍ଷା କରି “ଉତ୍କଳର ପୂର୍ବ-କୀର୍ତ୍ତି-ସ୍ମୃତିପୂତ ବାରବାଟୀ” ସମ୍ବନ୍ଧରେ ଯଥାଶକ୍ତି ଆଲୋଚନା କରିବାକୁ ହେବ ।

•••

 

ଦ୍ୱିତୀୟ ଅଧ୍ୟାୟ

ଦୁର୍ଗନିର୍ମାଣ କାଳ

 

ବାରବାଟୀ କେବେ ଓ କାହାଦ୍ୱାରା ନିର୍ମିତ ହେଲା ? —ଏହି ପ୍ରଶ୍ନର ସମାଧାନ ପୂର୍ବରୁ, ମନେ ରଖିବା ଆବଶ୍ୟକ ଯେ ଓଡ଼ିଶାର ନଗରମାନଙ୍କ ମଧ୍ୟରେ କଟକ ଅପେକ୍ଷାକୃତ ନୂତନ । ଯାଜପୁର, ପୁରୀ, ଓ ଭୁବନେଶ୍ୱର କ୍ରମାନ୍ୱୟରେ କେଶରୀବଂଶର ପ୍ରଥମ ନୃପତିମାନଙ୍କର ରାଜଧାନୀ ଥିଲା । ଏହି ବଂଶୀୟ ଆଦିମ ନରପତିମାନଙ୍କ ସମୟରେ ଦେଶ ଭିତରେ ବା ବାହାରେ, ଯୁଦ୍ଧ ବିଗ୍ରହାଦିର ବିଶେଷ ଆଶଙ୍କା ନ ଥିଲା । ସେମାନେ ପରମ ଶାନ୍ତିରେ ରାଜପଣ କରୁଥିଲେ । ଇତିହାସରୁ ଜଣାଯାଏ ଯେ ସେମାନେ ଯାଗ ଯଜ୍ଞାଦ କାର୍ଯ୍ୟ, ମନ୍ଦିର ନିର୍ମାଣ ପ୍ରଭୃତି ଧର୍ମ କାର୍ଯ୍ୟରେ ଆପଣାର ଧନ ଓ ମନ ନିଯୁକ୍ତ କରୁଥିଲେ । ଯାଜପୁରର ଯଜ୍ଞ ଓ ପୁରୀର ଭୂତପୂର୍ବ ମନ୍ଦିର ଯଯାତିକେଶରୀଙ୍କ କାର୍ଯ୍ୟ । ଭୁବନେଶ୍ୱରର ପ୍ରସିଦ୍ଧ ମନ୍ଦିର ଯଯାତିଙ୍କ ଦ୍ୱାରା ଅରବ୍‍ଧ ହୋଇ ସେଇ ବଂଶୀୟ ଚତୁର୍ଥ ନରପତି ଲଲାଟେନ୍ଦୁ ବା ଅଲାବୁ କେଶରୀଙ୍କ ଦ୍ୱାରା ୬୬୬ ଖ୍ରୀଷ୍ଟାବ୍ଦରେ * ସମାପିତ ହୋଇଥିଲା । ଉକ୍ତ ବଂଶୀୟ ତ୍ରିଂଶତ୍ତମ ରାଜା ପୁରନ୍ଦର କେଶରୀ କୋଣାର୍କର ଭୂତପୂର୍ବ ମନ୍ଦିର ନିର୍ମାଣ କରାଇଥିଲେ । ଏତଦ୍‍ବ୍ୟତୀତ କେଶରୀମାନେ ପୁରୀ ଜିଲ୍ଲାର ନାନା ସ୍ଥାନରେ ଅଷ୍ଟଶମ୍ଭୁ ପ୍ରତିଷ୍ଠା କରି ବୃତ୍ତିମାନ ଖଞ୍ଜି ଦେଇଥିଲେ । ** ଏହିପରି ନାନା ସ୍ଥାନରେ ଧର୍ମକାର୍ଯ୍ୟ କରିଥିବାରୁ ଅନୁମାନ କରାଯାଏ ଯେ କେଶରୀ ରାଜତ୍ୱ ସମୟରେ ଦେଶ ପରମ ଶାନ୍ତି ଉପଭୋଗ କରୁଥିଲା । ପୃଥିବୀର ପ୍ରତ୍ୟେକ ଦେଶର ଇତିହାସରୁ ଜଣାଯାଏ ଯେ ଶିଳ୍ପାଦି କଳାବିଦ୍ୟା ଶାନ୍ତିର ସହଚର ଦେଶ ଶାନ୍ତିମୟ ଥିବାବେଳେ ସେ ସବୁରି ଆବିର୍ଭାବ ହୋଇଥାଏ । ଅତଏବ ବହିଃଶତ୍ରୁର ଭୟ ନଥିବାରୁ ଓଡ଼ିଆ ରାଜାମାନେ ଅନ୍ତଃଶତ୍ରୁର ଦମନ ନିମନ୍ତେ ଧର୍ମାଚରଣାଦି ପବିତ୍ର କ୍ରିୟାମାନ ଅନୁଷ୍ଠାନ କରୁଥିଲେ । ସୁତରାଂ ଶରବସନ୍ତ-ଲୀଳାୟିତ, ଅନନ୍ତ-ସାଗର-ବିଧୋତ, ପବିତ୍ର ନୀଳାଚଳ ଧାମ ଏବଂ ପୁରାଣ ପ୍ରସିଦ୍ଧ ଏକାମ୍ରକାନନ କେଶରୀ ବଂଶୀୟ ଆଦିମ ନରପତିମାନଙ୍କର ରାଜଧାନୀ ହେବା ସ୍ୱାଭାବିକ । ସେମାନଙ୍କ ସମୟରେ [ସୁରକ୍ଷିତ ସ୍ଥାନରେ ସୁଦୃଢ଼ ଦୁର୍ଗାଦି ନିର୍ମାଣ କରିବାର ସେତେ ପ୍ରୟୋଜନ ନଥିଲା]

*

ଗଜାଷ୍ଟେ ଶୁମିତେ ଜାତେ ଶକାବ୍ଦେ ବୃତ୍ତବାସସଃ ।

 

ପ୍ରାସାଦ ମକରୋଦ୍ରାଳା ଲଲାଟେନ୍ଦୁଶ୍ଚ କେଶରୀ ।

 

(ଭୁବନେଶ୍ୱର ମନ୍ଦିର ଶିଳାଲିପି)

**

ଲେଖକ ପ୍ରଣୀତ ‘‘କୋଣାର୍କ’’ ୩୯ ପୃଷ୍ଠା ।

କିନ୍ତୁ ଉକ୍ତ ବଂଶର ପଶ୍ଚିମ କାଳରୁ କ୍ରମେ ବହିଃଶତ୍ରୁ ଆକ୍ରମଣର ଆଶଙ୍କା ହେବାକୁ ଲାଗିଲେ, ଏବଂ ଗଙ୍ଗବଂଶୀୟ ନରପତିମାନେ ଦାକ୍ଷିଣାତ୍ୟରୁ ଓଡ଼ିଶା ଆକ୍ରମଣ କରିବାର ଉଦ୍ୟମ କଲେ । ଏହି ସମୟରେ କୌଣସି ସୁରକ୍ଷିତ ସ୍ଥାନରେ ସୁଦୃଢ଼ ଦୁର୍ଗ ନିର୍ମାଣ କରି ରାଜଧାନୀ ସ୍ଥାପନ କରିବାର ପ୍ରୟୋଜନ ହେଲା । ସୁତରାଂ ଉକ୍ତବଂଶୀୟ ନୃପକେଶରୀ * ସ୍ୱୀୟ ରାଜତ୍ୱକାଳରେ କଟକ ନଗର ସ୍ଥାପନ କଲେ ଏବଂ ବିଡ଼ାନାସୀଠାରେ ଗୋଟିଏ ସୁଦୃଢ଼ ଦୁର୍ଗ ନିର୍ମାଣ କଲେ । ବର୍ତ୍ତମାନ ବିଡ଼ାନାସୀ ପୂର୍ବେ ବାରାଣସୀ ନାମରେ ଅଭିହିତ ଥିଲା । ସେତେବେଳେ ଉତ୍କଳ ନରପତିମାନେ ଭାରତର ସର୍ବ ତୀର୍ଥସ୍ଥାନମାନ ଉତ୍କଳରେ ରୁଣ୍ଡ ଦେଖିବାର ପ୍ରୟାସ କରିଥିଲେ । ଭୁବନେଶ୍ୱରର ବିନ୍ଦୁସାଗରରେ ଗଙ୍ଗା, ଯମୁନା, ସରସ୍ୱତୀ, ନର୍ମଦା, କାବେରୀ, ଗୟା ପ୍ରଭୃତି ସମୁଦାୟ ତୀର୍ଥମାନଙ୍କର ସମନ୍ୱୟ ହୋଇଅଛି । ବୈତରଣୀ ନଦୀ ମଧ୍ୟ ଗୋଟିଏ ତୀର୍ଥ । “କଳୌ ଚିତ୍ରୋତ୍ପଳା ଗଙ୍ଗା”, ମହାନଦୀ ଉତ୍କଳର ଗଙ୍ଗା । ଏହିପରି ଭାରତର ତୀର୍ଥମାନ ଉତ୍କଳରେ ପ୍ରତିଷ୍ଠିତ-। ଅତଏବ ଉତ୍କଳ ନରପତି ନୂତନ ପ୍ରତିଷ୍ଠିତ ରାଜଧାନୀକୁ ‘ବାରାଣସୀ’ ଆଖ୍ୟା ଦେଇଥିଲେ । ବର୍ତ୍ତମାନ କଟକନଗରଠାରୁ ବିଡ଼ାନାସୀ ପୃଥକ୍‍ ହୋଇଥିଲେହେ, ପୂର୍ବେ କଟକ ସ୍ୱତନ୍ତ୍ର ନଗର ନ ଥିଲା । କଟକ ଓ ବିଡ଼ାନାସୀ ଉଭୟ ପୂର୍ବେ ‘କଟକ ବାରାଣସୀ’ ନାମରେ ଅଭିହିତ ଥିଲା । ପରେ ଦେଖାଯିବ ଚୌଦ୍ୱାର ମଧ୍ୟ କଟକ ଚୌଦ୍ୱାର, ବା କଟକ ନାମରେ ପରିଚିତ ଥିଲା । କଟକ ରାଜଧାନୀ ହେଲା ସତ୍ୟ, କିନ୍ତୁ ନଦୀସ୍ରୋତରେ ନଗର ଧୌତ ହୋଇ ଯିବାର ଆଶଙ୍କା ଦେଖି, ତାହାଙ୍କର ପରବର୍ତ୍ତୀ ନରପତି ମକର ବା ମର୍କଟକେଶରୀ (୯୪୩ ରୁ ୯୬୧ଖ୍ରୀଷ୍ଟାବ୍ଦ) କଟକ ସୁରକ୍ଷିତ ନିମନ୍ତେ କାଠଯୋଡ଼ୀ ମହାନଦୀର ଯେଉଁ ପଥର ବନ୍ଧ ନିର୍ମାଣ କରାଇଥିଲେ ତାହା ଅଦ୍ୟାବଧି ବର୍ତ୍ତମାନ ଥାଇ ଓଡ଼ିଆଙ୍କ ନିର୍ମାଣ-ଦକ୍ଷତାର ପରାକାଷ୍ଠା ଦେଖାଉଅଛି । ତାହାଙ୍କ ପରବର୍ତ୍ତୀ ରାଜା ମାଧବକେଶରୀ ନଦୀବନ୍ୟାରୁ ଅଧିକ ନିରାପଦରେ ବାସ କରିବା ଉଦ୍ଦେଶ୍ୟରେ କାଠଯୋଡ଼ୀର ଦକ୍ଷିଣ-ପାର୍ଶ୍ୱରେ ସାରଙ୍ଗଗଡ଼ ନାମକ ଗୋଟିଏ ଦୁର୍ଗ ନିର୍ମାଣ କରିଥିଲେ ସତ୍ୟ, କିନ୍ତୁ କଟକ ସେହି କାଳରୁ ଓଡ଼ିଶାର ରାଜଧାନୀରୂପେ ଅଦ୍ୟାପି ବିଦ୍ୟାମାନ ରହିଅଛି ।

*

୯୪୧ ରୁ ୯୫୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ । ଷ୍ଟର୍ଲିଙ୍ଗ୍‍ କହନ୍ତି ନୃପକେଶରୀ ୯୮୮ ଖ୍ରଷ୍ଟାବ୍ଦରେ କଟକ ନଗର ସ୍ଥାପନ କରିଥିଲେ ।

କେହି ଅବଶ୍ୟ ମନେ କରିବେ ନାହିଁ ଯେ ତତ୍‍ପୂର୍ବରୁ କଟକର ନାମ ସୁଦ୍ଧା ନ ଥିଲା । ଗୁପ୍ତବଂଶୀୟ ରାଜା ଭବଗୁପ୍ତଙ୍କ ଅନୁଶାସନ ପତ୍ରରେ କଟକର ନାମ ସୁଦ୍ଧା ନ ଥିଲା । ଗୁପ୍ତବଂଶୀୟ ରାଜା ଭବଗୁପ୍ତଙ୍କ ଅନୁଶାସନ ପତ୍ରରେ କଟକର ଉଲ୍ଲେଖ ଥିବାର ବଙ୍ଗଳା-ବିଶ୍ୱକୋଷ କହନ୍ତି । ଭବଗୁପ୍ତ ଖ୍ରୀଷ୍ଟୀୟ ୫ମ ଶତାବ୍ଦୀରେ ରାଜତ୍ୱ କରିଥିଲେ । ତେବେ ଭବଗୁପ୍ତଙ୍କ ନିର୍ଦ୍ଦିଷ୍ଟ କଟକ ବର୍ତ୍ତମାନ କଟକ କି ନୁହେଁ ଏ ବିଷୟରେ ଘୋର ସନ୍ଦେହ । କାରଣ, ଚୌଦ୍ୱାରକୁ ଲୋକେ ସେତେବେଳେ କଟକ ବୋଲି କହୁଥିଲେ । ଚୌଦ୍ୱାର ଅବଶ୍ୟ କଟକ ଠାରୁ ପୁରାତନ । ବିଶ୍ୱକୋଷ କହନ୍ତି ଯେ ଉତ୍କଳପାଞ୍ଜି ମତରେ ସର୍ପଯଜ୍ଞ-କାଳରେ ରାଜା ଜନମେଜୟ କର୍ତ୍ତୃକ ଚୌଦ୍ୱାରା ସ୍ଥାପିତ ହୋଇଥିଲା ଏହା ଯଦି ସତ୍ୟ ହୁଏ, ତାହାହେଲେ କଟକଠାରୁ ଚୌଦ୍ୱାର ନିଶ୍ଚୟ ବହୁ ପୁରାତନ । ଦ୍ୱିତୀୟତଃ, କଟକନଗର ସ୍ଥାପିତ ହେବାର ଠିକ୍ ପରେ କଟକରେ ଦୁର୍ଗ ନିର୍ମିତ ହୋଇ ନ ଥିଲା । ପୂର୍ବରୁ କୁହାଯାଇଅଛି ଯେ ନୃପକେଶରୀ ବିଡ଼ାନାସୀ (ବାରାଣସୀ) ସ୍ଥାପନ କରି ସେଠାରେ ଗୋଟିଏ ସୁଦୃଢ଼ ଦୁର୍ଗ ଏବଂ ମାଧବକେଶରୀ କାଠଯୋଡ଼ୀ ଦକ୍ଷିଣ (ବର୍ତ୍ତମାନ ପଟିଆ ଜଙ୍ଗଲ) ରେ ସାରଙ୍ଗଗଡ଼ ନାମକ ଦୁର୍ଗ ନିର୍ମାଣ କରାଇଥିଲେ । ଅତଏବ ବିଡ଼ାନାସୀ ଦୁର୍ଗ ଶତ୍ରୁ ଭୟରୁ ପୂର୍ବ ଅପେକ୍ଷା ଅଧିକ ନିରାପଦରେ ରହିଥିଲା । କାରଣ ଏହାର ଦକ୍ଷିଣରେ ନଦୀ ଓ ସାରଙ୍ଗଗଡ଼ ଓ ଉତ୍ତରପାର୍ଶ୍ୱରେ ନଦୀ ଓ ଚୌଦ୍ୱାର ଦୁର୍ଗ ଥିଲା । ତେଣୁ ରାଧାନାଥଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ କେଶରୀବଂଶୀୟ ଶେଷ ନରପତି ସୁବର୍ଣ୍ଣକେଶରୀ ବିଡ଼ାନାସୀ ଦୁର୍ଗରେ ବାସ କରୁଥିଲେ । ମହାନଦୀର ଉତ୍ତରାଞ୍ଚଳ ପ୍ରାଚୀନକାଳରେ ‘ଉତ୍ତର କୋଶଳା’ ନାମରେ ବିଦିତ ଥିଲା । ଚୌଦ୍ୱାର ଉକ୍ତ ରାଜ୍ୟର ନରପତିମାନଙ୍କ ରାଜଧାନୀ ଥିଲା । ରାଧାନାଥ ମଧ୍ୟ କହନ୍ତି–

ବହୁଦ୍ୱାର ଶୋଭୀପୁର ଚଉଦ୍ୱାର

ଉତ୍ତରକୋଶଳାମୌଳି ଅଳଙ୍କାର ।

ବିଡ଼ାନାସୀ ଦୁର୍ଗ ନିର୍ମାଣ ପୂର୍ବରୁ ନୃପକେଶରୀ ନିଶ୍ଚୟ ଏ ସୁବିଧାଟି ଦେଖି ସେଠାରେ ଦୁର୍ଗ ନିର୍ମାଣ କରାଇଥିଲେ । ଅତଏବ ଏହା ସ୍ପଷ୍ଟ ଯେ ଚୌଦ୍ୱାର କଟକଠାରୁ ପୁରାତନ; ଏବଂ ସେତେବେଳେ ଅବଶ୍ୟ କଟକ ଚୌଦ୍ୱାରଠାରୁ ଅଧିକ ଖ୍ୟାତ ନ ଥିଲା । ତେଣୁ ଆମ୍ଭମାନଙ୍କର ବିଶ୍ୱାସ ଯେ ଭବଗୁପ୍ତଙ୍କ ଅନୁଶାସନ ପତ୍ରରେ ନିର୍ଦ୍ଦିଷ୍ଟ କଟକ ବର୍ତ୍ତମାନ କଟକ ନୁହେ; ଚୌଦ୍ୱାର କଟକ ନାମରେ ଲିଖିତ ଥିଲା । ବାସ୍ତବିକ, ଯେଉଁଠାରେ ରାଜାମାନେ ସାମୟିକ ଭାବରେ ବା ସ୍ଥାୟୀ ଭାବରେ ବାସ କରୁଥିଲେ, କିମ୍ବା ଯେଉଁ ସ୍ଥାନରେ ସେନାନିବେଶ ଥିଲା, ତାହାର ଅର୍ଥ କଟକ-। କ୍ରମେ ‘କଟକ’ ଯୋଗରୂଢ଼ ହୋଇ ବର୍ତ୍ତମାନ କଟକକୁ ବୁଝାଇଲା ।

ଉପରଲିଖିତ ପ୍ରମାଣରୁ ଏହା ସ୍ପଷ୍ଟ ଯେ ଏହା କଟକ, ପୁରୀ ଓ ଯାଜପୁର ଅପେକ୍ଷା ନୂତନ ନଗର; ଏବଂ ଖ୍ରୀଷ୍ଟୀୟ ୧oମ ଶତାବ୍ଦୀରେ ଏହା ନଗର ଆକାର ଧାରଣ କରି ଓଡ଼ିଶାର ରାଜଧାନୀରେ ପରିଣତ ହେଲା । ବାରବାଟୀ ଦୁର୍ଗ ନିଶ୍ଚୟ ଏହା ପରେ ନିର୍ମିତ ହୋଇଥିଲା । ପୂର୍ବରେ କୁହାଯାଇଅଛି ଯେ କେଶରୀବଂଶର ଶେଷ ନରପତି ସୁବର୍ଣ୍ଣକେଶରୀ ଚୋରଗଙ୍ଗ ଦେବଙ୍କର ଆକ୍ରମଣ ସମୟରେ ବିଡ଼ାନାସୀ ଦୁର୍ଗରେ ବାସ କରୁଥିଲେ । ବିଡ଼ାନାସୀ ତାହାଙ୍କର ରାଜଧାନୀ ଥିଲା । ବାରବଟୀ ଦୁର୍ଗର ନିର୍ମାଣ ସେତେବେଳକୁ ହୋଇ ନଥିଲା । ଯଦି ବାରବାଟୀ ଦୁର୍ଗ ନିର୍ମିତ ହୋଇଥାନ୍ତା, ତାହାହେଲେ ରାଜା ନିଶ୍ଚୟ ସେହିଠାରେ ବାସ କରିଥାନ୍ତେ । କାରଣ ବିଡ଼ାନାସୀଠାରୁ ବାରବାଟୀ ଆହୁରି ଅଧିକ ସୁରକ୍ଷିତ ସ୍ଥାନ । ଏକ ଦିଗରେ ଚୌଦ୍ୱାର ଦୁର୍ଗ ଓ ନଦୀ, ଅନ୍ୟ ଦିଗରେ ନଦୀ ଓ ବିଡ଼ାନାସୀ ଦୁର୍ଗ ଏବଂ ଦକ୍ଷିଣ ଦିଗକୁ ନଦୀ ଓ ସାରଙ୍ଗଗଡ଼ ଥିଲା । ଅତଏବ କୌଣସି ଦିଗରୁ ଶତ୍ରୁ ଆକ୍ରମଣ ଭୟ ନ ଥିଲା । ଏଥିରୁ ଅନୁମତି ହୁଏ ଯେ କେଶରୀବଂଶୀୟ ରାଜତ୍ୱକାଳରେ ବାରବାଟୀ ଦୁର୍ଗ ନିର୍ମିତ ହୋଇ ନ ଥିଲା । ଓଡ଼ିଶାର ଇତିହାସ ଲେଖକମାନଙ୍କ ବର୍ଣ୍ଣନାରୁ ଏହି ଅନୁମାନ ସିଦ୍ଧ ବୋଲି ପ୍ରତୀୟମାନ ହୁଏ ।

‘ଶ୍ରୀଚୈତନ୍ୟଚରିତାମୃତ’ରୁ ଜଣାଯାଏ ଯେ ଶ୍ରୀକୃଷ୍ଣ ଚୈତନ୍ୟ କଟକରେ ପ୍ରବେଶ କରି ତଦାନୀନ୍ତନ ରାଜା ପ୍ରତାପରୁଦ୍ରଦେବଙ୍କ ସଙ୍ଗେ ଏହି ବାରାବାଟୀ ଦୁର୍ଗରେ ସାକ୍ଷାତ୍ କରିଥିଲେ । ତାହାଙ୍କର ପୂର୍ବବର୍ତ୍ତୀ ରାଜା ପୁରୁଷୋତ୍ତମଦେବ ମଧ୍ୟ ବାରବାଟୀରେ ବାସ କରୁଥିବାର ଉକ୍ତ ଗ୍ରନ୍ଥରୁ ପରିଚୟ ମିଳେ । ଶ୍ରୀଚୈତନ୍ୟ ଚଚିତାମୃତର ମଧ୍ୟଲୀଳା ୧୭ଶ ପରିଚ୍ଛେଦରେ ବର୍ଣ୍ଣିତ ଅଛି–

ଏହି ମତ ଚଲି ବଲି କଟକ ଆଇଲା ।

ସାକ୍ଷୀଗୋପାଳ ଦେଖି ସେ ଦିନ ରହିଲା ।।

ସାକ୍ଷୀଗୋପାଳର କଥା କହେ ନିତ୍ୟାନନ୍ଦ ।

ଶୁଣିୟା ବୈଷ୍ଣବ ମନେ ବଢ଼ିଲା ଆନନ୍ଦ ।।

ଅନ୍ୟତ୍ର–

କଟକ ଆସିୟା କୈଲ ଗୋପାଲ ଦର୍ଶନ ।

ସ୍ୱପ୍ନେଶ୍ୱର ବିପ୍ର କୈଲ ପ୍ରଭୁର ନିମନ୍ତ୍ରଣ ।।

 

ଏଥିରୁ ଅନୁମତି ହୁଏ ଯେ ରାଜା ପୁରୁଷୋତ୍ତମଦେବ କାଞ୍ଚି ଜୟକରି ତତ୍ରତ୍ୟ ସାକ୍ଷୀଗୋପାଳଙ୍କୁ ଘେନି ଆସି ବାରବାଟୀ ଦୁର୍ଗ ମଧ୍ୟରେ ରଖାଇଥିଲେ । ସେଠାରେ ସେ ବାସ କରୁ ନ ଥିଲେ, ସାକ୍ଷୀଗୋପାଳଙ୍କୁ ସେଠାରେ ନ ରଖି ଅନ୍ୟତ୍ର ରଖାଇ ପାରିଥାନ୍ତେ । ରାଧାନାଥ “ଦରବାର”ରେ କହନ୍ତି–

 

କାଞ୍ଚି ଅଭିଯାନେ ଯେ ଦୁର୍ଗ ପ୍ରାଚୀର

ବାଦ୍ୟ ନାଦେ ଦେଇଥିଲା ପ୍ରତିଗିର ।

 

ଅତଏବ ବାରବାଟୀ ଦୁର୍ଗ ପୁରୁଷୋତ୍ତମଦେବଙ୍କ ରାଜଧାନୀ ଥିଲା ଏବଂ କାଞ୍ଚି ଯୁଦ୍ଧ ନିମନ୍ତେ ବାରବାଟୀରୁ ସୈନ୍ୟ ପ୍ରେରିତ ହୋଇଥିଲା । ‘ଆଇନୀ ଆକବରା’ ପ୍ରଣେତା ଆବୁଲ୍‍ଫଜଲ କହନ୍ତି ଯେ ଗଙ୍ଗ ବଂଶୀୟ ପଞ୍ଚମ ନରପତି ଅନଙ୍ଗ ଭୀମଦେବ ବାରବାଟୀ ଦୁର୍ଗ ନିର୍ମାଣ କରାଇଥିଲେ । ଆବୁଲ୍‍ଫଜଲଙ୍କ ଏହି ମତ ପୂର୍ବବର୍ତ୍ତୀ ଓଡ଼ିଶା ଇତିହାସ ଲେଖକଗଣ ଗ୍ରହଣ କରିଅଛନ୍ତି । ପୂର୍ବରେ କୁହାଯାଇଅଛି କେଶରୀ ବଂଶୀୟ ରାଜତ୍ୱର ଶେଷ ସମୟରେ ମଧ୍ୟ ଏ ଦୁର୍ଗ ନିର୍ମିତ ହୋଇ ନ ଥିଲା । ଗଙ୍ଗବଂଶୀୟ ସୁପ୍ରସିଦ୍ଧ ନରପତି ଅନଙ୍ଗଭୀମଦେବ ଏହି ଦୁର୍ଗ ନିର୍ମାଣ କରାଇଥିବା ବିଶେଷ ସମ୍ଭବ । ଅନଙ୍ଗଭୀମଦେବ ଅବଶ୍ୟ ରାଜତ୍ୱର ପ୍ରଥମ ଅବସ୍ଥାରେ ଚୌଦ୍ୱାର ଦୁର୍ଗରେ ବାସ କରୁଥିଲେ; କିନ୍ତୁ ଉତ୍ତର ଦିଗରୁ କ୍ରମେ ଆଫଗାନ ଆକ୍ରମଣର ଆଶଙ୍କା ଦେଖି ଗୋଟିଏ ସୁରକ୍ଷିତ ସ୍ଥାନରେ ସୁଦୃଢ଼ ଦୁର୍ଗ ନିର୍ମାଣର ଆବଶ୍ୟକତା ଅନୁଭବ କଲେ । ସେ ନିଜେ ଅତ୍ୟନ୍ତ ପରାକ୍ରମୀ ଯୋଦ୍ଧା ଥିଲେ, ଏବଂ ବହୁଦେଶ ଜୟକରି ସ୍ୱୀୟ ରାଜ୍ୟର ଅନ୍ତର୍ଭୁକ୍ତ କରିଥିଲେ । ହଣ୍ଟରଙ୍କ ‘ଓଡ଼ିଶା’ର ପ୍ରଥମ ଭାଗରେ ଅନଙ୍ଗଭୀମଦେବଙ୍କ ଯେ ବକ୍ତୃତା ପ୍ରଦତ୍ତ ହୋଇଅଛି ତହିଁରୁ ଏହା ସ୍ପଷ୍ଟ ଜଣାଯାଏ ।

 

ମାଦଳା ପଞ୍ଜିରୁ ଜଣାଯାଏ, କଟକରେ ଦୁର୍ଗ ସ୍ଥାପିତ ହେବା ପୂର୍ବରୁ ବର୍ତ୍ତମାନ କଟକ ‘ବାରବାଟୀ ଗ୍ରାମ’ ନାମରେ ପରିଚିତ ଥିଲା । ଏହି ଦୁର୍ଗ ସ୍ଥାପନ ବିଷୟରେ ପାଞ୍ଜିରେ ଲେଖାଅଛି–

 

ଏ ରାଜା (ଭୀମ ପରୀଛାଏ ବା ଦ୍ୱିତୀୟ ଅନଙ୍ଗଭୀମଦେବ) ନଗର ଚୌଦ୍ୱାର କଟକେ ବିଜେ କରିଥାନ୍ତି । ଏପରି ଏକ ଦିନକରେ ରାଜା ବିଜେକରି ଆସି ମହାନଦୀ ପାର ହୋଇ, ଏ ନଦୀର ଦକ୍ଷିଣ ତୀରେ ଦେଖିଲେ କୋଦଣ୍ଡ ଦଣ୍ଡପାଟର ବାରବାଟୀ ଗ୍ରାମର ବିମ୍ବେଶ୍ୱର ଦେବଙ୍କ ସନ୍ନିଧେ ଶାମଳ ପକ୍ଷୀକି ବଗ ମାଡ଼ି ବସିଛି । ଏହା ଦେଖି ରାଜା ବଡ଼ ଆଶ୍ଚର୍ଯ୍ୟ ପାଇ ଶୁଭଯୋଗ ଦିନରେ ବାରବାଟୀ ଗ୍ରାମରେ ଶୁଭ ଦେଇ ନଅର ତୋଳାଇଲେ । ଏ କଟକର ନାମ ବାରବାଟୀ କଟକ ନାମ ଦେଇ ନଗର କଟକ ଚୌଦ୍ୱାର ଛାଡ଼ି ଆସିଲେ ଏବଂ କଟକରେ ରହିଲେ । *

 

*

ଶ୍ରୀଜଗବନ୍ଧୁ ସିଂହଙ୍କ ‘‘ପ୍ରାଚୀନ ଉତ୍କଳ’’ ମୁକୁର ୧୨ଶ ଭାଗ ୧୨୯ ପୃଷ୍ଠା ।

 

ଓଡ଼ିଶାର ଅନ୍ୟାନ୍ୟ ପ୍ରଚୀନ ଅନୁଷ୍ଠାନମାନଙ୍କର କାଳ ସମ୍ବନ୍ଧରେ ଯେପରି, ବାରବାଟୀ ନିର୍ମାଣ କାଳ ସମ୍ବନ୍ଧରେ ମଧ୍ୟ ସେହିପରି ଲେଖକମାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ । ‘ବିଶ୍ୱକୋଷ’ ପ୍ରଣେତା କହନ୍ତି ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ଅନଙ୍ଗଭୀମଦେବ ଏହି ଦୁର୍ଗ ନିର୍ମାଣ କରିଥିଲେ । ଉପରେ ଯେପରି କୁହାଗଲା, ରାଜା ଅନଙ୍ଗଭୀମଦେବ ଦୁର୍ଗ ନିର୍ମାଣ କରୁଥିବା ସତ, କିନ୍ତୁ ‘ବିଶ୍ୱକୋଷ’ର ଲେଖକ ଅନଙ୍ଗଭୀମଦେବଙ୍କୁ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ କିପରି ଜୀବିତ ରଖିଲେ, ବୁଝାଯା ଏ ନାହିଁ । ‘ବିଶ୍ୱକୋଷ’ ବଡ଼ ଉପାଦେୟ ଗ୍ରନ୍ଥ । ତହିଁର ପ୍ରତ୍ୟେକ ବିଷୟ ବିଶ୍ୱାସ-ଜନକ ହେବା ଉଚିତ । ଷ୍ଟର୍ଲିଙ୍ଗ୍ ‘ମାଦଳାପାଞ୍ଜି’ ଓ ‘ବଂଶାବଳୀ’ ନାମକ ଏକ ସଂସ୍କୃତ ଗ୍ରନ୍ଥ ସାହାଯ୍ୟରେ ପ୍ରମାଣ କରିଅଛନ୍ତି ଯେ ଚୋଡ଼ଗଙ୍ଗଦେବ ୧୦୫୦ ଶକାବ୍ଦୀ କନ୍ୟା ୧୩ଦିନ କଟକ ଅଧିକାର କଲେ । ଓଡ଼ିଶା ଇତିହାସ ପାଠକଗଣ ଜାଣନ୍ତି, ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ର ଆକ୍ରମଣଦ୍ୱାରା ଓଡ଼ିଶାର ସ୍ୱାଧୀନତା ଲୁପ୍ତ ହେଲା । ଏହି ସମୟ ମଧ୍ୟରେ ୨୮ଜଣ ନରପତି ରାଜତ୍ୱ କରିଥିବାର ଜଣାଯାଏ । ଅନଙ୍ଗଭୀମଦେବ ଗଙ୍ଗବଂଶର ସପ୍ତମ ରାଜା । ସୁତରାଂ ‘ବିଶ୍ୱକୋଷ’ ମତରୁ ୧୦୫୪ ଶକାବ୍ଦ ବା ୧୧୩୨ ଖ୍ରୀଷ୍ଟାବ୍ଦ ବା ଦ୍ୱାଦଶ ଶତାବ୍ଦୀଠାରୁ ତଚୁର୍ଦ୍ଦଶ ପର୍ଯ୍ୟନ୍ତ ୭ଜଣ ରାଜା, ଏବଂ ଚତୁର୍ଦ୍ଦଶରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ୨୧ ଜଣ ରାଜା ରାଜତ୍ୱ କରିଥିଲେ । ଇତିହାସରୁ ଜଣାଯାଏ ଅନଙ୍ଗଭୀମଙ୍କ ପରେ କୌଣସି କୌଣସି ରାଜା (ଯଥା, ନରସିଂହ, କପିଳେନ୍ଦ୍ର, ପୁରୁଷୋତ୍ତମ ଓ ପ୍ରତାପରୁଦ୍ର) ଦୀର୍ଘକାଳ ରାଜତ୍ୱ କରି ନାନଦିଗରେ ସୁକୀର୍ତ୍ତି ସ୍ଥାପନ କରି ଯାଇଅଛନ୍ତି । ବିଶ୍ୱକୋଷର ଲେଖକ ଏହି ସବୁ ବିଷୟରେ ଅନଭଜ୍ଞ ।

 

ବାସ୍ତବିକ ‘ବିଶ୍ୱକୋଷ’ର ଲେଖକ କୌଣସି ଐତିହାସିକ ଆଲୋଚନା ନ କରି ଷ୍ଟର୍ଲିଙ୍ଗ୍‍ଙ୍କ ଉପରେ କେବଳ ଅନ୍ଧବିଶ୍ୱାସ ରଖିଲାପରି ଜଣାଯାଏ । ଷ୍ଟର୍ଲିଙ୍ଗ୍‍ କହନ୍ତି, ବୋଧହୁଏ ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ବାରବାଟୀ ଦୁର୍ଗ ଅନଙ୍ଗଭୀମଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଷ୍ଟାର୍ଲିଙ୍ଗ୍ କିନ୍ତୁ ନିଜେ ନିଜର ପ୍ରତିବାଦ କରନ୍ତି । ତାହାଙ୍କ ମତରେ ଅନଙ୍ଗଭୀମଦେବ ୧୧୭୪ ରୁ ୧୨୦୨ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତେବେ, ସେ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଜୀବିତ ଥିଲେ କିପରି ? ଏହା ଛଡ଼ା ‘ବିଶ୍ୱକୋଷ’ କୋଣାର୍କ କାଳ ସମ୍ବନ୍ଧରେ ଯାହା କହଛନ୍ତି, ତଦନୁସାରେ ପରୀକ୍ଷା କଲେ, ବାରବାଟୀ ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଅପ୍ରମାଣିତ ହୁଏ । ‘ବିଶ୍ୱକୋଷ’ରେ ଲେଖା ଅଛି, ନରସିଂହଦେବ ୧୨୦୦ ଶକ ବା ୧୨୬୮ ଖ୍ରୀଷ୍ଟାବ୍ଦରେ କୋଣାର୍କ ମନ୍ଦିର ନିର୍ମାଣ ଶେଷ କରିଥିଲେ । ଅନଙ୍ଗଭୀମଦେବଙ୍କ ପୁତ୍ର ନରସିଂହଦେବ ଖ୍ରୀଷ୍ଟୀୟ ୧୩ଶ ଶତାବ୍ଦୀରେ କୋଣାର୍କ କାର୍ଯ୍ୟ ଶେଷ କରିଥିବା ସ୍ଥଳେ, ଅନଙ୍ଗଭୀମଦେବ କିପରି ୧୪ଶ ଶତାବ୍ଦୀରେ ନିଜ କାର୍ଯ୍ୟ ବାରବାଟୀ ଶେଷ କଲେ ? ଅତଏବ ବିଶ୍ୱକୋଷ, ତଥା ଷ୍ଟର୍ଲିଙ୍ଗ୍‍ମତରେ ଯେ ୧୪ଶ ଶତାବ୍ଦୀରେ ବାରବାଟୀ ନିର୍ମିତ ହୋଇଥିଲା, ତାହାଭ୍ରମାତ୍ମକ । *

 

*

Statistical Accounts of Bengal, Vol XVIIIରେ ହଣ୍ଟର ମଧ୍ୟ ଷ୍ଟର୍ଲିଙ୍ଗଙ୍କର ଅନୁସରଣକରି ପ୍ରମାଦରେ ପଡ଼ିଅଛନ୍ତି ।

 

ଅନଙ୍ଗଭୀମଦେବ ହଣ୍ଟରଙ୍କ ମତରେ ୧୧୭୫ ରୁ ୧୨୦୨ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ (ଷ୍ଟର୍ଲିଙ୍ଗ୍‍ଙ୍କ ମତରେ ୧୧୭୪ ରୁ ୧୨୦୨) ରାଜତ୍ୱ କରିଥିଲେ । ଶ୍ରୀଯୁକ୍ତ ବାବୁ ଜଗବନ୍ଧୁ ସିଂହ କହନ୍ତି ଅନଙ୍ଗଭୀମଦେବ ୧୧୮୩ ରୁ ୧୨୧୦ ପର୍ଯ୍ୟନ୍ତ ୨୭ବର୍ଷ ରାଜତ୍ୱ କରିଥିଲେ । ସେ ମଧ୍ୟ କହନ୍ତି ଏ ରାଜାଙ୍କର ରାଜତ୍ୱ ୧୫ଅଙ୍କ ପୂର୍ବରୁ ବାରବାଟୀ–କଟକ ନିର୍ମିତ ହୋଇଥିବା କଥା ମାଦଳାପାଞ୍ଜିରୁ ଜଣାଯାଏ । ୧୫ ଅଙ୍କରେ ରାଜତ୍ୱ ୧୨ବର୍ଷ । ଅତଏବ ଅନଙ୍ଗଭୀମଦେବଙ୍କ ରାଜତ୍ୱର ଦ୍ୱାଦଶ ବର୍ଷ ମଧ୍ୟରେ ଅର୍ଥାତ୍ ୧୨୦୦ ଖ୍ରୀଷ୍ଟାବ୍ଦର ୧୦/୧୫ ବର୍ଷ ପୂର୍ବେ ବାରବାଟୀ ଦୁର୍ଗ ନିର୍ମିତ ହୋଇଥିଲା । ଷ୍ଟର୍ଲିଙ୍ଗ୍ ଓ ବିଶ୍ୱକୋଷଙ୍କ ‘ଚତୁର୍ଦ୍ଦଶ ଶତାବ୍ଦୀ’ କଦାପି ପ୍ରମାଣିତ ହୋଇ ନ ପାରେ ।

•••

 

ତୃତୀୟ ଅଧ୍ୟାୟ

ବାରବାଟି ଇତିହାସ

 

ଏହି ବାରାବଟୀ ଉତ୍କଳ ଇତିହାସର ପ୍ରଧାନ ରଙ୍ଗସ୍ଥଳ ଥିଲା । ଉତ୍କଳର କେତେ କେତେ ନରପତି ଏହାରି କୋଳରେ ଆଶ୍ରୟ ନେଇ ଲାଳିତ ପାଳିତ ଏବଂ କେତେ କେତେ ବିରାଟ ଘଟନା ଏହାରି ପାର୍ଶ୍ୱରେ ସଂଘଟିତ ହୋଇ ଓଡ଼ିଆ ଜାତିର ମହତ୍ୱ ଭାରତ ଇତିହାସରେ ଟେକି ରଖିଅଛି । ଉତ୍କଳର ଭାଗ୍ୟଶ୍ରୀ ଏହି ବାରବାଟୀ ଦୁର୍ଗ ଉପରେ ବହୁକାଳ ପର୍ଯ୍ୟନ୍ତ ନିର୍ଭର କରିଥିଲା-। ବିଡ଼ାନାସୀ, ଚୌଦ୍ୱାର ଓ ସାରଙ୍ଗଗଡ଼ ଏବଂ ଚତୁର୍ଦ୍ଦିଗରେ ସୁଗଭୀର ଓ ସୁପ୍ରଶସ୍ତ ନଦୀଦ୍ୱାରା ବେଷ୍ଟିତ ହୋଇ ବାରାବାଟୀ ଦୁର୍ଗ ଉତ୍କଳରୁ ବହିଃଶତ୍ରୁ-ଆକ୍ରମଣ ବହୁଦିନ ପର୍ଯ୍ୟନ୍ତ ବିତାଡ଼ିତ କରିପାରିଥିଲା; ଏବଂ ଭାରତର ଅନ୍ୟାନ୍ୟ ପ୍ରଦେଶ ଯେତେବେଳେ ମୁସଲମାନ ଓ ମୋଗଲଦ୍ୱାରା ଉପଦ୍ରୁତ ହେଉଥିଲେ, ସେତେବେଳେ ଉତ୍କଳକୁ ସ୍ୱାଧିନତା ଦେବୀଙ୍କର ପ୍ରିୟ ନିକେତନ କରି ରଖିଥିଲା । ଏହା ବାରାବାଟୀ ଓଡ଼ିଆ ସେନାନୀଙ୍କର ଲକ୍ଷ୍ୟସ୍ଥଳ ଉତ୍କଳ-ଆକାଶର ଧ୍ରୁବତାରା ଥିଲା-। ବିଦେଶରେ ଭୀଷଣ ସମର-ସାଗରରେ ଭାସମାନ ଥିବା ସମୟରେ ଓଡ଼ିଶାର ଯୋଦ୍ଧାବୃନ୍ଦ ଏହି ବାରବାଟୀକୁ ମାନସ ଚକ୍ଷୁରେ ଅବଲୋକନ କରି ନିଜ ନିଜ ଗତିବିଧି ନିର୍ଣ୍ଣୟ କରୁଥିଲେ । ଏହି ବାରବାଟୀ ଉତ୍କଳ ନରପତି ମାନଙ୍କର ଅମୂଲ୍ୟ ସମ୍ପଦ ଓ ପରମ ଶାନ୍ତିସ୍ଥଳ, ସର୍ପର ମଣି ଏବଂ ସ୍ୱର୍ଗର ପାରିଜାତ ସଦୃଶ ଥିଲା । ଷଟ୍ ଶତାଧିକ ବର୍ଷ ପର୍ଯ୍ୟନ୍ତ ବାରାବାଟୀ ଉତ୍କଳ ନରପତି ଓ ଶାସନକର୍ତ୍ତାମାନଙ୍କର ଆଶ୍ରୟସ୍ଥଳ ଥିଲା, ବସ୍ତୁତଃ ଏହି କାଳ ମଧ୍ୟରେ ବାରାବାଟୀହିଁ ଉତ୍କଳ; ଏବଂ ବାରବାଟୀର ଇତିହାସହିଁ ଉତ୍କଳର ଇତିହାସ ।

 

ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ରାଜା ଅନଙ୍ଗଭୀମଦେବଙ୍କ ଦ୍ୱାରା ନିର୍ମିତ ହେବାଠାରୁ ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜ ଅଧିକାର ପର୍ଯ୍ୟନ୍ତ ବାରବାଟୀ ଦୁର୍ଗ ଓଡ଼ିଶାର ରାଜଧାନୀ ଥିଲା । ରାଜା ଅନଙ୍ଗଭୀମଦେବ ସ୍ୱୀୟ ରାଜତ୍ୱର ପ୍ରଥମାବସ୍ଥାରେ ଯାଜପୁରରେ ରାଜଧାନୀ କରିଥିଲେ; କିନ୍ତୁ ଅନ୍ତିମାବସ୍ଥାକୁ ଗୋଟିଏ ସୁରକ୍ଷିତ ସୁଦୃଢ଼ ଦୁର୍ଗ ନିର୍ମାଣ କରିବାର ଆବଶ୍ୟକତା ସେ ଅନୁଭବ କଲେ । କାରଣ ଏତେବେଳକୁ ଓଡ଼ିଶା ପ୍ରତି ମୁସଲମାନମାନଙ୍କ ଦୃଷ୍ଟି ଆକୃଷ୍ଟ ହୋଇଥିଲା । ସୁତରାଂ ସେ ବାରାବାଟୀ ଦୁର୍ଗ ନିର୍ମାଣ କରି ତହିଁରେ ରାଜଧାନୀ ସ୍ଥାପନ କଲେ । ହଣ୍ଟରଙ୍କ ଓଡ଼ିଶା-ଇତିହାସର ପ୍ରଥମଭାଗରେ ଅନଙ୍ଗଭୀମଦେବଙ୍କର ସ୍ୱୀୟ ସେନାପତି ଓ ସାମନ୍ତରାଜାମାନଙ୍କ ପ୍ରତି ପ୍ରଦତ୍ତ ଯେ ବକ୍ତୃତା ଉଦ୍ଧାର କରାଯାଇଅଛି, ତହିଁରେ ମଧ୍ୟ ଏ ଭଳି ସମର୍ଥିତ ହୁଏ । ତତ୍ପର ରାଜା ତୃତୀୟ ନରସିଂହ ଦେବ ବା ଲାଙ୍ଗୁଳା ନରସିଂହଦେବଙ୍କ *ରାଜତ୍ୱକାଳରେ (ଅର୍ଥାତ୍ ୧୨୩୭ ରୁ ୧୨୮୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ) ଯେତେବେଳେ ଦକ୍ଷିଣାତ୍ୟର ବାହମଣୀ ରାଜ୍ୟର ଅଧିପତି ହୁମାୟୁନଶାହଙ୍କଦ୍ୱାରା ପ୍ରପୀଡ଼ିତ ହୋଇ ତେଲଙ୍ଗାନାର ହିନ୍ଦୁ ରାଜା ଓଡ଼ିଶା ରାଜାଙ୍କର ଆଶ୍ରୟ ପ୍ରାର୍ଥନା କରିଥିଲେ, ସେତେବେଳେ ରାଜା ନରସିଂହଦେବ ବାରାବାଟୀ ଦୁର୍ଗରୁ ସସୈନ୍ୟରେ ଦାକ୍ଷିଣାତ୍ୟ ଯାତ୍ରା କରିଥିଲେ; ଏବଂ ବାହମଣୀ ସୈନ୍ୟକୁ ଏକାବେଳକେ ବିଧ୍ୱସ୍ତ କରି ଉକ୍ତ ହିନ୍ଦୁ ରାଜାଙ୍କୁ ନିର୍ଭୟରେ ରାଜତ୍ୱ କରାଇ ଦେଇଥିଲେ । ତତ୍ପରେ ବାହମଣୀର ସୁଲତାନ ହୁମାୟୁନଶାହଙ୍କ ପୁତ୍ର ନିଜାମଶାହାଙ୍କ ବିରୁଦ୍ଧରେ ମଧ୍ୟ ନରସିଂହଦେବ ସୈନ୍ୟ ପ୍ରେରଣ କରିଥିଲେ, ଏବଂ ସ୍ୱୟଂ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ଥାଇ ସୈନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଏହିଥର ଓଡ଼ିଆ ସୈନ୍ୟମାନେ କୋଲାରାଜ୍ୟ ପର୍ଯ୍ୟନ୍ତ ଜୟ କରିଥିଲେ* । ନରସିଂହଦେବଙ୍କ ଏହି ସାହାସ ଓ ଦମ୍ଭରେ ବିସ୍ମିୟ ହୋଇ ଷ୍ଟର୍ଲିଙ୍ଗ୍ କହିଅଛନ୍ତି—

 

କଲବର୍ଗ ଓ ବିଦରର (ବର୍ତ୍ତମାନ ବେରାର) ଅପରପାର୍ଶ୍ୱରେ ମଧ୍ୟଭାରତର କୋଲା ରାଜ୍ୟର ଅବସ୍ଥାନ ଦେଖିଲେ, ସେତେବେଳର ଓଡ଼ିଶାରାଜାମାନଙ୍କ ସାହସ ଓ ଉଦ୍ୟମ ଆମ୍ଭମାନଙ୍କର ବିସ୍ମୟ ଉତ୍ପାଦାନ—କରିବାର କଥା ।

 

*

Robert Sewell, “Asiatic Society Journal” Vo1, LXV, Part I, 1986 ରେ ଓଡ଼ିଶାରେ ୮ଜଣ ନରସିଂହଦେବ ରାଜତ୍ୱ କରିଥିବାର ଲେଖିଅଛନ୍ତି, ଯଥା–

 

ପ୍ରଥମ ନରସିଂହଦେବ ଖ୍ରୀଷ୍ଟପୂର୍ବ ୪୨୧ ରୁ ୩୦୬ ପର୍ଯ୍ୟନ୍ତ ।

୨ୟ ନରସିଂହଦେବ (କେଶରୀ)—ଖ୍ରୀଷ୍ଟପୂର୍ବ ୧୦୧୩ ରୁ ୧୦୨୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ।

୩ୟ ନରସିଂହଦେବ (ବା ଲାଙ୍ଗୁଳା) —ଖ୍ରୀଷ୍ଟପୂର୍ବ ୧୨୩୭ ରୁ ୧୨୮୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ-

୪ର୍ଥ ନରସିଂହଦେବ (କେଶରୀ ନରସିଂହ) —ଖ୍ରୀଷ୍ଟପୂର୍ବ ୧୨୮୨ ରୁ ୧୩୦୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ।

୫ମ ନରସିଂହଦେବ (ପ୍ରତାପ ନରସିଂହ) —ଖ୍ରୀଷ୍ଟପୂର୍ବ ୧୩୦୭ ରୁ ୧୩୨୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ।

୬ଷ୍ଠ ନରସିଂହଦେବ (କପିଳ ନରସିଂହ) —ଖ୍ରୀଷ୍ଟପୂର୍ବ ୧୩୨୯ ରୁ ୧୩୩୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ।

୭ମ ନରସିଂହଦେବ (ନରସିଂହ ଜେନା) —ଖ୍ରୀଷ୍ଟପୂର୍ବ ୧୫୪୯ ରୁ ୧୫୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ।

୮ମ ନରସିଂହଦେବ ଖ୍ରୀଷ୍ଟପୂର୍ବ ୧୬୨୮ ରୁ ୧୬୫୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ।

 

*

Ferista’s “ History of the Dekkan”–

 

translated by Jonathan Scott–Vol, I, pp I 37-I 64

I.

The boldness and enterprise of the Orissan monarchs in those days may surprise us when we consider the situation of kolas in the heart of Centra। India beyond Ka।berga and Beder,–Stir।ing’s Orissa, 77page.

 

ଏହା ତ ଗଲା ଦକ୍ଷିଣ ଏ ପଶ୍ଚିମରେ ନରସିଂହଦେବଙ୍କର ବୀରତ୍ୱର କାହାଣୀ । ଉତ୍ତରରେ ମଧ୍ୟ ତାହାଙ୍କ ଅଧିନାୟକତ୍ୱରେ ବାରବାଟୀର ବୀରଧ୍ୱଜା ଉଡ଼ିଥିଲା । ନରସିଂହଦେବଙ୍କର ତାମ୍ରଶାସନରେ ବର୍ଣ୍ଣିତ ଅଛି–

 

ରାଢ଼ା ବରେନ୍ଦ୍ର ଯବନୀ ନୟନାଞ୍ଜନାଶ୍ରୁ ପୂରେଣ ଦୂର ବିନିବେଶିତ କାଳିମଶ୍ରୀଃ ।

ତଦ୍‍ତିପ୍ରଲମ୍ବ କରୁଣାଦ୍ଭୁତ ନିସ୍ତରଙ୍ଗାଗଙ୍ଗାପି ନୂନ ମମୁନା ଯମୁନା ଧୁନା ଭୂତ୍ । ୮୪ ।

 

ଅର୍ଥାତ୍, ଯାହାଙ୍କର (ଲଙ୍ଗଳୀୟ ନରସିଂହଦେବ) ଅଲୌକିକ-କାର୍ଯ୍ୟ ଦର୍ଶନରେ ଗଙ୍ଗା ସୁଦ୍ଧା ନିସ୍ତରଙ୍ଗା ହୋଇଥିଲା ଏବଂ ରାଢ଼ା ବରେନ୍ଦ୍ରବାସିନୀ ଯବନୀମାନଙ୍କର ଅଶ୍ରୁଜଳଧୌତ କଜ୍ୱଳସ୍ରୋତରେ କାଳିମମୟୀ ହୋଇ ଅଧୁନା ସେ ଯମୁନା ହୋଇଅଛି ।

 

ଏଥିରୁ ସ୍ପଷ୍ଚ ଜଣାଯାଏ ଯେ, ନରସିଂହଦେବର ଗଙ୍ଗାନଦୀ ଉପକୂଳବର୍ତ୍ତୀ ରାଢ଼ ଓ ବାରେନ୍ଦ୍ର ନାମକ ଦୁଇଟି ରାଜ୍ୟ ଜୟ କରିଥିଲେ । ଏହା ଗୌଡ଼ରାଜ୍ୟ । ଏହି ରାଜ୍ୟ ଜୟ କରିଥିବାରୁ ଗଙ୍ଗାବଂଶୀୟ ଗଜପତିଙ୍କର ଅନ୍ୟତମ ଉପାଧି ଗୌଡ଼େଶ୍ୱର ଥିଲା ।

ତତ୍ପରେ କପିଳେନ୍ଦ୍ରଦେବଙ୍କର ରାଜତ୍ୱକାଳରେ ଏହି ବାରବାଟୀ ମଧ୍ୟ ତାହାଙ୍କର ରାଜଧାନୀ ଥିଲା; ଏବଂ ଓଡ଼ିଆଦେଶରେ (ରାଜମହେନ୍ଦ୍ରୀ ଓ କୋଣ୍ଡାପିଲୀର ମଧ୍ୟବର୍ତ୍ତୀ ଦେଶ) ମଙ୍ଗଳରାୟଙ୍କ ପ୍ରାର୍ଥନାମତେ ହୀମ୍ବରଙ୍କ ବିପକ୍ଷରେ ସିଂହାସନାରୋହଣରେ ମଙ୍ଗଳ ରାୟଙ୍କୁ ସାହାଯ୍ୟ କରିବା ନିମନ୍ତେ ୧୪୭୦ ଖ୍ରୀଷ୍ଚାବ୍ଦରେ ବାରାବାଟୀକୁ ସୈନ୍ୟ ପ୍ରେରଣ କରି ଓଡ଼ିଆଙ୍କର ବିଜୟପତାକା ଉଡ଼ାଇ ଥିଲା; ଏବଂ ଏଥିରେ ମାଲବ ସୁଲତାନ ମହମ୍ମଦଶାହ ଓ ଦୀମ୍ବର ସମ୍ପୂର୍ଣ୍ଣ ପରାସ୍ତ ହୋଇଥିଲେ * । ଏହା ବ୍ୟତୀତ ରାଜା କପିଳେନ୍ଦ୍ର ଦେବଙ୍କ ୩୫ ଅଙ୍କ (୨୮ ବର୍ଷ) ସମୟକୁ ବାରବାଟୀର ବିଜୟ ଧ୍ୱଜା ସେତୁବନ୍ଧ ଯାଏ ଉଡ଼ିଗଲା । ରାଜା କପିଳେନ୍ଦ୍ର ସେତୁବନ୍ଧ ବିଜୟରୁ ଫେରିଲା ସମୟରେ କୃଷ୍ଣା ନଦୀ କୂଳରେ ‘ପ୍ରୟାଣ’ କରିଥିଲେ (ମରିଥିଲେ) ।

*

Ferista (ପୂର୍ବପୃଷ୍ଠା ନୋଟ ଦେଖ) ।

+

ମାଦଳା ପାଞ୍ଜି, ବାବୁ ଶ୍ରୀ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉର୍କଳ’ ବୀରତ୍ୱ ପ୍ରସଙ୍ଗ ।

ତଦନନ୍ତର ରାଜା ପୁରୁଷୋତ୍ତମଦେବଙ୍କର ରାଜତ୍ୱକାଳରେ (୧୪୭୯ ଖ୍ରୀଷ୍ଟାବ୍ଦରୁ ୧୫୦୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ) କାଞ୍ଚି ବିଜୟ ନିମନ୍ତେ ଏହି ବାରବାଟୀରୁ ରାଜା ସସୈନ୍ୟରେ ଯାତ୍ରା କରିଥିଲେ; ଏବଂ ସେହି ‘କାଞ୍ଚି ଅଭିଯାନେ’ ଏହି ‘ଦୁର୍ଗପ୍ରାଚୀର’ ‘ବାଦ୍ୟନାଦେ’ ‘ପ୍ରତିଗିର’ ଦେଇଥିଲେ । ପୁରୁଷୋତ୍ତମଦେବ କାଞ୍ଚିକାବେରୀ ଜୟକରି କାଞ୍ଚିଜେମା ପଦ୍ମାବତୀଙ୍କ ସହ ତତ୍ରତ୍ୟ ସାକ୍ଷୀଗୋପାଳ ଓ ଗଣେଷ ମୂର୍ତ୍ତି ଦ୍ୱୟ ଘେନି ଆଲିଥିଲେ । ଗଣେଶମୂର୍ତ୍ତିକୁ ସେ ଜଗନ୍ନାଥଙ୍କର ପଶ୍ଚାଦ୍‍ଭାବରେ ରଖାଇ ସାକ୍ଷୀଗୋପାଳଙ୍କୁ ଏହି ବାରବାଟୀ ଦୁର୍ଗ ମଧ୍ୟରେ ରଖାଇଥିଲେ । ପୂର୍ବେ ଶ୍ରାଚୈତନ୍ୟଚରିତାମୃତ ଉଦ୍ଧାର କରି ଆମ୍ଭେମାନେ କହିଅଛୁଁ ଯେ ଶ୍ରୀକୃଷ୍ଣଚୈତନ୍ୟ ଏହି ସ୍ଥାନରେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିଥିଲେ । ଉକ୍ତ ଗ୍ରନ୍ଥର ମଧ୍ୟଖଣ୍ତରେ ମଧ୍ୟ ବର୍ଣ୍ଣିତ ଅଛି :–

ମାଦଳା ପାଞ୍ଜି, ବାବୁ ଶ୍ରୀ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ ବୀରତ୍ୱ ପ୍ରସଙ୍ଗ

“ପୁରୁଷୋତ୍ତମଦେବ ଓ କ୍ରିକାଣ୍ତଶେଷ” ଶୀର୍ଷକ ପ୍ରବନ୍ଧରେ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ରଥ ମହାଶୟ କହନ୍ତି ଯେ କାଞ୍ଚିଗଣେଶ ଜଗନ୍ନାଥଦେବଙ୍କର ଦକ୍ଷିଣପାର୍ଶ୍ୟରେ ଅବସ୍ଥିତ । ଏହା ସତ କି ? ଆଶଂକା କରାଯାଏ ରଥ ମହାଶୟ ଏହାର ପ୍ରକୃତ ତଥ୍ୟ ଅନୁସନ୍ଧାନ କରିନାହାନ୍ତି ।

 

ଏହିମତ ବିଦ୍ୟା ନଗରେ ସାକ୍ଷୀଗୋପାଲ ।

ସେବା ଅଙ୍ଗୀକାର କରିୟାଛେନ ଚିରକାଲ ।।

ଉତ୍କଲେର ରାଜା ଶ୍ରୀପୁରୁଷୋତ୍ତମ ନାମ ।

ସେହିଦେଶ ଜିତି ନିଲ କରିୟା ସଂଗ୍ରାମ ।।

ତାର ଭକ୍ତିବଶେ ଗୋପାଲ ଆଜ୍ଞା ଦିଲ ।

ଗୋପାଲ ଲଇୟା ସେହି କଟକ ଆଇଲ ।।

ଏଥିରୁ ଜଣାଯାଏ ଯେ ବର୍ତ୍ତମାନ ସତ୍ୟବାଦୀଠାରେ ସ୍ଥାପିତ ସାକ୍ଷୀଗୋପାଳ କାଞ୍ଚିରୁ ଆନୀତ ହୋଇ, ପ୍ରତାପରୁଦ୍ରଦେବଙ୍କ ରାଜତ୍ୱସମୟରେ ମଧ୍ୟ ଏହି ବାରବାଟୀ ଦୁର୍ଗ ମଧ୍ୟରେ ସ୍ଥାପିତ ହୋଇଥିଲା ।

ଏହି କାଞ୍ଚି ଅଭିଯାନ ସମୟରେ ପୁରୁଷୋତ୍ତମଦେବଙ୍କ ଆଠଅଙ୍କ (୧୪୭୦ ଖ୍ରୀଷ୍ଟାବ୍ଦରେ)ରେ ତାହାଙ୍କର ସେନାପତିତ୍ୱରେ ଓଡ଼ିଆମାନେ ସେତୁବନ୍ଧଠାରେ ଏକ କଟକ ସ୍ଥାପନ କରିଥିଲେ, ଏବଂ ସେତୁବନ୍ଧ ପର୍ଯ୍ୟନ୍ତ ସମୁଦାୟ ଭୂଖଣ୍ତରେ ପୁରୁଷୋତ୍ତମଦେବ ଏକଛତ୍ର ହୋଇ ରାଜତ୍ୱ କଲେ । ମାତ୍ର ଏହାଙ୍କ ୧୭ ଅଙ୍କରେ (ରାଜତ୍ୱର ତ୍ରୟୋଦଶ ବର୍ଷରେ) ଗୌଡ଼ରାଜ୍ୟରୁ ମୁସଲମାନମାନେ ଆସି କଟକରେ ବାରବାଟୀ ଆକ୍ରମଣ କଲେ । ପୁରୁଷୋତ୍ତମଦେବ ଏହି ବାର୍ତ୍ତା ପାଇ ସେତୁବନ୍ଧରୁ ଫେରି ଆସିଲେ; ଏବଂ ମୁସଲମାନମାନଙ୍କର ଅନୁଧାବନ କରି ଗଙ୍ଗାପର୍ଯ୍ୟନ୍ତ ଯାଇଥିଲେ । ଏହିରୂପେ ଗଙ୍ଗାଠାରୁ ସେତୁବନ୍ଧ ପର୍ଯ୍ୟନ୍ତ ସମସ୍ତ ଭୂଭାଗ ଉପରେ ଓଡ଼ିଶା ରାଜାମାନେ କ୍ରମାନ୍ୱୟରେ ରାଜତ୍ୱ କରୁଥିଲେ; ଏବଂ ବାରବାଟୀ ଏ ସମସ୍ତ ଭୂଖଣ୍ତର ରାଜଧାନୀ ଥିଲା ।

 

ପୁରୁଷୋତ୍ତମଦେବଙ୍କ ରାଜତ୍ୱକାଳ ଅନ୍ତେ ଉତ୍କଳର ପ୍ରବଳପ୍ରତାପ ରାଜା ପ୍ରତାପରୁଦ୍ରଦେବ ଏହି ଦୁର୍ଗ ରାଜଧାନୀ କରିଥିଲେ । ଶ୍ରୀକୃଷ୍ଣ-ଚୈତନ୍ୟ ଉତ୍କଳ ଭ୍ରମଣକାଳରେ କଟକରେ ପ୍ରବେଶ କରିବା ମାତ୍ରେ ଧର୍ମପ୍ରାଣ ପ୍ରତାପରୁଦ୍ରଦେବଙ୍କୁ ପ୍ରଧାନ ପୃଷ୍ଠପୋଷକ ସ୍ୱରୂପ ପାଇଥିଲେ । ଉତ୍କଳ ଗଜପତିଙ୍କର ଏହି ଉଦାରତା ଓ ବିଶ୍ୱପ୍ରେମ ଭାବ ଏକା ଭାରତ କାହିଁକି, ପୃଥିବୀର ଇତିହାସରେ ଏକାନ୍ତ ବିରଳ । ରାଜା ପ୍ରତାପରୁଦ୍ର ନିଜେ ପରମ ବୈଷ୍ଣବ; ଏବଂ ଶ୍ରୀକୃଷ୍ଣ ଚୈତନ୍ୟଙ୍କ ଐଶୀ ପ୍ରତିଭାରେ ବିମୁଗ୍‍ଧ ହେବା ତାହାଙ୍କ ପକ୍ଷରେ ସ୍ୱାଭାବିକ । ଉତ୍କଳର ସ୍ୱନାମଧନ୍ୟ ବୈଷ୍ଣବ ଜଗନ୍ନାଥ ଦାସ ଏହାଙ୍କ ଆଶ୍ରୟରେ ଭାଗବତକୁ ଓଡ଼ିଆ ଭାଷାରେ ରଚନା କରି ସମଗ୍ର ଉତ୍କଳ ଭୂମିକୁ ବୈଷ୍ଣବ ସାମ୍ୟ ରସରେ ପ୍ଳାବିତ କରିଥିଲେ । ଚୈତନ୍ୟଙ୍କ ସଙ୍ଗେ ସାକ୍ଷାତ୍ ପରେ, ରାଜା ତାହାଙ୍କୁ ଯତ୍ନରେ ରଖାଇବା ନିମନ୍ତେ ଚୌଦ୍ୱାର ଦୁର୍ଗକୁ ପ୍ରେରଣ କରିଥିଲେ; ଏବଂ ଚୈତନ୍ୟ ଯେଉଁ ସ୍ଥାନରେ ମହାନଦୀରେ ସ୍ନାନ କରି ନୌକା ସାହାଯ୍ୟରେ ଚୌଦ୍ୱାର ଯାତ୍ରା କରିଥିଲେ, ସେଠାରେ ଅଦ୍ୟାପି ଚୈତନ୍ୟଙ୍କ ସ୍ମୃତିରକ୍ଷା ନିମନ୍ତେ ‘ବାଲିଯାତ୍ରା’ ଅନୁଷ୍ଠିତ ହେଇଅଛି । ଶ୍ରୀଚୈତନ୍ୟଚରିତାମୃତରେ ବର୍ଣ୍ଣିତ ଅଛି :–

 

ଦୁଇ ମହାପାତ୍ର ହରିଚନ୍ଦନ ମଙ୍ଗରାଜ ।

ତାରେ ଆଜ୍ଞା ଦିଲ ରାଜା କର ସର୍ବ କାଜ ।।

ଏକ ନବ ନୌକା ଆନି ରାଖ ନଦୀତୀରେ ।

ଯାଁହାଁ ସ୍ନାନ କରି ପ୍ରଭୁ ଯାନ ନଦୀପାରେ ।।

ତାଁହାଁ ସ୍ତମ୍ଭ ରୋପଣ କର ମହାତୀର୍ଥ କରି ।

ନିତ୍ୟ ସ୍ନାନ କରିବ ତାଁହାଁତାଁହାଁ ଯେନ ମରି ।।

ଚତୁର୍ଦ୍ୱାରେ କରହ ଉତ୍ତମ ନବ୍ୟ ବାସ ।

ରାମାନନ୍ଦ, ଯାହା ତୁମି ମହାପ୍ରଭୁ ପାଶ ।।

ନୌକାତେ ଚଢ଼ିୟା ପ୍ରଭୁ ହୈଲ ନଦୀ ପାର ।

ଜ୍ୟୋସ୍ନାବତୀ ରାତ୍ରେ ଚଲିଆଇଲା ଚତୁର୍ଦ୍ୱାର ।।

 

ଉପରଲିଖିତ ବର୍ଣ୍ଣାନାରୁ ଚୈତନ୍ୟଙ୍କ ପ୍ରତି ପ୍ରତାପରୁଦ୍ରଦେବଙ୍କ ଶ୍ରଦ୍ଧା ଓ ଭକ୍ତିର ମଧ୍ୟ ଯଥେଷ୍ଟ ପରିଚୟ ମିଳେ । ଏହିଭଳି ଉଦାର ଓ ସାର୍ବଜନୀନ ମୈତ୍ରୀଭାବ ପ୍ରଣୋଦିତ ରାଜାଙ୍କ ଯୋଗେ ପୃଥିବୀର ଯେ କୌଣସି ଜାତୀୟ ଇତିହାସ ଉଜ୍ଜ୍ୱଳୀକୃତ ହୋଇପାରେ । ଏହାଙ୍କ ରାଜତ୍ୱକାଳରେ ଉତ୍କଳସାହିତ୍ୟର ଯେ ଶ୍ରୀବୃଦ୍ଧି ହୋଇଅଛି, ସେଥିନିମନ୍ତେ ଏହାକୁ ଓଡ଼ିଶାର ‘ଅଗଷ୍ଟାନ୍ ଯୁଗ’ କୁହାଯାଇପାରେ । ଜଗନ୍ନାଥ ଦାସ ଉତ୍କଳ ଭାଷାର ଯେଉଁ ଆଦେର୍ଶ ଦେଖାଇ ଦେଇ ଅଛନ୍ତି, ତାହା ଚାରିଶତାଧିକ ବର୍ଷ ଏବଂ ଇଂରେଜ ସଭ୍ୟତା ପ୍ରଚାରର ଶତାଧିକ-ବର୍ଷ ପରେ ସୁଦ୍ଧା ଆଜି କୌଣସି ସାହିତ୍ୟିକ ପାଇ ପାରିନାହାନ୍ତି ।

 

ଉତ୍କଳର ଇତିହାସରେ ପ୍ରତାପରୁଦ୍ରଦେବ ସର୍ବଶ୍ରେଷ୍ଠ ପରାକ୍ରମୀ ଓ ତେଜସ୍ୱୀ ରାଜା ଥିଲେ । ତାହାଙ୍କ ସମୟରେ ଉତ୍କଳ ଉତ୍ତରରେ ହିମାଳୟ ଉପକଣ୍ଠରୁ ଆରମ୍ଭ କରି ଦକ୍ଷିଣରେ ସେତୁବନ୍ଧ କୁମାରୀକା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ପ୍ରତାପରୁଦ୍ର ଦାକ୍ଷିଣାତ୍ୟରେ ଦେଶ ଜୟରେ ବ୍ୟାପୃତ ଥିବା ସମୟରେ ବଙ୍ଗ ନବାବ ହୋସେନସାହାଙ୍କର ‘ଇସ୍‍ମାଇଲ୍‍ଗାଜୀ’ ନାମକ ଜନୈକ ସୈନ୍ୟାଧ୍ୟକ୍ଷ ୧୫୧୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆକ୍ରମଣ କରିଥିଲେ । ସେ କଟକରେ ବାରବାଟୀ ଦୁର୍ଗ ଅଧିକାର କରି ପୁରୀ ପର୍ଯ୍ୟନ୍ତ ଦେଶ ଲୁଣ୍ଠନ କଲେ । ସୁଦୂର ଦାକ୍ଷିଣାତ୍ୟର କୃଷ୍ଣାନଦୀ କୂଳରେ ଏହି ସମ୍ବାଦପାଇ ପ୍ରତାପରୁଦ୍ର ସ୍ୱଦେଶ ପ୍ରତ୍ୟାଗମନ କଲେ । କଟକରେ ପହଞ୍ଚି ସୈନ୍ୟ ସଂଗ୍ରହ କଲେ । ଇସ୍‍ମାଇଲ୍‍ଗାଜୀ ପରାସ୍ତ ହୋଇ ପଳାୟନ କଲେ ।

 

ଉତ୍କଳର ସର୍ବଶ୍ରେଷ୍ଠ ହିନ୍ଦୁ ସ୍ୱାଧୀନ ନରପତି ମହାରାଜ ମୁକୁନ୍ଦଦେବଙ୍କ ରାଜତ୍ୱକାଳରେ ବାରବାଟୀ ଦୁର୍ଗର ବହୁ ଉନ୍ନତି ସଂସାଧିତ ହୋଇଥିଲା । ମୁକୁନ୍ଦଦେବ ଦୁର୍ଗର ଏତେ ବିସ୍ତର ଉନ୍ନତି ସାଧନ କରିଥିଲେ ଯେ, ତାହାଙ୍କ ପରବର୍ତ୍ତୀ କାଳରେ ମୁସଲମାନମାନଙ୍କ ରାଜଧାନୀରେ ପରିଣତ ହୋଇ ସୁଦ୍ଧା, ବାରବାଟୀ ଦୁର୍ଗ ‘ମୁକୁନ୍ଦଦେବଙ୍କ ରାଜଧାନୀ’ ନାମରେ ଅଭିହିତ ହେଉଥିଲା । ମୁକୁନ୍ଦଦଦେବଙ୍କ ମୃତ୍ୟୁର ୬୪ବର୍ଷ ପରେ ଅର୍ଥାତ୍ ୧୬୩୩ ଖ୍ରୀଷ୍ଟାବ୍ଦରେ ଇଂରେଜ ବଣିକମାନେ ବାରବାଟୀ ଦୁର୍ଗକୁ ମାଲକାଣ୍ଡାରେ Malcander ବା କୋଟ ଅଫ୍ ମାଲକାଣ୍ଡୀ Court of Malcandy ବୋଲି କହୁଥିଲେ* । ମୁକୁନ୍ଦଦେବ ଶବ୍ଦ ନବାଗତ ଇଂରେଜ ବଣିକମାନଙ୍କ ଭାଷାରେ ‘ମାଲକାଣ୍ଡ ହୋଇଥିଲା । ଏଥିରୁ ଅନୁମାନ ହୁଏ ଯେ, ବାରବାଟୀ ମୁସଲମାନ ରାଜତ୍ୱର ବହୁକାଳ ପର୍ଯ୍ୟନ୍ତ ମୁକୁନ୍ଦଦେବଙ୍କ ନାମାନୁସାରେ ପରିଚିତ ହେଉଥିଲା । କାରଣ ମୁକୁନ୍ଦଦେବ ଏହି ଦୁର୍ଗ ମଧ୍ୟରେ ଗୋଟିଏ ସୁରମ୍ୟ ଓ ସୁବିଶାଳ ନବତଳ ପ୍ରାସାଦ ନିର୍ମାଣ କରି ତହିଁରେ ବାସ କରୁଥିଲେ । ଆକବରଙ୍କ ମନ୍ତ୍ରୀ ‘ଆବୁଲ ଫାଜଲ୍ ଆଲାମୀ’ ଷୋଡ଼ଶ ଶତାବ୍ଦୀର ପ୍ରାନ୍ତଭାଗରେ ଉତ୍କଳ ଭ୍ରମଣ କରିବା ସମୟରେ ଏହି ଦୁର୍ଗ ଓ ରାଜା ମୁକୁନ୍ଦଦେବଙ୍କ ନିର୍ମିତ ନବତଳ ପ୍ରାସାଦ ସ୍ୱଚକ୍ଷୁରେ ଦେଖିଥିଲେ; ଏବଂ ତାହାଙ୍କର ସୁପ୍ରସିଦ୍ଧ ଗ୍ରନ୍ଥ ‘ଆଇନୀ ଆକବରୀ’ରେ ତାହାର ବର୍ଣ୍ଣନା କରିଥିଲେ ।

 

*

Early Annals of the English in Bengal–Wilson Vo1.I.P 2

 

ମୁକୁନ୍ଦଦେବଙ୍କ ରାଜତ୍ୱକାଳରେ ପ୍ରବଳପ୍ରତାପ ଆକବର ଦିଲ୍ଲୀ ସିଂହାସନରେ ରାଜତ୍ୱ କରିଥିଲେ । ଓଡ଼ିଆ ବାହିନୀଙ୍କ ସ୍ୱାଧୀନ ପ୍ରତାପ ଓ ପରାକ୍ରମରେ ବିସ୍ମିତ ଓ ସ୍ତମ୍ଭିତ ହୋଇ ଓଡ଼ିଶାକୁ ସେ ନିଜ ବିଶାଳ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରିବାକୁ ସାହାସ କରି ନ ଥିଲେ; ବରଂ ସେ ମୁକୁନ୍ଦଦେବଙ୍କ ସହିତ ସଖ୍ୟ ସ୍ଥାପନ କରିଥିଲେ । ବଙ୍ଗ ନବାବ ସୁଲେମାନଙ୍କ ଦମନାର୍ଥେ ସେ ମୁକୁନ୍ଦଦେବଙ୍କ ସାହାଯ୍ୟ ଲୋଡ଼ିଥିଲେ । ଓଡ଼ିଆ ସାହାଯ୍ୟ ଦେବା ନିମନ୍ତେ ଚିର ପ୍ରସିଦ୍ଧ । ସୁତରାଂ ମୁକୁନ୍ଦଦେବ ଆକବରଙ୍କ ମିତ୍ରତା ରକ୍ଷା କରିବା ଅଭିପ୍ରାୟରେ ବଙ୍ଗ ବିଜୟାର୍ଥେ ବହିର୍ଗତ ହେଲେ । ବଙ୍ଗ ବିଜୟରେ ବ୍ୟାପୃତ ଥିବାବେଳେ, ବଙ୍ଗ ନବାବଙ୍କ ସେନାପତି କଳାପାହାଡ଼ ପଶ୍ଚିମ ଦିଗରୁ କାଂଶବାଂଶ ନଦୀଦେଇ କଟକରେ ବାରବାଟୀ ଦୁର୍ଗ ଅବରୋଧ କଲେ + । ସେତେବେଳେ ଦୁର୍ଗର ରକ୍ଷଣ ଭାର କୋନି ସାମନ୍ତସିଂହାରଙ୍କ ହାତରେ ଥିଲା । ସେ କଳାପାହାଡ଼ ସଙ୍ଗରେ ବହୁ ଯୁଦ୍ଧ କଲେ । ଏଥି ମଧ୍ୟରେ ରାମଚନ୍ଦ୍ର ଭଞ୍ଜ ନାମରେ ଜଣେ ସାମନ୍ତ ରାଜା ଶାରଙ୍ଗଗଡ଼ର ଅଧିନାୟକ ଥିଲେ । ମୁକୁନ୍ଦଦେବଙ୍କୁ ନାଶ କରି ଓଡ଼ିଶା ସିଂହାସନ ଅଧିକାର କରିବା ନିମନ୍ତେ ତାହାଙ୍କର ପ୍ରବଳ ବାସନା ଥିଲା । ଏକେ ମୁକୁନ୍ଦଦେବଙ୍କର ଅନୁପସ୍ଥିତି, ତହିଁରେ ପୁଣି ବୈଦେଶିକ ଶତ୍ରୁଦ୍ୱାରା ବାରବାଟୀ ଅବରୋଧ, ଏହି ଉଭୟ ସୁଯୋଗ ଦେଖି ଦୁରନ୍ତ ରାମଚନ୍ଦ୍ର ଆପଣାକୁ ଓଡ଼ିଶାର ରାଜା ବୋଲି ଘୋଷଣା କରାଇଲେ । ମୁକୁନ୍ଦଦେବ ଗଙ୍ଗା କୂଳବର୍ତ୍ତୀ କୋଟିଶମିଗଡ଼ରେ ଏହି ବାରତା ପାଇ ହଠାତ୍ କଟକ ପ୍ରସ୍ଥାନ କଲେ । ସେ ତତ୍‍କ୍ଷଣାତ୍‍ ରାମଚନ୍ଦ୍ରଙ୍କୁ ଶାରଙ୍ଗଗଡ଼ରେ ଅବରୋଧ କଲେ । ଉଭୟଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା । ମୁକୁନ୍ଦଦେବ ଯୁଦ୍ଧରେ ରାମଚନ୍ଦ୍ରଙ୍କ ଦ୍ୱାରା ନିହିତ ହେଲେ । ପରେ ରାମଚନ୍ଦ୍ର ପୁଣି ଆପଣା ପାଶବିକ କୁକ୍ରିୟାର ପ୍ରତିଶୋଧ ଆପେ ଭୋଗିଲେ—କଳାପାହାଡ଼ର ସୈନ୍ୟମାନଙ୍କ ଦ୍ୱାରା ରାମଚନ୍ଦ୍ର ନିହତ ହେଲେ । *ଓଡ଼ିଶା ଅରାଜକ ହେଲା । କଳାପାହାଡ଼ ଲୋକମାନଙ୍କ ଉପରେ ଘୋର ଅତ୍ୟାଚାର ଆରମ୍ଭ କଲା । ଧନ, ମାନ ଓ ଧର୍ମ ନିରାପଦ ରହିଲା ନାହିଁ । ଓଡ଼ିଶାର ଦେବସ୍ଥଳୀମାନଙ୍କରେ କେତେ ବିଗ୍ରହ ଓ କାରୁକାର୍ଯ୍ୟ କଳାପାହାଡ଼ର ପାଶବ ଅତ୍ୟାଚାରରେ ନଷ୍ଟ ହୋଇ ଯାଇଥିଲା, ତାହା ଅଦ୍ୟାପି ମଧ୍ୟ ଦେଖା ପଡ଼େ-। ମଦାନ୍ଧ କଳାପାହାଡ଼ର ଅତ୍ୟାଚାର ଅଦ୍ୟାପି ସୁଦ୍ଧା ଲୋକ ସ୍ମୃତିରେ ଅଛି । ସେମାନେ ସଭୟରେ ଗାନ କରନ୍ତି,

 

ଅଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼,

ପିଇଲା ମହାନଦୀ ପାଣି,

ସୁବର୍ଣ୍ଣ ଆଳିରେ ହୀରା ପରଶିଲେ

ମୁକୁନ୍ଦଦେବଙ୍କ ରାଣୀ ।

 

+

ପ୍ରଚଳିତ ଅଛି— ଶିଖି ମହାପାତ୍ର ଓ ମନାଇ ମହାପାତ୍ର ନାମକ ଦୁଇଜଣ ଖଣ୍ଡାଏତ ମୁକୁନ୍ଦଦେବଙ୍କ ବିରୁଦ୍ଧରେ କୌଣସି ବ୍ୟକ୍ତିଗତ ଆକ୍ରୋଶ ପୋଷଣ କରିଥିଲେ । ତାହାର ପ୍ରତିରୋଧ ନିମନ୍ତେ ସେମାନେ ବଙ୍ଗ ନବାବଙ୍କ ସେନାପତି କଳାପାହାଡ଼କୁ ଗଡ଼ଜାତ ଜଙ୍ଗଲ ବାଟେ ଆଣି କଟକ ଆକ୍ରମଣ କରାଇଲେ ।

*

ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ ମୁକୁର ୧୨ଶ ଭାଗ ୧୨୫ପୃଷ୍ଠା ।

 

ଏହି ଗାନରୁ ଅନୁମାନ କରାଯାଏ ଯେ କଳାପାହାଡ଼ ମୁକୁନ୍ଦଦେବ ରାଣୀଙ୍କଠାରୁ ବହୁ ଧନ ରତ୍ନ ପାଇ ବାରବାଟୀ ଦୁର୍ଗରେ କିଛି କ୍ଷତି କରି ନ ଥିଲା । ଏହି ଅନୁମାନ ମଧ୍ୟ ପରବର୍ତ୍ତୀ ବର୍ଣ୍ଣନାରୁ ସମର୍ଥିତ ହୁଏ । ବାରବାଟୀ କଳାପାହାଡ଼ କବଳରୁ ରକ୍ଷା ପାଇଗଲା, ମାତ୍ର ସେ ଏହା ଅପେକ୍ଷା ଘୋରତର ଅନିଷ୍ଟ ସାଧନ କରିଗଲା । ଉତ୍କଳର ଯେଉଁ ସର୍ବଶ୍ରେଷ୍ଠ ଅମୂଲ୍ୟ ସମ୍ପଦ ପ୍ରବଳ ପ୍ରତାପ ଆକବରଙ୍କୁ ସ୍ତମ୍ଭିତ କରିଥିଲା; ଯାହା ପ୍ରଭାବରେ ଓଡ଼ିଶା ସେତେବେଳେ ସମୁଦାୟ ଭାରତବର୍ଷ ମଧ୍ୟରେ ଅଦ୍ୱିତୀୟ ପ୍ରଦେଶ ଥିଲା; ଏବଂ ବାରବାଟୀ ପରି ଶତଶତ ଦୁର୍ଗଦ୍ୱାରା ସୁରକ୍ଷିତ ହୋଇ ଓଡ଼ିଶା ଯାହା ଏତେକାଳ ଅକ୍ଷୁଣ୍ଣଭାବରେ ରଖିଥିଲା, ସ୍ୱର୍ଗର ସେହି ପାରିଜାତ ଓଡ଼ିଶାର ସ୍ୱାଧୀନତା-ଧନ କୁଳକଳଙ୍କ ରାମଚନ୍ଦ୍ରଙ୍କ ଆଶ୍ରୟରେ କଳାପାହାଡ଼ ଚିରକାଳ ନିମନ୍ତେ ଅପହରଣ କଲା । ଧନ୍ୟ ରାମଚନ୍ଦ୍ର । ଧନ୍ୟ ତୁମ୍ଭର ଅଦମ୍ୟ ରାଜ୍ୟଲିପ୍‍ସା । ଓଡ଼ିଶା ଇତିହାସରେ ତୁମ୍ଭେ ଯେଉଁ କଳଙ୍କ ଦେଇଗଲ, ତାହା ଯୁଗଯୁଗାନ୍ତରେ ସୁଦ୍ଧା ବିଲୁପ୍ତ ହେବ ନାହିଁ !!! ତୁମ୍ଭପରି ଦେଶଦ୍ରୋହୀ ବହୁଦେଶର ଇତିହାସ ଏହିପରି କଳଙ୍କିତ କରି ନ ଥିବେ ।

 

ଓଡ଼ିଶା ମୁସଲମାନଙ୍କ ଅଧିକାର ଭୁକ୍ତ ହେଲା; ଏବଂ ଓଡ଼ିଆ ‘ବୀରରକ୍ତ ପିଣ୍ଡେ’ ଗଠିତ ବାରବାଟୀ ପରବର୍ତ୍ତୀ ଯୁଗରେ କେତେ କେତେ ଅନ୍ତର୍ବିବାଦ ନିଜ ବକ୍ଷରେ ସ୍ଥାନ ଦେଲା । ମୁକୁନ୍ଦଦେବଙ୍କ ସୁରମ୍ୟ ନବତଳ ପ୍ରାସାଦ, ମୁସଲମାନମାନଙ୍କର ବିଳାସଭବନରେ ପରିଣତ ହେଲା-। ୧୫୭୪ ଖ୍ରୀଷ୍ଟାବ୍ଦରେ ଜଳେଶ୍ୱର ନିକଟବର୍ତ୍ତୀ ମୋଗଲମାରୀ ଯୁଦ୍ଧପରେ କଟକରେ ଯେଉଁ ସନ୍ଧି ସ୍ଥାପିତ ହେଲା, ତାହାଦ୍ୱାରା ଦାଉଦ, ବଙ୍ଗ ବିହାର ଆକବରଙ୍କୁ ଅର୍ପଣ କରି ନିଜେ ଓଡ଼ିଶାର ଶାସକକର୍ତ୍ତା ହେଲୋ । ୧୫୯୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଶାସନକର୍ତ୍ତା କୁତୁଲଖାଁ ପୂର୍ବ ସନ୍ଧି ଭଙ୍ଗ କରନ୍ତେ, ରାଜା ମାନସିଂହଙ୍କ ଅଧିନରେ ମୋଗଲ ସୈନ୍ୟ ଜଳେଶ୍ୱର, ବାରବାଟୀ ଓ ଆଳି ଦୁର୍ଗମାନ ଅଧିକାର କଲେ । ସାରଙ୍ଗଗଡ଼ରେ ଆଫଗାନ ସୈନ୍ୟମାନେ ମୋଗଲ ବାହିନୀଙ୍କୁ ଦୂରୀକୃତ କରିବାର ଶେଷ ଚେଷ୍ଟା କରି ପରିଶେଷରେ ପରାସ୍ତ ହୁଅନ୍ତେ, ଓଡ଼ିଶା ତଥା ବାରବାଟୀ ଆକବରଙ୍କ ହସ୍ତଖତ ହେଲା । ତତ୍ପର ସାହାଜାହାନଙ୍କ ସମୟରେ ଇଂରେଜ ବଣିକମାନେ ବାଣିଜ୍ୟ ଉଦ୍ଦେଶ୍ୟରେ ପ୍ରଥମରେ ଓଡ଼ିଶାକୁ ଆସିଲେ । ୧୬୩୩ ଖ୍ରୀଷ୍ଟାବ୍ଦରେ କାଟରାଇଟ୍‍ଙ୍କ ଅଧିନାୟକତ୍ୱରେ କେତେଜଣ ଇଂରେଜ ବଣିକ ମସଲିପଟମରୁ ସମୁଦ୍ର ଯାତ୍ରା କରି ହରିଶପୁର ଗଡ଼ରେ ପହଞ୍ଚିଲେ । ହରିଶପୁରର ତଦାନୀନ୍ତନ ରାଜା ଓ ରାଜ୍ୟବାସୀ ଓଡ଼ିଆମାନେ ଇଂରେଜ ବଣିକମାନଙ୍କୁ ଯେପରି ଆଦର ବା ଅତିଥ୍ୟ ଦେଖାଇଥିଲେ, ତାହା କେବଳ ଓଡ଼ଆ ଜାତିର ଚିରନ୍ତନ ସହଜାତ ଗୁଣ । ଉଇଲିୟମ ବ୍ରୁଟନ ଖଣ୍ଡିଏ ପତ୍ରରେ ତାହାର ରୂୟସୀ ପ୍ରଶଂସା କରିଅଛନ୍ତି-*ଓଡ଼ିଶାର ଶାସନକର୍ତ୍ତାଙ୍କଠାରୁ ସ୍ୱାଧୀନ ବା କରଶୂନ୍ୟ ବାଣିଜ୍ୟର ଅନୁମତି ପାଇବା ନିମନ୍ତେ ସେମାନେ ବାରବାଟୀ (ବା ମାଲକାଣ୍ଡୀ) ରେ ଉପସ୍ଥିତ ହେଲେ । ସେତେବେଳେ ଆଗାମହମ୍ମଦ ଜମାନ ମୋଗଲ ଗଭର୍ଣ୍ଣରସ୍ୱରୂପ ବାରବାଟୀରେ ରାଜଧାନୀ କରୁଥିଲେ + । ତାହାଙ୍କ ବ୍ୟବହାରରେ ଇଂରେଜ ବଣିକମାନେ ଅତୀବ ପ୍ରୀତ ହୋଇଥିଲେ, ଏବଂ ବାଲେଶ୍ୱର ଓ ଓଡ଼ିଶାର ଆନ୍ୟାନ୍ୟ ବାଜିଜ୍ୟ ପ୍ରଧାନ ସ୍ଥଳମାନଙ୍କରେ ସ୍ୱାଧୀନ ବା କରଶୂନ୍ୟ ବାଣିଜ୍ୟ ଚଳାଇବାର ଅଧିକାର ପାଇଲେ । ବ୍ରୁଟନଙ୍କ ବର୍ଣ୍ଣନାରୁ ଜଣାଯାଏ (*) ଯେ ଯଦିଓ ବାରବାଟୀ ମଧ୍ୟରେ ଏଡ଼େ ବିଶାଳ ବା ସୁଖଚିତ ପ୍ରାସାଦ ଥିଲା, ତଥାପି ନବାବ ନିଜେ ତହିଁ ମଧ୍ୟରେ ବାସ ନ କରି ଗୋଟିଏ ସ୍ୱତନ୍ତ୍ର ତମ୍ବୁ ମଧ୍ୟରେ ଆପଣାର ବିଶ୍ୱାସୀ ରକ୍ଷକମାନଙ୍କ ସହିତ ରାତ୍ର ଯାପନ କରିଥିଲେ । କାରଣ ଅନ୍ୟ ରାଜା ଆପଣାର ଯଶ ନିମନ୍ତେ ଯାହା ନିର୍ମାଣ କରିଥିଲେ, ତହିଁରେ ସେ ବାସ କରିବାକୁ ଘୃଣା କରୁଥିଲେ । ସୁତରାଂ ସେ ନିଜେ ଆପଣାର ଯଶ ନିମନ୍ତେ ଗୋଟିଏ ପ୍ରାସାଦ ନିର୍ମାଣ କରୁଥିଲେ । କେଉଁ ସ୍ଥାନରେ ସେ ପ୍ରାସାଦ ନିର୍ମାଣ କରୁଥିଲେ, ବର୍ତ୍ତମାନ ତାହା ସ୍ଥିର କରି ହୁଏ ନାହିଁ ।

 

*

Early Annals of the English in Bengal;-C.R. Wilson, Vo1, I, pp 3-6.

+

ସେତେବେଳେ ଓଡ଼ିଶାର ନବାବ କିଏ ଥିଲେ ବ୍ରୁଟନଙ୍କ ପତ୍ରରୁ ଜଣାଯାଏ ନାହିଁ । ପରନ୍ତୁ, ମୁସଲମାନ ଇତିହାସ ଲେଖକମାନଙ୍କ ଲେଖାରୁ ଜଣାପଡ଼େ ସାହାଜାହାନଙ୍କ ସିଂହାସନାରୋହଣ ସଙ୍ଗେ ବାକରଖାଁ ଓଡ଼ଶାର ନବାବ ହେଲେ । କିନ୍ତୁ ଇଂରେଜ ବଣିକମାନଙ୍କ ଲେଖାରୁ ଜଣାଯାଏ, ବାକରଖାଁଙ୍କ ପରେ ଆଗାମହମ୍ମଦ ଜମାନ ୧୬୩୧-୩୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ନବାବ ହେଲେ । ୧୬୩୪-୩୫ରେ ତାହାଙ୍କ ପରେ ମୁତାକୁଦିଖାଁ ନବାବ ହୋଇଥିଲେ । ଉଇଲସନ ପ୍ରମାଣ କରନ୍ତି, (Vo1. I p8) ଆଗାମହମ୍ମଦ ଦୁଇଥର ନବାବ ହୋଇଥିଲେ ।

*

C.R Wilson-Vo1.I.p 13

 

୧୭୨୫ ଖ୍ରୀଷ୍ଟାବ୍ଦରେ ମହମ୍ମଦ ତାକିଖାଁ ଓଡ଼ିଶାର ଶାସନକର୍ତ୍ତା ଥିଲେ । ତାହାଙ୍କ ସମୟରେ ଖୋରଧା ରାଜା ରାମଚନ୍ଦ୍ରଦେବ ତାହାଙ୍କ ସଙ୍ଗେ ବିଦ୍ରୋହାଚରଣ କରନ୍ତେ ପରାସ୍ତ ହୋଇ ବାରବାଟୀ ଦୁର୍ଗ ମଧ୍ୟରେ ବନ୍ଦୀ ହେଲେ; ଏବଂ ଯେଉଁ ନବତଳ ପ୍ରାସାଦ ସେ ସ୍ୱାଧୀନ ଭାବରେ ଉପଭୋଗ କରିଥାନ୍ତେ, ସେହି ସୁରମ୍ୟ ପ୍ରାସାଦ ତାହାଙ୍କ ପ୍ରତି ହିଂସ୍ରସଂକୁଳ ଅରଣ୍ୟ ପ୍ରାୟ ବୋଧ ହେଲା । ୧୭୪୦ ଖ୍ରୀଷ୍ଟାବ୍ଦରେ ବଙ୍ଗ ନବାବ ଆଲିବର୍ଦ୍ଦିଖାଁ ମୁର୍ଷିଦକୁଲଖାଁଙ୍କୁ ବାଲେଶ୍ୱର ନିକଟରେ ପରାସ୍ତ କରି ବାରବାଟୀ ଦୁର୍ଗ ଅଧିକାର କଲେ; ଏବଂ ସ୍ୱୀୟ ଭ୍ରାତୁଷ୍ପୁତ୍ର ସୟଦ ଅହମ୍ମଦଙ୍କୁ ଓଡ଼ିଶାର ଶାସନ କାର୍ଯ୍ୟରେ ନିଯୁକ୍ତ କଲେ । ଅହମ୍ମଦ ଅତ୍ୟନ୍ତ ପ୍ରଜାପୀଡ଼କ ଥିଲେ । ତାହାଙ୍କର ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଓଡ଼ିଶାର ସ୍ୱାଧୀନତା କିୟତ୍ ଦିବସ ନିମନ୍ତେ ପୁନର୍ଜାଗ୍ରତ ହେଲା । ଓଡ଼ିଆମାନଙ୍କର ସହଜ ସମରଲିପ୍‍ସା ଉତ୍ତେଜିତ ହେଲା । ସେମାନେ ଭୀମ ବିକ୍ରମରେ ବାରବାଟୀ ଆକ୍ରମଣ କରି ଅହମ୍ମଦଙ୍କୁ ତହିଁରେ ବନ୍ଦୀ କଲେ । ପରେ ବଖୀରଖାଁ ନାମକ ଜଣେ ସୈନ୍ୟାଧ୍ୟକ୍ଷ ଓଡ଼ିଶା ଅଧିକାର କରିବାରୁ ଆଲିବର୍ଦ୍ଦିଖାଁ ତାହାଙ୍କୁ ବାରବାଟୀ ନିକଟବର୍ତ୍ତୀ ମହାନଦୀ କୂଳରେ ପରାସ୍ତ କରି ସଏଦ ଅହମ୍ମଦଙ୍କୁ ଉଦ୍ଧାର କଲେ; ଏବଂ ମହମ୍ମଦ ମସୁମଖାଁଙ୍କୁ ଓଡ଼ିଶାର ଶାସନକର୍ତ୍ତା ପଦରେ ନିଯୁକ୍ତ କଲେ ।

 

୧୭୪୧ ଖ୍ରୀଷ୍ଟାବ୍ଦରେ ଭାସ୍କର ପଣ୍ଡିତଙ୍କ ଅଧିନରେ ମରହଟ୍ଟାମାନେ ବାରବାଟୀ ଆକ୍ରମଣ କଲେ । ଯୁଦ୍ଧରେ ମସୁମ ନିହତ ହେଲେ । ପରିଶେଷରେ ପଣ୍ଡିତ ନିଜେ ସସୈନ୍ୟରେ ଦୂରୀଭୂତ ହେଲେ । ୧୭୪୫ ଖ୍ରୀଷ୍ଟାବ୍ଦରେ ରଘୁଜୀ ଭୋଁସଲା ଏହି ଦୁର୍ଗ ହସ୍ତଗତ କଲେ । ମାତ୍ର ୧୭୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମରହଟ୍ଟାମାନେ ସ୍ଥାୟୀ ଭାବରେ ଓଡ଼ିଶା ଅଧିକାର କରି ପାରି ନ ଥିଲେ-। ୧୭୫୦ ଖ୍ରୀଷ୍ଟାବ୍ଦରେ ରଘୁଜୀଙ୍କ ପୁତ୍ର ହାନୋଜୀ ବାରବାଟୀର ସୁରକ୍ଷଣ ନିମନ୍ତେ ଏକଦଳ ସୈନ୍ୟ ରଖାଇ ନାଗପୁର ପ୍ରସ୍ଥାନ କଲେ । ଆଲିବର୍ଦ୍ଦି ମରହଟ୍ଟାମାନଙ୍କୁ ଦୂର କରିବାର ଚେଷ୍ଟା କରି ପରିଶେଷରେ ପରାସ୍ତ ହୋଇ ପଳାୟନ କଲେ । ଏହିରୂପେ ବାରବାଟୀ ମରହଟ୍ଟାମାନଙ୍କର ରାଜଧାନୀ ହେଲା । ଅର୍ଦ୍ଧଶତାବ୍ଦୀବ୍ୟାପୀ ମରହଟ୍ଟା ରାଜତ୍ୱ ପରେ ୧୮୦୩ରେ ବାରବାଟୀ ଦୁର୍ଗ ଇଂରେଜମାନଙ୍କ ଦ୍ୱାରା ବେଷ୍ଟିତ ହେଲା । ଇଂରେଜ ସୈନ୍ୟ ଲାଲବାଗ (ବର୍ତ୍ତମାନ ଯେଉଁଠାରେ କଲେକ୍ଟର କଚେରୀ ଓ ରାଜଭବନ ସ୍ଥାପିତ ହୋଇଅଛି) ବାଟେ ବାରବାଟୀ ଆକ୍ରମଣ କରି ଅଧିକାର କଲେ । ଏହିରୂପେ ବାରବାଚୀ ଦୁର୍ଗ ଓଡ଼ିଶା ଇତିହାସରେ ୬୦୦ ବର୍ଷରୁ ଅଧିକ ସମୟ ଅତି ଉଚ୍ଚ ସ୍ଥାନ ଅଧିକାର କରିଥିଲା । କେତେ ରାଜା, କେତେ ସେନା, ସେନାପତି ବାରବାଟୀ କ୍ଷେତ୍ରରେ ନିଜ ନିଜ ପ୍ରତାପ ଦେଖାଇ ଇହଲୀଳା ସାଙ୍ଗ କଲେ, କିନ୍ତୁ ବାରବାଟୀ କେବଳ “କାଳେ କାଳେ ନଶ୍ୱର ନଗର” କେତେ କେତେ “ଗାରିମାର ଲୀଳା” ଦେଖି ଆସୁଥିଲା ମାତ୍ର ।

•••

 

ଚତୁର୍ଥ ଅଧ୍ୟ୍ୟାୟ

ନବତଳ ପ୍ରାସାଦ

 

ପୂର୍ବରେ କୁହା ଯାଇଅଛି ଯେ ବାରବାଟୀ ଦୁର୍ଗ ମଧ୍ୟରେ ରାଜା ମୁକୁନ୍ଦଦେବ ଗୋଟିଏ ପ୍ରକାଣ୍ଡ ନବତଳ ପ୍ରାସାଦ ନିର୍ମାଣ କରାଇ ତହିଁରେ ବାସ କରୁଥିଲେ; ଏବଂ ସେହି ହେତୁରୁ ବାରବାଟୀକୁ ଇଂରେଜ ବଣିକମାନେ ‘ମାଲକାଣ୍ଡି’ ବୋଲି କହୁଥିଲେ । ଆଶ୍ଟର୍ଯ୍ୟର କଥା ଏହା ଯେ, ପ୍ରାସାଦଟି ଏଡ଼େ ପ୍ରକାଣ୍ଡ ଏବଂ ତାହା ପୁଣି (Grey granite) ଧଳାମୁଗୁନି ପଥରରେ ନିର୍ମିତ ହୋଇଥିଲା* । ଆବୁଲ୍‍ ଫଜଲ୍‍ ଆଲାମୀଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶା ଭ୍ରମଣକାଳରେ ଏହି ଦୁର୍ଗ ସ୍ୱଚକ୍ଷୁରେ ଦେଖି ସ୍ୱପ୍ରଣୀତ ‘ଆଇନ ଆକବରୀ’ ରେ ନିମ୍ମଲିଖିତରୂପେ ଏହାର ବର୍ଣ୍ଣନା କରିଅଛନ୍ତି :–

 

*

C.R. Wilson, Vo1. I, Page 7.

 

ଏହି ବାରବାଟୀ ଦୁର୍ଗ ମଧ୍ୟରେ ରାଜା ମୁକୁନ୍ଦଦେବଙ୍କ ଦ୍ୱାରା ନିର୍ମିତ ଗୋଟିଏ ନବତଳ ପ୍ରାସାଦ ଅଛି । ଏହାର ପ୍ରଥମ ତଳ ହସ୍ତୀ, ଓଟ, ଘୋଟକ ପ୍ରଭୃତି ପାଳିତ ପଶୁମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ଅଛି । ଦ୍ୱିତୀୟ ତଳରେ ଗୋଳାଗୁଳି ଓ ଅନ୍ୟାନ୍ୟ ଯୁଦ୍ଧୋପକରଣ ସଜ୍ଜିତ ଅଛି; ଏହି ତଳ ଦୁର୍ଗରକ୍ଷକ ଓ ଅନ୍ୟାନ୍ୟ ପ୍ରହରୀମାନଙ୍କ ବାସସ୍ଥାନ । ତୃତୀୟ ତଳରେ ଦ୍ୱାରୀ ଓ ଅନ୍ୟାନ୍ୟ ଆଜ୍ଞାବାହକମାନେ ଥାନ୍ତି । ଚତୁର୍ଥ ତଳ ନାନାପ୍ରକାର କୌଶଳସମ୍ପନ୍ନ କାରୁକାରୀଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ-। ପଞ୍ଚମ ତଳରେ ରନ୍ଧନଶାଳା । ନାନା ଭଦ୍ରବ୍ୟକ୍ତି ଓ ଆଗନ୍ତୁକମାନଙ୍କ ସଙ୍ଗେ ଦେଖା ସାକ୍ଷାତ ଓ କଥୋପକଥନ ଓ ରାଜଦରବାର ପ୍ରଭୃତି ନିମନ୍ତେ ଷଷ୍ଠତଳ ବ୍ୟବହୃତ ହୁଏ । ସପ୍ତମ ତଳରେ ରାଜାଙ୍କର ପାରିବାରିକ ଓ ଗୋପନୀୟ କାର୍ଯ୍ୟମାନ ସାଧିତ ହୁଏ । ଅନ୍ତଃପୁର ମହିଳାମାନେ ଅଷ୍ଟମ ତଳରେ ବାସ କରନ୍ତି: ଏବଂ ନବମ ତଳରେ ରାଜାଙ୍କର ଶୟନାଗାର ।

 

ରାଜା ମୁକୁନ୍ଦଦେବଙ୍କର ଏହି ସୁରମ୍ୟ ପ୍ରକାଣ୍ତ ନବତଳ ପ୍ରାସାଦ ସମ୍ବନ୍ଧରେ ଉତ୍କଳ-ପ୍ରତ୍ନତତ୍ତ୍ୱ-ସନ୍ଧିତ୍ସୁ ମାନଙ୍କ ମଧ୍ୟରେ ଘୋର ଆନ୍ଦୋଳନ ଉପସ୍ଥିତ ହୋଇଅଛି । ଡାକ୍ତର ରାଜେନ୍ଦ୍ରଲାଲ ମିତ୍ର ସ୍ୱପ୍ରଣୀତ (Antiquities of Orissa) ନାମକ ଗ୍ରନ୍ଥରେ ଏହାର ସଭ୍ୟତା ସମ୍ବନ୍ଧରେ ସନ୍ଦେହ ପ୍ରକାଶ କରନ୍ତି । ସେ କହନ୍ତି ଆଇନ ଆକବରୀରେ ଯେପରି ବର୍ଣ୍ଣିତ ଅଛି, ଏହି ପ୍ରାସାଦ ସେହିପରି ନବତଳବିଶିଷ୍ଟ ହୋଇ ନ ଥିବ । ଏହା ଗୋଟିଏ ସାଧାରଣ ଗୃହ ହୋଇଥିବ ଏବଂ ଗୃହମାନ ଉପର୍ଯୁପରି ନିର୍ମିତ ନ ହୋଇ ଶ୍ରେଣୀ ଶ୍ରେଣୀ ହୋଇ ହୋଇଥିବ । ଗୋଟିଏ ଶ୍ରେଣୀ ଗୃହ ଓ ତାପରେ ଗୋଟିଏ ପ୍ରାଙ୍ଗଣ ଏବଂ ତତ୍ପରେ ଅନ୍ୟ ଏକ ଶ୍ରେଣୀ ଗୃହ, ଏହି ଭଳି ୯ ଶ୍ରେଣୀ ଗୃହ ସେମାନଙ୍କ ମଧ୍ୟରେ ୮ଟି ପ୍ରାଙ୍ଗଣ ଥାଇ ନିର୍ମିତ ହୋଇଥିବା ବିଶେଷ ସମ୍ଭବ । ଯୁକ୍ତି ଛଳରେ ସେ କହନ୍ତି ଯେ ଉପର୍ଯ୍ୟୁପରି ନବତଳ ପ୍ରାସାଦ ନିର୍ମିତ ହୋଇ ନଥିବ; କାରଣ, ପ୍ରତ୍ୟେକ ତଳ ଯେପରି ବ୍ୟବହୃତ ହେଉଥିଲା ତାହା ଦେଖିଲେ ଏ ଭଳି ପ୍ରାସାଦ ଅସମ୍ଭବ ବୋଧହୁଏ । ଦୃଷ୍ଟାନ୍ତ ସ୍ୱରୂପ ପଞ୍ଚମ ଓ ଷଷ୍ଠ ତଳର ବ୍ୟବହାର ସେ ବିଚାର କରନ୍ତି । ଷଷ୍ଠ ତଳ ଭଦ୍ର ବ୍ୟକ୍ତିଙ୍କ ସଙ୍ଗେ ସମ୍ଭାଷଣ ଓ ଆଗନ୍ତୁକ ଭିନ୍ନଦେଶୀୟ ରାଜସଦସ୍ୟଙ୍କ ଅଭ୍ୟର୍ଥନା ଏବଂ ରାଜଦରବାର ନିମନ୍ତେ ନିୟୋଜିତ ଥିଲା, ଏବଂ ତାହାର ନିମ୍ନରେ ପଞ୍ଚମ ତଳ ରନ୍ଧନଶାଳା ଥିଲା । ରନ୍ଧନଶାଳାର ଧୂମାଦି ଷଷ୍ଠ ତଳରେ ବ୍ୟାପ୍ତ ହେଉଥିବ । ଉତ୍କଳର ଗଜପତି ରାଜା ଏଡ଼େ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଷଷ୍ଠ ତଳରେ କିପରି ସାଦର ସମ୍ଭାଷଣ କରୁଥିଲେ ? ଗୃହଗୁଡ଼ିକ ଶ୍ରେଣୀ ଶ୍ରେଣୀ ହୋଇ ନିର୍ମିତ ହୋଇ ନ ଥିଲେ, ଏ ଭଳି ବନ୍ଦୋବସ୍ତ ବଡ଼ ଅସୁବିଧାଜନକ । ଅତଏବ ସେ କହନ୍ତି, ଏ ପ୍ରାସାଦ ଉପର୍ଯୁପରି ନବତଳବିଶିଷ୍ଟ ହୋଇ ନିର୍ମିତ ହୋଇଥିବା ଅସମ୍ଭବ ।

 

ପ୍ରତ୍ୟକ୍ଷ ଓ ଅନୁମାନ ମଧ୍ୟରେ ଯେ ପ୍ରଭେଦ, ଆବୁଲ୍‍ଫଜଲ୍ ଆଲାମୀ ଓ ରାଜେନ୍ଦ୍ରଲାଲ ମିତ୍ରଙ୍କ ମଧ୍ୟରେ ସେହି ପ୍ରଭେଦ । ଅନୁମାନ ଯେତେ ଯୁକ୍ତିସଙ୍ଗତ ହେଉ ପଛକେ, ପ୍ରତ୍ୟକ୍ଷଠାରୁ କଦାପି ଅଧିକ ସତ୍ୟଜନକ ହୋଇ ନ ପାରେ । ଆବୁଲ୍‍ଫଜଲ୍ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ସ୍ୱଚକ୍ଷୁରେ ବାରବାଟୀ ଦର୍ଶନ କରି ଏହାର ବର୍ଣ୍ଣନା କରିଅଛନ୍ତି । ରାଜେନ୍ଦ୍ରଲାଲ ମିତ୍ର ଖ୍ରୀଷ୍ଟୀୟ ଊନବିଂଶ ଶତାବ୍ଦୀରେ ଅନୁମାନ ରାଜ୍ୟରେ ଭ୍ରମଣ କରି କଳ୍ପନା ମାତ୍ର କରିଅଛନ୍ତି । ଟିକିଏ ବିଚାର କରି ଦେଖି ବସିଲେ, ରାଜେନ୍ଦ୍ରଲାଲ ମିତ୍ରଙ୍କ ଯୁକ୍ତି ବଡ଼ ସମୀଚୀନ ବୋଧହୁଏ ନାହିଁ । ଯଦି ରାଜେନ୍ଦ୍ରଲାଲ ମିତ୍ରଙ୍କ ଅନୁମାନ ଅନୁସାରେ ଗୃହ ଗୁଡ଼ିକ ଏକ ଶାହାଲା ପରେ ଅନ୍ୟ ଏକ ଶାହାଲା ଏବଂ ପ୍ରତି ଦୁଇ ଶାହାଲା ମଧ୍ୟରେ ଗୋଟିଏ ଗୋଟିଏ ପ୍ରାଙ୍ଗଣଏହି ଭଳି ନିର୍ମିତ ହୋଇଥିଲା, ତାହା ହେଲେ ସେହି ଗୃହମାନଙ୍କର ବ୍ୟବହାରର ବନ୍ଦେବସ୍ତ ଆହୁରି ଅଧିକ ଅସୁବିଧାଜନକ ହୋଇଥିବ । ମନେ କରନ୍ତୁ; ଗୃହଗୁଡ଼ିକ ଉତ୍ତର ଦକ୍ଷିଣରେ ନିର୍ମିତ ହୋଇଥିଲା, ଅର୍ଥାତ୍ ପ୍ରଥମ ଶାହାଲାଟି ଉତ୍ତର ବା ଦକ୍ଷିଣକୁ ଏବଂ ନବମ ବା ଶେଷ ଶାହାଲାଟି ଦକ୍ଷିଣ ବା ଉତ୍ତରକୁ ଥିଲା । ଆବୁଲ୍‍ଫଜଲ୍‍ଙ୍କ ବର୍ଣ୍ଣନାରେ ରାଜେନ୍ଦ୍ରଲାଲଙ୍କ ସନ୍ଦେହ ଯେ, ପଞ୍ଚମ ତଳର ରନ୍ଧନଶାଳା ଉପରେ ଷଷ୍ଠ ତଳରେ ଭଦ୍ର ବ୍ୟକ୍ତିମାନଙ୍କ ସଙ୍ଗେ କଥୋପକଥନ ଓ ସେମାନଙ୍କ ଅଭ୍ୟର୍ଥନା ଏବଂ ରାଜଦରବାର କିପରି ହୋଇଥିଲା ? ବର୍ତ୍ତମାନ ରାଜେନ୍ଦ୍ରଲାଲଙ୍କ ଅନୁମାନ ଅନୁସାରେ, ଗୃହଗୁଡ଼ିକ ଧାଡ଼ି ଧାଡ଼ି ହୋଇ ନିର୍ମିତ ହୋଇଥିଲେ, ରାଜା ମୁକୁନ୍ଦଦେବ ଦକ୍ଷିଣ ବା ଉତ୍ତର ଶାହାଲାରେ ଶୟନ କରୁଥିଲେ, କାରଣ ଆବୁଲ୍‍ଫଜଲ୍‍ କହନ୍ତି ରାଜା ନବମ ତଳରେ ଶୟନ କରୁଥିଲେ । ରାଜେନ୍ଦ୍ରଲାଲଙ୍କ ଅନୁମାନ ଅନୁସାରେ, ରାଜା ଗୋଟିଏ ପ୍ରାନ୍ତ ଶାହାଲାରେ ଏବଂ ସମ୍ବାଦବାହକ, ଦ୍ୱାରରକ୍ଷକ ପ୍ରଭୃତି ଗୋଟିଏ ଗୋଟିଏ ଭିତର ଶାହାଲାରେ ଶୟନ କରୁଥିଲେ । ଏହା କିପରି ସମ୍ଭବପର ହୋଇପାରେ ? ଆମ୍ଭେମାନେ ଜାଣୁ, ରାଜାମାନେ ପୂର୍ବେ ନିଜ ନିଜର ନିରାପଦ ବାସ ନିମନ୍ତେ ଅଭେଦ୍ୟପ୍ରାସାଦ ନିର୍ମାଣ କରୁଥିଲେ; ଏବଂ ଶୟନାଗାରର ଚତୁର୍ଦ୍ଦିଗରେ ପ୍ରହରୀ ନିଯୁକ୍ତ ରଖୁଥିଲେ । ଏହିପରି ସ୍ଥଳେ, ବାରବାଟୀରେ ରାଜା ମୁକୁନ୍ଦଦେବ ନିଜେ ଗୋଟିଏ ପ୍ରାନ୍ତଭାଗ ସମ୍ଭବପର ହୋଇ ନ ପାରେ । ବରଂ ଆବୁଲ୍‍ଫଜଲ୍‍ଙ୍କ ବର୍ଣ୍ଣନାନୁସାରେ ରାଜା ସର୍ବୋଚ୍ଚ ତଳରେ ଶୟନ କରିବା ଅଧିକ ବିଶ୍ୱାସଯୋଗ୍ୟ ।

 

କେହି କେହି କହି ପାରନ୍ତି, ଯେତେବେଳେ ଗୃହଟି ବାରବାଟୀ ପରି ଗୋଟିଏ ଅଭେଦ୍ୟ ଦୁର୍ଗ ମଧ୍ୟରେ ଥିଲା, ରାଜା ଯେ କୌଣସି ଶାହାଲାରେ ଶୟନ କଲେ ମଧ୍ୟ ଆପଦଶୂନ୍ୟ ଥିଲେ । କିନ୍ତୁ ପ୍ରଶ୍ନ ଏହି ଯେ ଦୁର୍ଗ ଯେତେ ଅଭେଦ୍ୟ ଓ ନିରାପଦ ହେଉ ପଛକେ, ଗୃହ ଭିତରେ ଶାହାଲାମାନ ପ୍ରାନ୍ତ ଦୁଇ ଶାହାଲାଠାରୁ ଅପେକ୍ଷାକୃତ ଅଧିକ ନିରାପଦ ଥିଲା, ସନ୍ଦେହ ନାହିଁ । ଏପରି ସ୍ଥଳେ ରାଜା ପ୍ରହରୀ ଆଜ୍ଞା—ବାହକାଦି ଅଧସ୍ତନ କର୍ମଚାରୀମାନଙ୍କୁ ଭିତର ଶାହାଲାମାନଙ୍କରେ ରଖାଇ ନିଜେ କାହିଁକି ଗୋଟିଏ ପ୍ରାନ୍ତ ଶାହାଲାରେ ଶୟନ କରୁଥିଲେ ? ସେ ନିଜେ ତ ଭିତରସ୍ଥ କୌଣସି ଗୃହରେ ଅଧିକ ନିଶ୍ଚନ୍ତରେ ଶୟନ କରୁଥାନ୍ତେ । କେଉଁ ଉଦ୍ଦେଶ୍ୟରେ ଭିତର ଗୃହମାନଙ୍କରେ ସେମାନଙ୍କୁ ରଖାଇ ଘୋଡ଼ା, ହାତୀ, ଓଟ ପ୍ରଭୃତି ପଶୁମାନଙ୍କ ସଙ୍ଗେ ସମାନ ହୋଇ ଏକ ପ୍ରାନ୍ତରେ ରହିବାକୁ ଶ୍ରେୟ ମଣିଥିଲେ ? ପୁନଶ୍ଚ, ଗୃହଟିର ଏକପ୍ରାନ୍ତରେ ଶୟନ କକ୍ଷ ନିର୍ଦ୍ଦିଷ୍ଟ କରି, ମଧ୍ୟରେ ଗୋଟିଏ ଶାହାଲାରେ ରାଜସଭା କରାଇବା ଓ ଭଦ୍ରବ୍ୟକ୍ତିମାନଙ୍କ ସଙ୍ଗେ ସମ୍ଭାଷଣ କରିବା ଆହୁରି ଅସମ୍ଭବ । ରାଜସଭା ନିମନ୍ତେ ପ୍ରାନ୍ତରେ କୌଣସି ଶାହାଲା ଅଧିକ ସ୍ୱାଚ୍ଛନ୍ଦ୍ୟରେ ନିୟୋଜିତ କରି ପାରିଥାନ୍ତେ । କି ସୁବିଧା ଓ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ରନ୍ଧନଶାଳାର ପାଖ ଶାହାଲାରେ ରାଜ ଦରବାର କରିବାର ଶ୍ରେୟ ମଣିଥିଲେ ? ବରଂ ଉପର୍ଯ୍ୟୁପରି ନିର୍ମିତ ନବତଳ ପ୍ରାସାଦରେ ଏହି ବନ୍ଦୋବସ୍ତର ବିଶେଷ ସୁବିଧା । କାରଣ ସପ୍ତମ ଅଷ୍ଟମ ଓ ନବମ ତଳ ଆହୁରି ଉପରକୁ ରହି ସାଧାରଣଙ୍କର ଅଗମ୍ୟ ହୋଇଥିଲା । ରନ୍ଧନ ଶାହାଲାରୁ ଧୂମାଦି ବହିଃକରଣ କରି ତାହାର ଉପର ତଳରୁ ତଦ୍‍ଜନିତ ଅସୁବିଧା ଦୂର କରିବା ବିଶେଷ ସହଜ; ସୁତରାଂ ଆମ୍ଭମାନଙ୍କର ବିଶ୍ୱାସ ଯେ ଆବୁଲ୍‍ଫଜଲ୍‍ଙ୍କ ବର୍ଣ୍ଣିତ ପ୍ରାସାଦ ରାଜା ମୁକୁନ୍ଦଦେବଙ୍କଦ୍ୱାରା ଉପର୍ଯ୍ୟୁପରି ନବତଳବିଶିଷ୍ଟ ହୋଇ ନିର୍ମିତ ହୋଇଥିବା ସତ୍ୟ ।

 

ଦ୍ୱିତୀୟତଃ, ରାଜେନ୍ଦ୍ରଲାଲ ମିତ୍ର କହନ୍ତି ଯେ ଆବୁଲ୍‍ଫଜଲ୍ ଆଲାମୀ ସ୍ୱପ୍ରଣୀତ ଆଇନୀ ଆକବରୀରେ ରାଜା ମୁକୁନ୍ଦଦେବଙ୍କ ପ୍ରାସାଦକୁ “ଆସିଆନା” ବୋଲି କହିଛନ୍ତି । ଆସିଆନା ପାରସିକ ଶବ୍ଦ, ଏବଂ ଏହାର ପ୍ରକୃତ ଅର୍ଥ ‘ଚଟୀଘର’ । ଏହି ଆସିଆନାକୁ ନବତଳ ପ୍ରାସାଦ କରି ଅନୁବାଦ କରିବା ଫ୍ରାନସିସ୍ ଗ୍ଳାଡ୍‍ଉଇନଙ୍କର, ଦୋଷ* ଏବଂ ତାହାଙ୍କ ଅନୁବାଦ ଉପରେ ନିର୍ଭର କରି ପରବର୍ତ୍ତୀ ଲେଖକମାନେ ଏହି ବିଷନ ଭ୍ରମରେ ପଡ଼ିଅଛନ୍ତି । କିନ୍ତୁ ବସ୍ତୁତଃ, ଏଡ଼େ ପ୍ରକାଣ୍ତ ନବତଳବିଶିଷ୍ଟ ପ୍ରାସାଦ ରାଜା ମୁକୁନ୍ଦଦେବଙ୍କ ଦ୍ୱାରା ନିର୍ମିତ ହୋଇ ନ ଥିଲା, ଏହା ଗୋଟିଏ “ଆସିଆନା” ଥିଲା ।

 

*

ବଙ୍ଗୀୟ ଆସିୟାଟିକ ସୋସାଇଟୀ ସ୍ଥାପନର ପ୍ରଥମାବସ୍ଥାରେ (ଅର୍ଥାତ୍‍, ଉଆରେନ ହେଷ୍ଟିଂସଙ୍କ ଶାସନ କାଳରେ) ଫ୍ରାନସିସ ଗ୍ଳାଡଉଇନ ଏହାର ଆଦ୍ୟ ସଭ୍ୟ ଥିଲେ । ସେ ଭାରତ ଗଭର୍ଣ୍ଣମେଣ୍ଟଙ୍କ ତତ୍ତ୍ୱାବଧାନରେ ପ୍ରଥମେ ଆଇନୀ ଆକବରୀକୁ ଇଂରେଜୀରେ ଅନୁବାଦ କରିଥିଲେ । ବ୍ଳକମାନ ଓ ଜାରେଟ ତାହାଙ୍କ ପରେ ପୁନରେୟ ଏହା ଅନୁବାଦ କରିଥିଲେ ।

 

ପୂର୍ବପରି ରାଜେନ୍ଦ୍ରଲାଲ ମିତ୍ରଙ୍କର ଏହି ଯୁକ୍ତି ମଧ୍ୟ ଅସିଦ୍ଧ । କାରଣ ପ୍ରଥମତଃ, ବାରବାଟୀ ପରି ଏଡ଼େ ପ୍ରକାଣ୍ତ ଦୁର୍ଭେଦ୍ୟ ଦୁର୍ଗ ମଧ୍ୟରେ ଉତ୍କଳର ଗଜପତି ମୁକୁନ୍ଦଦେବ କେତୋଟି ଚଟୀଘର ନିର୍ମାଣ କରାଇଥିବା ସମ୍ଭବପର ନୁହେଁ । ଆସିଆନାର ଆକ୍ଷରିକ ଅର୍ଥ ‘ଚଟୀଘର’, ବା ପାନ୍ଥନିବାସ, ଯାହା ଦୀର୍ଘ ରାସ୍ତାମାନଙ୍କରେ ମଧ୍ୟେ ମଧ୍ୟେ ଥାଏ । ରାଜା ମୁକୁନ୍ଦଦେବ ବାରବାଟୀ ଦୁର୍ଗ ମଧ୍ୟରେ କି ସୁଖ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ସାମାନ୍ୟ ଚଟୀଘର ନିର୍ମାଣ କରାଇ ତହିଁରେ ବାସ କରନ୍ତେ ? ଗୃହଟି ନିଶ୍ଚୟ ବାରବାଟୀ ପରି ଦୁର୍ଗ ମଧ୍ୟରେ ରହିବାର ଉପଯୁକ୍ତ ହୋଇଥିବ ।

 

ଦ୍ୱିତୀୟତଃ ଆବୁଲ୍‍ଫଜଲ୍ ନିଜେ ସ୍ୱଚକ୍ଷୁରେ ବାରବାଟୀ ଦେଖିଥିଲେ । ସେ ଦିଲ୍ଲୀର ବାଦସାହ ଆକବରଙ୍କର ମନ୍ତ୍ରୀ ଓ ତାହାଙ୍କ ସାମାଜ୍ୟର ପରିବ୍ରାଜକ ଥିଲେ । କେବଳ ଉତ୍କଳ କାହିଁକି ଭାରତର ଅନ୍ୟାନ୍ୟ କେତେ ରାଜଧାନୀ ସେ ପର୍ଯ୍ୟଟନ କରିଥିଲେ । ଯଦି ବାରବାଟୀର ଅଟ୍ଟାଳିକାଟି ସାମାନ୍ୟ ଆସିଆନା ଅର୍ଥାତ୍ ଚଟୀଘର ହୋଇଥାନ୍ତା, ତାହାହେଲେ ସେ କେଉଁ ଉଦ୍ଦେଶ୍ୟରେ ନିଜର ବହୁମୂଲ୍ୟ ଇତିହାସରେ ଏହାର ସବିଶେଷ ବର୍ଣ୍ଣନା ଦିଅନ୍ତେ ? କାରଣ କୌଣସି ପରିବ୍ରାଜକ ଏଡ଼େ ସାମାନ୍ୟ ବସ୍ତୁ ଘେନି ବର୍ଣ୍ଣନା କରିବାର ସମ୍ଭବପର ନୁହେଁ । ରାଜା ମୁକୁନ୍ଦଦେବଙ୍କ ପ୍ରାସାଦ ନିଶ୍ଚୟ ପ୍ରକାଣ୍ଡ ଓ ସୁରମ୍ୟ ହୋଇଥିବାରୁ ଆବୁଲ୍‍ଫଜଲ୍‍ଙ୍କ ଭଳି ଇତିହାସ ଲେଖକଙ୍କର ମନୋରାଜ୍ୟରେ ଏଡ଼େ ବିସ୍ମୟ ଉତ୍ପାଦନ କରିଥିଲା ଯେ, ସେ ସ୍ୱପ୍ରଣୀତ ଆଇନୀ ଆକବରୀ ରୂପ ବହୁମୂଲ୍ୟ ଗ୍ରନ୍ଥରେ ଏହାର ସବିଶେଷ ବିବରଣ ଲିପିବଦ୍ଧ କରିଥିଲେ ।

 

ତୃତୀୟତଃ, ରାଜେନ୍ଦ୍ରଲାଲ ମିତ୍ରଙ୍କ ମତନୁସାରେ ଯଦି ରାଜା ମୁକୁନ୍ଦଦେବଙ୍କ ଅଟ୍ଟାଳିକା ନବତଳ-ବିଶିଷ୍ଟ ନ ହୋଇ, ନଅ ଶାହାଲାରେ ବିଭକ୍ତ ହୋଇଥିବ, ତାହାହେଲେ ମଧ୍ୟ ସେ ଗୃହକୁ କଦାପି ପାରସୀରେ “ଆସିଆନା” ବୋଲ କୁହାଯାଇ ନ ପାରେ । କାରଣ, ନଅ ଶାହାଲା ବିଶିଷ୍ଟ ଗୃହ, ପ୍ରତି ଦୁଇ ଶାହାଲା ମଧ୍ୟରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ—ଏହି ଭଳି ଗୃହ କଦାପି ସାମାନ୍ୟ ଚଟୀଘର ବୋଲି ନିର୍ଣ୍ଣୀତ ହୋଇ ନ ପାରେ ।

 

ଚତୁର୍ଥତଃ, ଉତ୍କଳର କେଉଁ ଯୁଗରେ ଏହି ଅଟ୍ଟାଳିକା ନିର୍ମିତ ହୋଇଥିଲା, ସେହି ଯୁଗ ପ୍ରତି ଦୃଷ୍ଟି ଦେଲେ ବାରବାଟୀ ଦୁର୍ଗ ମଧ୍ୟରେ ସାମାନ୍ୟ ଗୋଟିଏ ଆସିଆନା ରାଜା ମୁକୁନ୍ଦଦେବଙ୍କ ଦ୍ୱାରା ନିର୍ମିତ ହୋଇଥିବା କଦାପି ସମ୍ଭବପର ହୋଇ ନ ପାରେ । ପ୍ରତ୍ୟେକ ଗଠନ କାର୍ଯ୍ୟରେ ସେତେବେଳେ ଓଡ଼ିଆଙ୍କର ଲକ୍ଷ୍ୟ ଥିଲା, ଗଠିତ ଜିନିଷଟି କିପରି ସୁନ୍ଦର ଓ ବୃହତ୍ ହେବ । ଓଡ଼ିଶାର ପ୍ରତ୍ୟେକ ଦେବମନ୍ଦିର, ସେତୁ ପ୍ରଭୃତି ସେହି ନୀତିରେ ଗଠିତ ହୋଇଥିବାର ପ୍ରମାଣ ମିଳେ । କାର୍ଯ୍ୟଟି ବୃହତ୍, ସୁନ୍ଦର ଓ ସ୍ଥାୟୀ ହେବା ପ୍ରତ୍ୟେକ ଗଠନ କାର୍ଯ୍ୟରେ ନୀତି ଥିଲା । ତେଣୁ ଆଚାର୍ଯ୍ୟ ହେବାର Heber ଯଥାର୍ଥତଃ କହନ୍ତି, “The Indians built like Titans and finished like Jewellers” ଅର୍ଥାତ୍ ଗ୍ରୀସୀୟ ପୁରାଣରେ ବର୍ଣ୍ଣିତ ରାକ୍ଷସପ୍ରକୃତି ଟାଇଟାନମାନେ ଈଶ୍ୱର ନିର୍ଦ୍ଧିଷ୍ଟ ପଥରେ ସ୍ୱର୍ଗକୁ ଯିବା ହେୟ ଜ୍ଞାନ କରି ପର୍ବତ ଉପରେ ପର୍ବତ ରଖି ସ୍ୱର୍ଗଗମନ ନିମନ୍ତେ ଯେପରି ପ୍ରକାଣ୍ତ ସ୍ତୂପ ନିର୍ମାଣ କରୁଥିଲେ, ଏବଂ ସ୍ୱର୍ଣ୍ଣକାର ଯେପରି ଅଳଙ୍କାରଟି ନାନା ତାରକସି କାମରେ ସଜ୍ଜିତ କରେ, ଭାରତୀୟ ଜାତି ଏଡ଼େ ଏଡ଼େ ସୁବୃହତ୍ ଦେବାଳୟାଦି ସେହିପରି ସୂକ୍ଷ୍ମ କାରୁକାର୍ଯ୍ୟରେ ଅଳଂକୃତ କରୁଥିଲେ । ଆଚାର୍ଯ୍ୟ ହେବାର ଭାରତୀୟମାନଙ୍କ ସମ୍ବନ୍ଧରେ ମେଉଁ ମତ ଦେଇଅଛନ୍ତି, ଓଡ଼ିଆମାନଙ୍କ ପ୍ରତି ତାହାହିଁ ପ୍ରଯୁଜ୍ୟ । କାରଣ ଭାରତୀୟ ଶିଳ୍ପର ଇତିହାସରେ ଓଡ଼ିଆ ଅତି ଉଚ୍ଚ ସ୍ଥାନ ଅଧିକାର କରିଥିଲେ; ଏବଂ ଭାରତୀୟ ଶିଳ୍ପର ଚରମୋନ୍ନତି ଓଡ଼ିଆଙ୍କ ଦ୍ୱାରା କୋଣାର୍କରେ ପ୍ରଦର୍ଶିତ । ଅର୍ଥ ପ୍ରତି ଆଦୌ ଦୃଷ୍ଟି ନ ଦେଇ ଓଡ଼ିଆ ରାଜାମାନେ ଅକ୍ଷୟ ଯଶଃ ସ୍ଥାପନ ନିମନ୍ତେ ବିଶେଷ ତତ୍ପର ଥିଲେ । ସୁତରାଂ ସେମାନେ ଜିନିଷଟାକୁ ଯେତେ ବୃହତ୍ ଓ କାରୁକାର୍ଯ୍ୟରେ ଯେତେ ଅଳଂକୃତ କରି ପାରନ୍ତି, ତାହା କରିବାରେ ଲେଶମାତ୍ର ତ୍ରୁଟି କରୁ ନ ଥିଲେ । ପୁରୀ ଭୁବନେଶ୍ୱର ଓ କୋଣାର୍କ ମନ୍ଦିର ଓ ପୁରୀର ଅଠରନଳା ଏହି ନୀତିରେ ଗଠିତ ହୋଇଥିବାର ଜଣାଯାଏ । ରାଜା ମୁକୁନ୍ଦଦେବଙ୍କ ପୂର୍ବପୁରୁଷମାନେ ଯେତେବେଳେ ଏଡ଼େ ଏଡ଼େ ବୃହତ୍ ଓ ସୁନ୍ଦର କାର୍ଯ୍ୟମାନ କରି ଅକ୍ଷୟ ଯଶଃ ଲାଭ କରିଥିଲେ, ସେ ନିଜେ ବାରବାଟୀ ଦୁର୍ଗ ମଧ୍ୟରେ ଗୋଟିଏ ପ୍ରକାଣ୍ଡ ଓ ସୁଖଚିତ ଅଟ୍ଟାଳିକା ନିର୍ମାଣ କରାଇଥିବା ବିଶେଷ ସମ୍ଭବ । ସାମାନ୍ୟ ‘ଆସିଆନା’ ନିର୍ମାଣ କରି ସେ କି ଯଶଃ ଲାଭ କରନ୍ତେ ? ଯହିଁରେ ଯଶଃ ନାହିଁ, କି ବାସ କରିବାର ସୁଖ ସ୍ୱାଚ୍ଛନ୍ଦ୍ୟ ନାହିଁ, ଏ ଭଳି ଗୃହ ବାରବାଟୀ ଦୁର୍ଗ ମଧ୍ୟରେ ରାଜା ମୁକୁନ୍ଦଦେବଙ୍କ ଦ୍ୱାରା ନିର୍ମିତ ହେବା କଦାପି ସ୍ୱପ୍ନରେ ସୁଦ୍ଧା ସମ୍ଭାବନା କରାଯାଇ ନ ପାରେ ।

 

ବର୍ତ୍ତମାନ ପ୍ରଶ୍ନ ହୋଇପାରେ ରାଜା ମୁକୁନ୍ଦଦେବଙ୍କର ଏଡ଼େ ବୃହତ୍ ପ୍ରାସାଦକୁ ଆବୁଲ୍‍ପଜଲ୍‍ ‘ଆସିଆନା’ ବୋଲି ଲେଖିଲେ କିପରି ? ଉତ୍ତର ସ୍ଥଳରେ ଆମ୍ଭେମାନେ ଏତିକି ମାତ୍ର କହିପାରୁ—ବର୍ତ୍ତମାନ ଯୁଗରେ ମଧ୍ୟ ଅନେକ ତ୍ରୋଡ଼ପତି ସୁବୃହତ୍ ଓ ସୁରମ୍ୟ ପ୍ରାସାଦମାନ ନିର୍ମାଣ କରାଇ ତାହାକୁ Peace Cottage ବା “ଶାନ୍ତି କୁଟୀର” ପ୍ରଭୃତି ଆଖ୍ୟା ଦେଇଥାନ୍ତି । କଲିକତାର ପରେଶନାଥ ପରି ସୁନ୍ଦର ଓ ବହୁମୂଲ୍ୟ ମନ୍ଦିର ଓ ତାହାର ପ୍ରାଙ୍ଗଣ, ରାୟ ବଦ୍ରିଦାସ ବାହାଦୂରଙ୍କ “Pleasure garden” ଅର୍ଥାତ୍ ପ୍ରମୋଦୋଦ୍ୟାନ ବୋଲି କଥିତ ହୁଏ । ଏହା ବୋଲି ସେହି ପ୍ରାସାଦମାନଙ୍କୁ ଗୋଟିଏ ଗୋଟିଏ କୁଡ଼ିଆ ଘର ଏବଂ ପରେଶନାଥକୁ ଗୋଟିଏ ସାମାନ୍ୟ ବଗିଚା ବୋଲି ବିଚାରିବା ଭ୍ରମ । ଏହି ପ୍ରସଙ୍ଗରେ ଆଖ୍ୟାୟିକା ମନେ ପଡ଼େ । ସୌରୀନ୍ଦ୍ରନାଥ ମୁଖୋପାଧ୍ୟାୟଙ୍କ ‘ଦରିଆ’ରେ* ବର୍ଣ୍ଣିତ ଅଛି, ସେଲମ୍ ଓସମାନ୍ ଆଲଙ୍କ କନ୍ୟା ଦରିଆର ବିବାହ ନିମନ୍ତେ ଓସମାନ ଆଲିଙ୍କ ଗୃହାଭିମୁଖରେ ଯାତ୍ରା କରୁଥିଲା । ପଥଭ୍ରଷ୍ଟ ହୋଇ ସେ ଦଳେ ମଦୁଆଙ୍କୁ ପଚାରି ଉତ୍ତର ପାଇଲା;—‘ଅମୁକ ସ୍ଥାନରେ ଯେଉଁ କୁଟୀର ଗୃହଟି ଅଛି ତାହା ତୁମ୍ଭ ଳକ୍ଷ୍ୟସ୍ଥଳ’ । ସେଲିମ୍‍ ସେମାନଙ୍କ କଥାରେ ଏତେ ଭାସି ଯାଇଥିଲେ ଯେ ଶ୍ୱଶୁରଙ୍କର ସୁରମ୍ୟ ପ୍ରାସାଦରେ ରହି ସୁଦ୍ଧା, ତାହାଙ୍କ ସଙ୍ଗେ କଳହ କରିବାକୁ ଲାଗିଲେ—‘କିପାଇଁ ସେ ତାହାକୁ ଏତେଦିନ ଯାଏ ସାମାନ୍ୟ କୁଟୀର ଗୃହ ମଧ୍ୟରେ ଆବଦ୍ଧ କରି ରଖିଥିଲେ’ । ସେ ଗୃହଟି ଗୋଟିଏ ସୁରମ୍ୟ ବୃହତ୍ ପ୍ରାସାଦ ବୋଲି ଶ୍ୱଶୁର ଯେତେ ବୁଝାଇଲେ ସୁଦ୍ଧା, ସେଲିମ୍‍ ସର୍ବଦା କହେ–“ଆମ୍ଭେ ତ ପଥମଧ୍ୟରେ ଶୁଣିଅଛୁଁ ଏହା ଗୋଟିଏ କୁଟୀର । ଏହା ସୁରମ୍ୟ ପ୍ରାସାଦ ହେଲା କିପରି ?” ସେହିପରି ରାଜା ମୁକୁନ୍ଦଦେବଙ୍କ ଧଳାମୁଗୁନିପଥର ନିର୍ମିତ ନବତଳ ପ୍ରାସାଦକୁ ଆବୁଲ୍‍ଫଜଲ୍ ‘ଆସିଆନା’ ଲେଖିଛନ୍ତି ବୋଲି ତାହାକୁ ‘ଆସିଆନା’ ବୋଲି ବୁଝିବା, ଏବଂ ତାହାଙ୍କ ଲିଖିତ ପ୍ରାସାଦଟିର ବର୍ଣ୍ଣନା ପ୍ରତି ଆଦୌ ଦୃଷ୍ଟି ନ ଦେବା, ସୌରୀନ୍ଦ୍ର ବାବୁଙ୍କର ସେଲିମ୍‍ର କାର୍ଯ୍ୟ, କୌଣସି ଇତିହାସ-ଲେଖକ ବା ପଣ୍ଡିତର କାର୍ଯ୍ୟ ନୁହେ । ମୁକୁନ୍ଦଦେବ ନବତଳ ପ୍ରାସାଦ ନିର୍ମାଣ କରାଇ ତାହାର ହୁଏତ ଏଭଳି କିଛି ନାମ ଦେଇଥିବ, ଯାହାକୁ ଆବୁଲ୍‍ଫଜଲ୍ ପାରସୀ ଭାଷାରେ ‘ଆସିଆନା’ କରି ଅନୁବାଦ କରିଥିଲେ । ଏହା ତାହାଙ୍କ କର୍ତ୍ତୃକ ପ୍ରାସାଦଟିର ବର୍ଣ୍ଣନାରୁ ପ୍ରତିପାଦିତ ହୁଏ । ଅତଏବ ଏହା ନିଶ୍ଚୟ ଯେ ରାଜାନ୍ଦ୍ରଲାଲ ମିତ୍ର ବିଶେଷ ଭ୍ରମରେ ପଡ଼ିଅଛନ୍ତି । ନିଜ ଅନୁମାନର ଅସିଦ୍ଧତା ଅନୁଭବ କରି ସେ ପରିଶେଷରେ ମଧ୍ୟ ସନ୍ଦିଗ୍‍ଧ ହୋଇ ଅଛନ୍ତି । ସୁତରାଂ ଆମ୍ଭମାନଙ୍କ ବିଶ୍ୱାସ ଯେ ରାଜା ମୁକୁନ୍ଦଦେବ ଏହି ବାରବାଟୀ ଦୁର୍ଗମଧ୍ୟରେ ଏହି ଧଳାମୁଗୁନି ପଥରରେ ନବତଳ ବିଶିଷ୍ଟ ଗୋଟିଏ ପ୍ରକାଣ୍ଡ ଓ ସୁରମ୍ୟ ପ୍ରାସାଦ ନିର୍ମାଣ କରାଇଥିଲେ ।

 

*

ଦରିଆ Goldsmith ଙ୍କ ‘She Stoops to Conquer’ର ବଙ୍ଗାନୁବାଦ । ଦରିଆ (Miss, Hardcastle,) ସେଲିମ୍‍ (Mr. Marlow)

 

ଫରଗୁସନ୍ ଆବୁଲ୍‍ଫଜଲ୍‍ଙ୍କ ଏହି ‘ଆସିଆନା’ରେ ସାମାନ୍ୟ ବିଚଳିତ ହୋଇଥିଲେ, ଏବଂ ସେ ଲେଖିଅଛନ୍ତି*

 

*

As Orissa, at the period when this was written, was practically a part of Akbar’s Kingdom, there seems little doubt that this description was furnished by some one who knew the place. There are seven stories palaces at Joypur and Bijapur still standing, and which were erected about this date, and one of five stories in Akbar’s own palace at Futtepore Sikri but none so far as I know of nine stories, though I see no reason for doubting the correctness of the description of the one just quoted,- Furguson’s “Indian and Eastern Architecture.”

 

ଆବୁଲ୍‍ଫଜଲ୍ ଯେତେବେଳେ ଏହି ପ୍ରାସାଦ ବର୍ଣ୍ଣନା କରିଥିଲେ ସେତେବେଳେ ଓଡ଼ିଶା ଆକବରଙ୍କ ସାମ୍ରାଜ୍ୟର ଅଂଶ ବିଶେଷ କହିଲେ ଚଳେ । ତେଣୁ ଏହାର ବର୍ଣ୍ଣନାକାରୀ (ଆବୁଲ୍‍ଫଜଲ୍) ସ୍ୱୟଂ ଓଡ଼ିଶା ସହିତ ସୁପରିଚିତ ଥିବେ । ଅଦ୍ୟାପି ସପ୍ତତଳ ପ୍ରାସାଦମାନ ଜୟପୁର ଓ ବିଜାପୁରରେ ବର୍ତ୍ତମାନ ଅଛି, ଏବଂ ସେହି ପ୍ରାସାଦମାନ ଏହି (ମୁକୁନ୍ଦଦେବଙ୍କ) ପ୍ରାସାଦ ନିର୍ମାଣ କାଳରେ ଗଠିତ ହୋଇଥିଲା । ଫତେପୁର ସିକ୍ରିଠାରେ ଆକବରଙ୍କର ନିଜର ଗୋଟିଏ ପଞ୍ଚତଳ ପ୍ରାସାଦ ଅଛି, କିନ୍ତୁ ନବତଳ ପ୍ରାସାଦ ଅନ୍ୟ କୌଣସି ସ୍ଥାନରେ ଥିବାର ମୁଁ ଶୁଣିନାହିଁ । ତଥାପି ବର୍ତ୍ତମାନ ଯେ ବର୍ଣ୍ଣନା ଉଦ୍ଧୃତ ହେଲା (ତାହାଙ୍କ ନିଜ ଗ୍ରନ୍ଥରେ ରାଜା ମୁକୁନ୍ଦଦେବଙ୍କ ନବତଳ ପ୍ରାସାଦର ବର୍ଣ୍ଣନା) ତହିଁରେ ସନ୍ଦେହ କରିବାର କୌଣସି କାରଣ ନାହିଁ ।

 

ଫର୍ଗୁସନ କହନ୍ତି ଯେ ଅନ୍ୟତ୍ର ନବତଳ ପ୍ରାସାଦ ଥିବାର ସେ ଶୁଣିନାହାନ୍ତି; ତେଣୁ ଅମ୍ଭେମାନେ ବିଶ୍ୱାସ କରୁଁ ଯେ ଆବୁଲ୍‍ଫଜଲ୍ ଆକବରଙ୍କ ସାମ୍ରାଜ୍ୟ ଭ୍ରମଣ କରୁ କରୁ ଓଡ଼ିଶାରେ ପ୍ରବେଶ ମାତ୍ରେ ଏହି ନବତଳ ସୁରମ୍ୟ ପ୍ରାସାଦ ତାଙ୍କର ମନୋରାଜ୍ୟରେ ଏକ ଅଭିନବ ଭାବ ଜାଗ୍ରତ କଲା, ଏବଂ ସେ ଏହି ପ୍ରାସାଦର ସବିଶେଷ ବର୍ଣ୍ଣନା ଆନନ୍ଦରେ ନିଜ ଗ୍ରନ୍ଥରେ ଦେଇଥିଲେ-। ଷ୍ଟର୍ଲିଙ୍ଗ୍‍ ଓଡ଼ିଶାରେ ବହୁକାଳ ବାସ କରିଥିଲେ ଏବଂ ବାରବାଟୀ ଦୁର୍ଗ ସେ ବିଶେଷ ତତ୍ୱସନ୍ଧିତ୍ସୁ ଚକ୍ଷୁରେ ଦେଖିଥିଲେ । ସେ କହନ୍ତି, *ଆଇନୀ ଆକବରୀରେ ବର୍ଣ୍ଣିତ ରାଜା ମୁକୁନ୍ଦଦେବଙ୍କ ନବତଳ ପ୍ରାସାଦରେ କୌଣସି ଚିହ୍ନ ବର୍ତ୍ତମାନ ଦୁର୍ଗର ପ୍ରାଚୀର ମଧ୍ୟରେ ଦେଖାଯାଏ ନାହିଁ, କିନ୍ତୁ ନାନା କରୁ କାର୍ଯ୍ୟଖଚିତ କର୍ଣ୍ଣିସ୍ ପ୍ରଭୃତିର ଯେଉଁ ଭଗ୍ନାବଶେଷ ସମୟ ସମୟରେ ଖୋଳା ହୋଇ ବାହାରୁଅଛି, ଏବଂ ବହୁକାଳସ୍ଥାୟୀ ସୁନ୍ଦର କ୍ଳୋରାଇଟ ପ୍ରସ୍ତର ନିର୍ମିତ ଆଲୋକ ଧାରଣ ନିମନ୍ତେ ନାନା ଶାଖାଯୁକ୍ତ ଯେଉଁ ପ୍ରକାଣ୍ଡ ସ୍ତମ୍ଭ ବିଦ୍ୟାମାନ ଅଛି, ତହିଁରୁ ଅନୁମାନ କରାଯାଏ ଯେ ସମ୍ଭବତଃ ସେହି ସମସ୍ତ କୌଣସି ବୃହତ୍ ଓ ସୁରମ୍ୟ ଅଟ୍ଟାଳିକାର ଭଗ୍ନାବଶେଷ ମାତ୍ର ।

 

*

No traces of the famous palace of Raja Mukund Deo nine stories in height mentioned in the Aini Akbari, are to be found within the walls of the fort; but the fragments of sculptured cornices, etc., which have been dug up at different times, and more specilly, a massive candelabra on pillar, furnished with branches for holding lights, formed of the fine indurated chlorite or pot-stone, are probably the remains of some large and splendid edifice.-Stirling.

 

ଆବୁଲ୍‍ଫଜଲ୍‍ଙ୍କ ପ୍ରତ୍ୟକ୍ଷ, ଫର୍ଗୁସନ୍ ଓ ଷ୍ଟିର୍ଲିଙ୍ଗଙ୍କ ଅନୁମାନ ଉପରେ ନିର୍ଭର କରି ଆମ୍ଭେମାନେ ବିଶ୍ୱାସ କରୁଁ ଯେ ରାଜେନ୍ଦ୍ରଲାଲ ମିତ୍ରଙ୍କ ସନ୍ଦେହ ନିତ୍ୟନ୍ତ ଅଯୌକ୍ତିକ, ଏବଂ ଉତ୍କଳ ଗଜପତି ରାଜା ମୁକୁନ୍ଦଦେବ ବାରବାଟୀ ଦୁର୍ଗ ମଧ୍ୟରେ ଗୋଟିଏ ପ୍ରକାଣ୍ତ ଓ ସୁରମ୍ୟ ନବତଳ ପ୍ରାସାଦ ନିର୍ମାଣ କରାଇଥିଲେ । ଆମ୍ଭମାନଙ୍କ ଏହି ବିଶ୍ୱାସ ମଧ୍ୟ ଇଂରେଜ ବଣିକମାନଙ୍କ ସାକ୍ଷଦ୍ୱାରା ପ୍ରମାଣିତ ହୁଏ । ମୁକୁନ୍ଦଦେବଙ୍କ ମୃତ୍ୟୁର ଷାଠିଏ ବର୍ଷପରେ ଇଂରେଜ ବଣିକମାନେ ବାରବାଟୀକୁ ଆସିଥିଲେ, ଏବଂ ମୁକୁନ୍ଦଦେବଙ୍କ ପ୍ରାସାଦ ପ୍ରାୟ ନୂତନ ଅବସ୍ଥାରେ ସେମାନେ ଦେଖିଥିଲେ । ବ୍ରୁଟନଙ୍କ ପତ୍ରରେ ବର୍ଣ୍ଣିତ ଅଛି ଯେ ମୁକୁନ୍ଦଦେବଙ୍କ ପ୍ରାସାଦ, “So large in extent and sc magnificient in structure” ଅର୍ଥାତ୍ ଆକାଶରେ ସୁବିଶାଳ ଏବଂ ଗଠନରେ ସୁମହତ୍ ଓ ସୁରୁଚିର । ଏବଂ ସମସ୍ତ ପ୍ରାସାଦଟି ପୁଣି ଧଳାମୁଗୁନି ପଥରରେ ନିର୍ମିତ । ଏହି ଭଳି ପ୍ରାସାଦ କଦାପି ‘ଆସିଆନା’ ହୋଇ ନ ପାରେ ।

 

‘ଛିଦ୍ରେକ୍ଷ୍ୱନର୍ଥାବହୁଳୀ ଭବନ୍ତି’–ଏହି ଉକ୍ତି ଓଡ଼ିଶା ସମ୍ବନ୍ଧରେ ଯଥାର୍ଥତଃ ପ୍ରମାଣିତ । ଓଡ଼ିଶାର କୌଣସି ନା କୌଣସି ଅନୁଷ୍ଠାନ ବର୍ଣ୍ଣନା କରିବାକୁ ଲେଖକ ନିତାନ୍ତ ଅଳ୍ପ ହୋଇ ନାହାନ୍ତି-। କିଏ କେତେ ଉଦ୍ଦେଶ୍ୟରେ ଓଡ଼ିଶାକୁ ଆସୁଅଛନ୍ତି । ଓଡ଼ିଶାର ଅନୁଷ୍ଠାନ ମାନ ଦେଖି ପ୍ରଲୋଭନ ସମ୍ଭାଳି ନ ପାରି କିଛି ନା କିଛି ସେମାନଙ୍କ ସମ୍ବନ୍ଧରେ ଲେଖି ଯାଉଅଛନ୍ତି । ଲେଖକମାନଙ୍କର ବ୍ୟକ୍ତିଗତ ଅଭିରୁଚି ଅନୁସାର ମତଭେଦ ଓ ଲେଖାର ଅସାମଞ୍ଜସ୍ୟ ଅନିବାର୍ଯ୍ୟ । ସ୍ଥୂଳତଃ ଏହିରୂପ ମତଭେଦ ଓ ଅସଂଯତ ଲେଖାଦ୍ୱାରା ଓଡ଼ିଶାର ଅନୁଷ୍ଠାନମାନଙ୍କର ପ୍ରକୃତ ଇତିହାସ ସତ୍ୟର ଏତେ ଦୂରବର୍ତ୍ତୀ ହୋଇଅଛି ଯେ ତାହା ଅନୁସନ୍ଧାନ କରି ବାହାର କରିବା ଅନେକ ସମୟରେ ବଡ଼ ସହଜ ବ୍ୟାପର ନୁହେ । ମତଭେଦ ହେବାର କଥା—ତାହା ସେତେ ଦୂଷଣୀୟ ହୋଇ ନ ପାରେ । ମାତ୍ର ଲେଖାରେ ଅସଂଯମ କ୍ଷୋଭନୀୟ । କଲିକତା ହାଇକୋଟର ଭୂତପୂର୍ବ ବିଚାରପତି ସ୍ୱନାମଧନ୍ୟ ସ୍ୱର୍ଗୀୟ ଶାରଦାଚରଣ ମିତ୍ର ବଙ୍ଗଭାଷାରେ ଜଣେ ଖ୍ୟାତନାମା ଲେଖକ । ସେ ସ୍ୱପ୍ରଣୀତ ‘ଉତ୍କଳେ ଶ୍ରୀକୃଷ୍ଣଚୈତନ୍ୟ’ ପୁସ୍ତକରେ ଲେଖିଅଛନ୍ତି,

 

ଆଇନୀ ଆକବରୀତେ ଲିଖିତ ଆଛେ ଯେ ଦୁର୍ଗେର ଭିତରେ ରାଜା ମୁକୁନ୍ଦଦେବେର ଅତି ସୁନ୍ଦର ଦ୍ୱିତଳ ପ୍ରାସାଦ ଆଛେ (୪୧ପୃଷ୍ଠା) ।

 

ଭ୍ରମରେ ସେ ‘ନବତଳ’ ପ୍ରାସାଦକୁ ଦ୍ୱିତଳ ଲେଖିଥିବାରୁ ସଂଶୋଧନ କରିବା ନିମନ୍ତେ ତାହାଙ୍କୁ ଅନୁରୋଧ କରାଯାଇ ଥିଲା, ଏବଂ ତାହାଙ୍କ ଗ୍ରନ୍ଥରେ ପରବର୍ତ୍ତୀ ସଂସ୍କରଣର ସେ ତାହା କରିବେ ବୋଲି ସ୍ୱୀକାର କରିଥିଲେ । ମାତ୍ର ଦୁଃଖର କଥା ସେ ପୁସ୍ତକରେ ଦ୍ୱିତୀୟ ସଂସ୍କରଣ ତାଙ୍କ ଜୀବନଦ୍ଦଶାରେ ହୋଇ ପାରି ନାହିଁ *

 

*

ପ୍ରଥମ ପତ୍ରରେ ସେ ଲେଖିଥିଲେ :–

 

‘‘I shall look to the authorities you have referred to and if necessary, I shall change the word ‘dwitala’ into ‘saptatala,’ in the next edition of my book which is already out of print. I am almost certain I committed a mistake, not having consulted the authorities reffered to.”

 

 

ପୁଣି ଅନ୍ୟପତ୍ରର ଉତ୍ତରରେ ଲେଖିଥିଲେ :–In my last letter, put ‘saptatala’ for ‘navatala’ by mistake.”

 

ଏକା ବାରବାଟୀ ସମ୍ବନ୍ଧରେ କାହିଁକି, ଓଡ଼ିଶାର ଐତିହାସିକ ଅନୁସନ୍ଧାନ କ୍ଷେତ୍ରରେ ଯେ କୌଣସି ନିରପେକ୍ଷ ସତ୍ୟସନ୍ଧିତ୍ସୁ ଏହିପରି ବ୍ୟକ୍ତିଗତ ମତ ଓ ଅସାବଧାନ ଲେଖାର ବହୁଦୃଷ୍ଟାନ୍ତ ପାଇବେ । ବର୍ତ୍ତମାନ କ୍ଷେତ୍ରରେ ସେ ସମୁଦାୟ ଲେଖାର ଅଧିକ ଆଲୋଚନା କରିବା ଅନାବଶ୍ୟକ-। ଅତଏବ, ଏହି ବାରବାଟୀ ଦୁର୍ଗ ସମ୍ବନ୍ଧରେ ଯେତେ ବିଭିନ୍ନ ଭ୍ରାନ୍ତି ମତ ଅଛି, ତାହା ସମସ୍ତ ଆଲୋଚନା ନ କରି କେବଳ ଦୃଷ୍ଟାନ୍ତ ସ୍ୱରୂପ ଉପରଲିଖିତ ଦୁଇଖ୍ୟାତନାମା ଲେଖକଙ୍କ ଭ୍ରମ ଦେଖାଇ ଦିଆଗଲା ।

•••

 

ପଞ୍ଚମ ଅଧ୍ୟାୟ

ବାରବାଟୀ ଦୁର୍ଗ ବର୍ଣ୍ଣନା

 

ସୁଦୂର ବିଂଶଶତାବ୍ଦୀରେ ରହି ବାରବାଟୀ ଦୁର୍ଗର ଅବସ୍ଥା ସେତେବେଳେ କିପରି ଥିଲା, ତାହା ବର୍ଣ୍ଣନା କରିବା ସହଜସାଧ୍ୟ ନୁହେ । ବହିଃଶତ୍ରୁର ବହୁବାର ଆକ୍ରମଣରେ ବାରବାଟୀ ଆଜି ଦର୍ଶକ ଚକ୍ଷୁରୁ ଲୁପ୍ତପ୍ରାୟ ହୋଇଅଛି । ଦୁର୍ଗର ବର୍ତ୍ତମାନ ଅବସ୍ଥାରେ ଯାହା କିଛି ଐତିହାସିକ କୌତୁହଳ ସମ୍ପାଦକ ଭଗ୍ନାବଶେଷ ମାତ୍ର ଅଛି, ତହିଁରୁ ଗଜପତିଙ୍କ ନିର୍ମିତ ବାରବାଟୀ ଦୁର୍ଗ ବର୍ଣ୍ଣନା କରିବା ସାଧ୍ୟାତୀତ କହିଲେ ଚଳେ । ବର୍ତ୍ତମାନ କେବଳ ଦୁର୍ଗର ଚତୁଃପାର୍ଶ୍ୱସ୍ଥ ପରିଖା, ପୂର୍ବପାର୍ଶ୍ୱରେ ଦ୍ୱାରଦେଶ, ଗୋଟିଏ ପୁଷ୍କରିଣୀ, ଏକ ମହମ୍ମଦୀୟ ଗୃହ, ଏବଂ ଗୋଟିଏ ବୃହତ୍ ସ୍ତୂପ ବ୍ୟତୀତ ଅଧିକ କିଛି ଦର୍ଶକମାନଙ୍କର ଦୃଷ୍ଟିଗୋଚର ହୁଏନାହିଁ । ଅନଙ୍ଗଭୀମଦେବଙ୍କ ସମୟରେ ତାହାର ଆକାର କିପରି ଥିଲା, ଏବଂ ପରେ କେଉଁ କେଉଁ ରାଜାମାନେ ତାହାର କି କି ପରିବର୍ତ୍ତନ କରିଥିଲେ, ତାହାର ସବିଶେଷ ବର୍ଣ୍ଣନା ବର୍ତ୍ତମାନ ନେତ୍ରପଥରୁ ଅତୀତ, କେବଳ ଭଗ୍ନାବେଶେଷରୁ ନିରୂପିତ ଓ ଅନୁମାନ ରାଜ୍ୟରେ ପ୍ରତିବସିତ । ଷ୍ଟର୍ଲିଙ୍ଗ୍‍ ନିମ୍ନଲିଖିତ ମର୍ମରେ ଏହି ଦୁର୍ଗର ବର୍ଣ୍ଣନା କରନ୍ତି :–

 

ବାରବାଟୀ ଦୁର୍ଗର ଦୁଇଟି ପ୍ରସ୍ତର ପ୍ରାଚୀର ଥିଲା— ଗୋଟିଏ ବାହାରରେ, ଅର୍ଥାତ୍ ବର୍ତ୍ତମାନ ପରିଖାର ଉପରେ, ଏବଂ ଅନ୍ୟଟି ଭିତରେ । ଭିତରେ ପ୍ରାଚୀରର ଦୈର୍ଘ୍ୟ ୨୧୫୦ ଫୁଟ ଏବଂ ପ୍ରସ୍ଥ ୧୮୦୦ ଫୁଟ ଥିଲା । ଏହିରୂପେ ଭିତର ପ୍ରାଚୀର ମଧ୍ୟସ୍ଥ କ୍ଷେତ୍ରଟି ଆୟତାକାର ଥିଲା । ବାହାର ପ୍ରାଚୀରର ପୂର୍ବଭାଗରେ ଗୋଟିଏ ପ୍ରକାଣ୍ଡ ଦ୍ୱାରଦେଶ । ଏହି ଦ୍ୱାର ଅହମ୍ମଦଶାହଙ୍କ ରାଜତ୍ୱକାଳରେ ୧୭୫୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ଏହି ଦ୍ୱାରର ଦୁଇ ପାର୍ଶ୍ୱରେ ଦୁଇଟି ଅତି ଉଚ୍ଚ ବର୍ଗକ୍ଷେତ୍ରାକାର ଅଟ୍ଟାଳିକା ଥିଲା । ଭୂମିରୁ ଅଗ୍ରଭାଗ ଦିଗକୁ ଏହି ଅଟ୍ଟାଳିକାର ପାର୍ଶ୍ୱ ଭିତରଆଡ଼କୁ ଅବନତ ଥିଲା । ବାହାର ପ୍ରାଚୀରର ଚତୁଃପାର୍ଶ୍ୱରେ ଗୋଟିଏ ସୁବୃହତ୍ ପରିଖା ଅଛି-। ଏହି ପରିଖା ପ୍ରସ୍ଥରେ ୨୨୦ ଫୁଟ ପର୍ଯ୍ୟନ୍ତ ଥିଲା । ଦୁର୍ଗର ମଧ୍ୟଭାଗରେ ଗୋଟିଏ ଅତ୍ୟୁଚ୍ଚ ପ୍ରକାଣ୍ଡ ସ୍ତୂପ ଥିଲା, ଏବଂ ସେହି ସ୍ତୂପ ଉପରେ ଗୋଟିଏ ପତାକା ସ୍ତମ୍ଭ ଥିଲା । ଆଇନୀ ଆକବରୀରେ ବର୍ଣ୍ଣିତ ଅଛି ଯେ, ରାଜା ମୁକୁନ୍ଦଦେବ ଏହି ଦୁର୍ଗ ମଧ୍ୟରେ ଗୋଟିଏ ନବତଳ ବିଶିଷ୍ଟ ସୁରମ୍ୟ ପ୍ରାସାଦ ନିର୍ମାଣ କରାଇ ଥିଲେ । ସେ ପ୍ରାସାଦର କୌଣସି ଚିହ୍ନ ବର୍ତ୍ତମାନ ନାହିଁ, କିନ୍ତୁ ନାନା କାରୁଖଚିତ କର୍ଣ୍ଣିସ୍ ପ୍ରଭୃତିର ଯେ ଭଗ୍ନାବଶେଷ ସମୟ ସମୟରେ ଖୋଳା ହୋଇ ବାହାରୁ ଅଛି, ଏବଂ ବହୁକାଳସ୍ଥାୟୀ ସୁନ୍ଦର କ୍ଳୋରାଇଟ୍ ପ୍ରସ୍ତର ନିର୍ମିତ ଆଲୋକ ଧାରଣା ନିମନ୍ତେ ନାନା ଶାଖାଯୁକ୍ତ ଯେଉଁ ପ୍ରକାଣ୍ଡ ସ୍ତମ୍ଭ ଅଛି, ତହିଁରୁ ଅନୁମାନ କରାଯାଏ ଯେ, ବୋଧହୁଏ ସେ ସବୁ କୌଣସି ବୃହତ୍ ଓ ସୁସଚ୍ଛିତ ଅଟ୍ଟାଳିକାର ଭଗ୍ନାବଶେଷ ମାତ୍ର । ମୁସଲମାନ ବା ମରହାଟ୍ଟା ଶାସକକର୍ତ୍ତାମାନେ ଦୁର୍ଗର ଉତ୍ତରପଶ୍ଚିମ କୋଣରେ ଗୋଟିଏ ଗୋଲାକାର ତୋପ ସଜ୍ଜିତ ପ୍ରାକାର ନିର୍ମାଣ କରିଥିଲେ । ଗୋଟିଏ ପାରସୀ ଅନୁଶାସନ ପତ୍ରରୁ ଜଣାଯାଏ ଯେ ଏହି ପ୍ରକାର, ପୂର୍ବ ଦ୍ୱାରଦେଶ ଏବଂ ଅନ୍ୟାନ୍ୟ କେତେକ ପରିବର୍ତ୍ତନ ଅହମ୍ମଦସାହଙ୍କ ରାଜତ୍ୱରେ ୪ର୍ଥ ବର୍ଷରେ ଅର୍ଥାତ୍ ୧୭୫୦ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।

 

ଷ୍ଟର୍ଲିଙ୍ଗ୍‍ ଏହିରୂପେ ଦୁର୍ଗର ବର୍ଣ୍ଣନା କରନ୍ତି । ତାହାଙ୍କ ସମୟକୁ ଦୁର୍ଗର ଭଗ୍ନାବଶେଷ ମାତ୍ର ଥିଲା । ବର୍ତ୍ତମାନ ଅବଶ୍ୟ ତାହାଙ୍କ ସମୟ ଅପେକ୍ଷା ବହୁତ ଅନ୍ତର୍ହିତ ହୋଇଗଲାଣି । ସେ ଯେଉଁ ଦୁଇଟି ପ୍ରସ୍ତର ପ୍ରାଚୀରର ବର୍ଣ୍ଣନା କରନ୍ତି, ତାହା ବର୍ତ୍ତମାନ ଦେଖାଯାଏ ନାହିଁ; ଦୁର୍ଗର ଚତୁର୍ଦିଗସ୍ଥ ପରିଖା ବର୍ତ୍ତମାନ ୨୨୦ ଫୁଟ ପ୍ରସ୍ଥ ପରି ଦେଖାଯାଏ ନାହିଁ; କିମ୍ବା ରାଜା ମୁକୁନ୍ଦଦେବଙ୍କ ପ୍ରାସାଦର ଯେଉଁ ଭଗ୍ନାବଶେଷ ସେ ଦେଖିବାକୁ ପାଇଥିଲେ, ତାହା ଆମ୍ଭମାନଙ୍କର ନେତ୍ରପଥରୁ ଏକାବେଳକେ ଅନ୍ତର୍ହିତ । ହଣ୍ଟର ୧୮୭୭ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆସି ଏହି ଦୁର୍ଗ ଦେଖିଥିଲେ । ସେ ସୁଦ୍ଧା କହନ୍ତି ଯେ ଷ୍ଟର୍ଲିଙ୍ଗ୍‍ଙ୍କ ବର୍ଣ୍ଣନାରୁ ଅତି ଅଳ୍ପ ମାତ୍ର ଦୁର୍ଗର ବର୍ତ୍ତମାନ ଅବସ୍ଥାରେ ଦୃଷ୍ଟିଗୋଚର ହୁଏ ।

 

ଦୁର୍ଗ ମଧ୍ୟରେ ଯେଉଁ ପୁଷ୍କରିଣୀର ଅସ୍ତିତ୍ୱ ବର୍ତ୍ତମାନ ଦେଖାଯାଏ ତାହା ରାଜମହିଳାମାନଙ୍କ ସ୍ନାନ ନିମନ୍ତେ ନିର୍ଦ୍ଦିଷ୍ଟ ଥିବାର ଅନୁମତି ହୁଏ । ଅମ୍ଭେମାନେ ପୂର୍ବରୁ କହିଅଛୁଁ ଯେ, ବର୍ତ୍ତମାନ ସତ୍ୟବାଦୀରେ ସ୍ଥାପିତ ସାକ୍ଷିଗୋପାଳ ଏହି ବାରବାଟୀ ଦୁର୍ଗ ମଧ୍ୟରେ ପ୍ରଥମତଃ ରଖା ହୋଇଥିଲେ । ଶ୍ରୀଯୁକ୍ତ ଧରଣୀକାନ୍ତ ଲାହିଡ଼ୀ ଚୌଧୁରୀ ସ୍ୱପ୍ରଣୀତ ‘ଭାରତ ଭ୍ରମଣ’ ନାମକ ପୁସ୍ତକରେ କହନ୍ତି ଯେ କଟକଚଣ୍ଡୀ ଏହି ବାରବାଟୀ ଦୁର୍ଗ ମଧ୍ୟରେ ଥିଲେ । ଅନୁମାନ କରାଯାଏ ଚଣ୍ଡୀ ଗଜପତିଙ୍କ ସମୟରେ ଅହି ଦୁର୍ଗ ମଧ୍ୟରେ ସ୍ଥାପିତ ଥିଲେ । କିନ୍ତୁ ଦୁର୍ଗ ମୁସଲମାନମାନଙ୍କର ହସ୍ତଗତ ହେବା ଦିନଠାରୁ ଚଣ୍ଡୀ ଓ ସାକ୍ଷିଗୋପାଳ ସ୍ଥାନାନ୍ତରିତ ହୋଇଅଛନ୍ତି । ଆଇନୀ ଆକବରୀରେ ବର୍ଣ୍ଣିତ ଯେ ମୁକୁନ୍ଦଦେବଙ୍କ ନବତଳ ପ୍ରାସାଦର ଦକ୍ଷିଣ ଦିଗରେ ଗୋଟିଏ ହିନ୍ଦୁ ମନ୍ଦିର ଥିଲା । ଏହି ମନ୍ଦିର ମଧ୍ୟରେ ସମ୍ଭବତଃ ଚଣ୍ଡୀ ସ୍ଥାପିତ ଥିଲେ; ଏବଂ ପରେ ସାକ୍ଷିଗୋପାଳ କାଞ୍ଚିରୁ ଆନୀତ ହୋଇ ଏଥି ମଧ୍ୟରେ ରଖାଗଲା ।

•••

 

ଷଷ୍ଠ ଅଧ୍ୟାୟ

ବାରବାଟୀ ଦୁର୍ଗ ଓ ତଦାନୀନ୍ତନ ଓଡ଼ିଶା

ବାରବାଟୀ ଦୁର୍ଗର ବିଭବ କାଳରେ, ଅଦମ୍ୟଶକ୍ତି ଲୋକୋତ୍ତରଗୁଣ ଓଡ଼ିଆ ଗଜପତିଙ୍କ ଦେଶଶାସନ ବେଳେ, ପୁରୀ ପଲ୍ଲୀ, ପର୍ବତ, ପ୍ରାନ୍ତର ଅରଣ୍ୟ ତେଜସ୍ୱୀ ସେନା ସୁଦୃଢ଼ ଦୁର୍ଗରେ ପରିପୂର୍ଣ୍ଣ ଥିଲା । ଗଜପତି ଯେପରି ନବକୋଟି କର୍ଣ୍ଣାଟ କଲବର୍ଗର ରାଜା ଥିଲେ, ବାରବାଟୀ ସେହିପରି ଅସଂଖ୍ୟ ଦୁର୍ଗର ଶିରୋଭୂଷଣ ଥିଲା । ଏହି ପ୍ରତ୍ୟେକ ଦୁର୍ଗର ବାରବାଟୀର ସ୍ୱାଧୀନତା ଶକ୍ତି ବିକୀର୍ଣ୍ଣ ହେଉଥିଲା, ଗଙ୍ଗାଠାରୁ କୁମାରୀକା ପର୍ଯ୍ୟନ୍ତ ସମୁଦାୟ ଭୂଖଣ୍ଡ ଯୁଦ୍ଧପ୍ରିୟ ଓଡ଼ିଆ ବୀରମାନଙ୍କର କ୍ରୀଡ଼ାସ୍ଥଳୀ ଥିଲା, ଏବଂ ପ୍ରାୟ ସମସ୍ତ ଭାରତବର୍ଷ ଓଡ଼ିଆଙ୍କ ଶକ୍ତି ଅନୁଭବ କରୁଥିଲା । ଆବୁଲ୍‍ଫଜଲ୍ ଯେତେବେଳେ (ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର ପ୍ରାନ୍ତଭାଗ) ଓଡ଼ିଶା ଭ୍ରମଣ କରିଥିଲେ, ସେତେବେଳେ ଓଡ଼ିଶା ଦୁର୍ଗାରଣ୍ୟ ଥିଲା । ଓଡ଼ିଶାର ପ୍ରତ୍ୟେକ ‘ମାହାଲ’ରେ ସୁଶିକ୍ଷିତ ସେନା ଏକ ବା ତତୋଧିକ ଦୁର୍ଗରେ ବାସ କରୁଥିଲେ । ଆଇନୀ ଆକବରୀରେ ଲେଖାଅଛି, ଓଡ଼ିଶା ପାଞ୍ଚଟି ସରକାରରେ ବିଭକ୍ତ ଥିଲା, ଯଥା :–ଜଳେଶ୍ୱର, ଭଦ୍ରକ, କଟକ, କଳିଙ୍ଗ ଦଣ୍ଡପାଟ ଓ ରାଜମହେନ୍ଦ୍ରୀ । ପ୍ରତ୍ୟେକ ସରକାର ଅଧିନରେ କେତେଗୁଡ଼ିଏ ‘ମାହାଲ’ ଥିଲା । ଏହି ପ୍ରତ୍ୟେକ ମାହାଲ ଗଜପତିଙ୍କ ଆଦେଶାନୁସାରେ ସୈନ୍ୟ ପ୍ରେରଣ କରୁଥିଲେ । ଆବୁଲ୍‍ଫଜଲ୍ ନିମ୍ନଲିଖିତରୂପେ ଓଡ଼ିଶାର କେତେକ ଦୁର୍ଗର ଉଲ୍ଲେଖ କରିଅଛନ୍ତି :–

୧. ଜଲେଶ୍ୱର ସରକାର–

ବାନସନ୍ଦ—(ସାଧାରଣତଃ ହାସଥୁର ନାମରେ କଥିତ) ପାଞ୍ଚଟି ଦୁର୍ଭେଦ୍ୟ ଦୁର୍ଗ ।

ବାଳକସି—ତିନିଗୋଟି ଦୁର୍ଗ ।

ପର୍ବଦା—ତିନିଗୋଟି ଅଭେଦ୍ୟ ଦୁର୍ଗ । ଏହା ପର୍ବତ ଓ ଜଙ୍ଗଲ ମଧ୍ୟରେ ସ୍ଥାପିତ ।

ଭୋଗରାଇ—ଗୋଟିଏ ଶକ୍ତ, ଅଭେଦ୍ୟ ଦୁର୍ଗ ।

ବଗଡ଼ୀ—ଗୋଟିଏ ସୁଦୃଢ଼ ଦୁର୍ଗ ।

ଜଳେଶ୍ୱର ନଗର—ଗୋଟିଏ ସୁଦୃଢ଼ ଇଟାଦୁର୍ଗ ।

ତମ୍ବୁଲକ (ବୋଧହୁଏ ତମଲୁକ) —ଗୋଟିଏ ପ୍ରସ୍ତର ନିର୍ମିତ ସୁଦୃଢ଼ ଦୁର୍ଗ ।

ତାରକୋଳ—ଜଙ୍ଗଲ ମଧ୍ୟରେ ଗୋଟିଏ ଦୁର୍ଗ ।

ରାମ୍‍ଣା (ବୋଧହୁଏ ବର୍ତ୍ତମାନ ରେମୁଣା) —ପାଞ୍ଚଟି ଦୁର୍ଗ ।

ରାଇନ (ଓଡ଼ିଶା ସୀମାରେ) —ତିନୋଟି ଦୁର୍ଗ ।

ରାୟପୁର (ଗୋଟିଏ ବଡ଼ ନଗର) —ଗୋଟିଏ ବୃହତ୍ ଦୁର୍ଭେଦ୍ୟ ଦୁର୍ଗ ।

ସବଙ୍ଗ—ଜଙ୍ଗଲ ମଧ୍ୟରେ ଗୋଟିଏ ଅଭେଦ୍ୟ ଦୁର୍ଗ ।

କୁରୁଗସୁର (ବା ଖରକସୁର)—ପର୍ବତଶ୍ରେଣୀ ଉପରେ ଅବସ୍ଥିତ ଏକ ଦୁର୍ଭେଦ୍ୟ ଦୁର୍ଗ ।

କେଦାରଖଣ୍ଡ—ତିନୋଟି ଅଭେଦ୍ୟ ଦୁର୍ଗ ।

ମେଦିନୀପୁର— (ବୃହତ୍‍ ନଗର) —ଗୋଟିଏ ନୂତନ ଓ ପୁରାତନ ଦୁର୍ଗ ।

କୁତୁବପୁର—ଗୋଟିଏ ଖୁବ୍ ଶକ୍ତ ଦୁର୍ଗ ।

ନାରାୟଣପୁର—ପର୍ବତ ଉପରେ ଅବସ୍ଥିତ ଏକ ଅଭେଦ୍ୟ ଦୁର୍ଗ ।

ଏହି ସରକାରର ୩୫୭୦ଅଶ୍ୱାରୋହୀ, ୨ହସ୍ତୀସେନା ଏବଂ ୪୩୮୧୦ପଦାତିକ ଗଜପତିଙ୍କ ସୈନ୍ୟଶ୍ରେଣୀଭୁକ୍ତ ଥିଲେ ।

୨. ଭଦ୍ରଖ ସରକାର

ବରଓ୍ୱା—ଦୁଇଗୋଟି ଅଭେଦ୍ୟ ଦୁର୍ଗ ।

ଭଦ୍ରଖ—ଧମନଗର ନାମରେ ଗୋଟିଏ ସୁଦୃଢ଼ ଦୁର୍ଗ ।

ସହେନ୍‍ଶୁ—ଦୁଇଟି ଦୁର୍ଭେଦ୍ୟ ଦୁର୍ଗ ।

କାଇମାନ (ଗିମାନ) —ଗୋଟିଏ ଅତ୍ୟନ୍ତ ଶକ୍ତ ଦୁର୍ଗ ।

ଛୋଟ ତାଲୁକମାନଙ୍କର ତିନୋଟି ଦୁର୍ଗ ।

ଏହି ସରକାରର ୭୫୦ ଅଶ୍ୱାରୋହୀ ଏବଂ ୬୩୦୦ ପଦାତିକ ଗଜପତିଙ୍କ ସୈନ୍ୟଶ୍ରେଣୀଭୁକ୍ତ ଥିଲେ ।

୩. କଟକ ସରକାର

ଆଠଗଡ଼—ଗୋଟିଏ ବଡ଼ ଶକ୍ତ ଦୁର୍ଗ ।

ପୂର୍ବଦିଗ (ପୂର୍ବଦ୍ୱାଇ)—ଚାରିଗୋଟି ଦୁର୍ଗ ।

ବାରଙ୍ଗ—ପଟିଆ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ୯ଟି ଦୁର୍ଗ ।

ବିଜୟ ନଗର + —ଗୋଟିଏ ଅଭେଦ୍ୟ ଦୁର୍ଗ ।

ଚବିଶକୁଦ—ଚାରିଗୋଟି ଦୁର୍ଭେଦ୍ୟ ଦୁର୍ଗ ।

ହାଲାପୁର (ତାଜପୁର) —ଗୋଟିଏ ଶକ୍ତ ଦୁର୍ଗ ।

ଦକ୍ଷିଣଦିଗ—(ଦକ୍ଷିଣଦ୍ୱାଇ) —ଚାରିଗୋଟି ବୃହତ୍ ଦୁର୍ଗ ।

କୋଠଦେଶ—ତିନିଗୋଟି ଦୁର୍ଗ ।

କଟକ ବନାରସ—(ବର୍ତ୍ତମାନ ବିଡ଼ାନାସୀ) ଗୋଟିଏ ଅଭେଦ୍ୟ ଦୁର୍ଗ ଏବଂ ଦୁର୍ଗର ମଧ୍ୟରେ ଗୋଟିଏ ସୁନ୍ଦର ପ୍ରାସାଦ ।

କୋଟରାହ (ବୋଧହୁଏ ବର୍ତ୍ତମାନ କୋଟରାହଙ୍ଗ) ଏକ ଶକ୍ତ ଦୁର୍ଗ ।

ଏହି ସରକାରର ୬୮୭୮ ଅଶ୍ୱୋରୋହୀ ଓ ୧୬୦୧୬୦ ପଦାତିକ ଗଜପତିଙ୍କ ସୈନ୍ୟଶ୍ରେଣୀଭୁକ୍ତ ଥିଲେ ।

+

ଦାକ୍ଷିଣାତ୍ୟର ବିଜୟନଗର ନୁହେଁ, ଯଦିଚ ତାହା ସେତେବେଳେ ଓଡ଼ିଶାର ଅନ୍ତର୍ଭୁକ୍ତ ଥିଲା-

୪. କଳିଙ୍ଗ ଦଣ୍ଡପାଟ ସରକାରର ୫୦୦ ଅଶ୍ୱାରୋହୀ ଓ ୩୦୦୦୦ ପଦାତିକ ।

୫. ରାଜମହେନ୍ଦ୍ରୀ ସରକାରର ୧୦୦୦ ଅଶ୍ୱାରୋହୀ ଓ ୫୦୦୦ ପଦାତିକ ଗଜପତିଙ୍କର ସୈନ୍ୟ ଶ୍ରେଣୀଭୁକ୍ତ ଥିଲେ । *

 

*

ଆଇନୀ ଆକବରୀର ମୂଳ ସଂସ୍କରଣ ଆମ୍ଭେମାନେ ପାଇନାହୁଁ, ଫ୍ରାନ୍‍ସିସ୍‍ ଗ୍ଳାଡ଼ଉଇନ୍‍ ଏବଂ ବ୍ଳକ୍‍ମ୍ୟାନ୍‍ଙ୍କ ଇଂରେଜୀ ଅନୁବାଦରୁ ଏହା ଉଦ୍ଧାର କଲୁଁ । କୌଣସି ସ୍ଥାନର ନାମ ଇଂରେଜୀରୁ ଗୃହୀତ ହୋଇଥିବାରୁ ସମ୍ପୂର୍ଣ୍ଣ ଶୁଦ୍ଧ କି ନୁହେଁ ସନ୍ଦେହ । ତେଣୁ ଅନୂରୋଧ ଯେ ପାଠକମାନେ ସଯତ୍ନରେ ଏହା ପାଠ କରିବେ । ଏହି ତାଲିକା ଉଦ୍ଧାର କରିବାର ଉଦ୍ଦେଶ୍ୟ ପାଠକମାନେ ସମୟ ସୁବିଧାନୁସାରେ ନିଜ ନିଜ ବାସସ୍ଥାନର ନିକଟବର୍ତ୍ତୀ ଦୁର୍ଗର ଭଗ୍ନାବଶେଷମାନ ତତ୍ତ୍ୱସନ୍ଧିତ୍ସୁ ଚକ୍ଷୁରେ ଦୃଷ୍ଟି କରି, ତାହାର ସବିଶେଷ ଇତିହାସ ପ୍ରକାଶ କରିବେ; ଏବଂ ଏହି ତାଲିକା ମଧ୍ୟରେ ନାହିଁ, ଏଭଳି ଅନେକ ଦୁର୍ଗ ପୂର୍ବେ ଥିଲା । ତେଣୁ ପାଠକମାନେ କେବଳ ଏହି ତାଲିକାଦ୍ୱାରା ସୀମାବଦ୍ଧ ହେବେ ନାହିଁ ।

 

ଆବୁଲ୍‍ଫଜଲ୍‍ଙ୍କ ଗ୍ରନ୍ଥରେ ଯେଉଁ ଯେଉଁ ଦୁର୍ଗମାନଙ୍କର ନାମୋଲ୍ଲେଖ ଥିଲା, ତାହା ଆମ୍ଭେମାନେ ଉପରେ ଦେଲୁଁ । ସେ ସର୍ବମୋଟ ୬୨ ଗୋଟି ଦୁର୍ଗର ଉଲ୍ଲେଖ କରିଅଛନ୍ତି । ତାହାଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ ଓଡ଼ିଶାରେ ୯୯ ଗୋଟି ମାହାଲ ଥିଲା, ଏବଂ ପ୍ରତି ମାହାଲରେ କିଛି ୨ ସୈନ୍ୟ ଗଜପତିଙ୍କ ସୈନ୍ୟଶ୍ରେଣୀଭୁକ୍ତ ଥିଲେ । ଏହି ୯୯ ମାହାଲରୁ ସେ ୩୨ଗୋଟି ମାହାଲରେ ଥିବା ଦୁର୍ଗର ଉଲ୍ଲେଖ କରିଅଛନ୍ତି । ଆଇନୀ ଆକବରୀରେ ଅନ୍ୟତ୍ର ସେ କହନ୍ତି ଯେ ‘ଏହି ସମୟରେ ଓଡ଼ିଶାରେ ୧୨୯ ଗୋଟି ଦୁର୍ଗ ଗଜପତିଙ୍କ ଅଧିନରେ ଥିଲା ।’ ସୁତରାଂ ଅବଶିଷ୍ଟ ୫୭ ଗୋଟି ଦୁର୍ଗ କେଉଁଠାରେ କିପରି ଭାବରେ ଥିଲା, ତାହାର କୌଣସି ଚିହ୍ନ ଆଇନୀ ଆକବରୀରୁ ମିଳେନାହିଁ । ଆବୁଲ୍‍ଫଜଲ୍ ଚିଲିକା ପାର ହୋଇ ଦକ୍ଷିଣକୁ ଯାଇଥିବାର ପରିଚୟ ମିଳେ ନାହିଁ । କାରଣ କଳିଙ୍ଗ ଦଣ୍ତପାଟ ଓ ରାଜମହେନ୍ଦ୍ରୀର ମାହାଲମାନଙ୍କ ନାମୋଲ୍ଲେଖ ନାହିଁ, ଏବଂ ତତ୍ରତ୍ୟ ଦୁର୍ଗମାନଙ୍କ ସମ୍ବନ୍ଧରେ ମଧ୍ୟ କିଛି ସେ କହିନାହାନ୍ତି । ପ୍ରତି ମାହାଲର ସୈନ୍ୟ ଯଦିଚ ଗଜପତିଙ୍କ ସୈନ୍ୟଶ୍ରେଣୀଭୁକ୍ତ ଥିଲେ, ତଥାପି ସେ ପ୍ରତି ମାହାଲରେ ଦୁର୍ଗ ଥିବାର ଲେଖି ନାହାନ୍ତି । ଆବୁଲ୍‍ଫଜଲ୍‍ଙ୍କ ଦୁର୍ଗ ତାଲିକାରେ ଆଳୀ ଚୌଦ୍ୱାର,ବାରବାଟୀ, ଯାଜପୁର ପ୍ରଭୁତି ଦୁର୍ଗମାନଙ୍କର ନାମ ନାହିଁ । ଆଳୀ ଦୁର୍ଗ ମୁସଲମାନଙ୍କ ଶାସନକାଳରେ, ଅର୍ଥାତ୍ ଆବୁଲ୍‍ଫଜଲ୍‍ଙ୍କ ଓଡ଼ିଶା ପରିଦର୍ଶନ ପରେ ବିଦ୍ୟମାନ ଥିବାର ପୂର୍ବରେ କୁହାଯାଇଅଛି । ଚୌଦ୍ୱାର ପ୍ରତାପରୁଦ୍ରଦେବଙ୍କ ସମୟରେ (ଅର୍ଥାତ୍ ଷୋଡ଼ଶ ଶତାବ୍ଦୀରେ) ବଡ଼ ପ୍ରସିଦ୍ଧ ଦୁର୍ଗ ଥିଲା । ପୂର୍ବ ଶ୍ରୀଚୈତନ୍ୟ ଚରିତାମୃତ ଉଦ୍ଧାର କରି ଏହାର ସବିଶେଷ ବୃତ୍ତାନ୍ତ ଦେଇଅଛୁଁ । ବାରବାଟୀ ଦୁର୍ଗ ସେ ନିଜେ ବିଶେଷଭାବରେ ବର୍ଣ୍ଣନା କରିଅଛନ୍ତି । ଏହା ବ୍ୟତୀତ, ଶ୍ରୀଯୁକ୍ତ ବାବୁ ଜଗବନ୍ଧୁ ସିଂହ ତାହାଙ୍କ ‘ପ୍ରାଚୀନ ଉତ୍କଳ’ ରେ ନିମ୍ନଲିଖିତ ଦୁର୍ଗମାନଙ୍କର ନାମ ଦେଇଅଛନ୍ତି :–

 

ଭଙ୍ଗୁରା, ଶ୍ରୀରାମପୁର, ଭଅଁରା, ନିଆଁ ଗୋରଡ଼ା, ଅନ୍ଧାରୀ କଣ୍ଡାପାଲି, ଶିଶୁପାଳ, କୁଜଙ୍ଗ, ତୋରିହଁ, କରମଳା, ବୀରତୁଙ୍ଗ, ଅଣ୍ଢିଆ, ମଲିପଡ଼ା, ହଳଦିଆ, ମୃଗଶିରା, ଅନ୍ତୁଆର, ଚାମଣାକୁଦ, ଅଟ୍ରି, ବାଲିଅନ୍ତା, ଖାରଦ, କୃଷ୍ଣପ୍ରସାଦ, ମାଟିଆପଡ଼ା, ଗଡ଼ସାହି, ଛତିଆ, ପଦନପୁର, ରୁପାସ, ରାଡ଼ସିଠା, ବେଗୁନିଆ ପଡ଼ା, ଚାନ୍ଦପୁର,ମୋଟ୍ରି, ଅମରପ୍ରସାଦ, ଇଟାପୋଖରୀ, ମାଣତ୍ରୀ, ବରପଦା, ରଥୀପୁର, ଝୁଁସିଅ, ଗଡ଼ପଦା, ଚେଙ୍ଗଲ, ଯାଗସର ଧର୍ମସାଗର, ସରେଇପଡ଼ା, କୋକଲ ଗଡ଼, ଧଉଳି, ମନସୁର, ନୂଆଗଡ଼, ଖୋଲଗଡ଼, ବୋଲଗଡ଼, ନରସିଂହପୁର, ଘାଟିଗଡ଼, ମନ୍ଦାରୁଣୀ, ଗୋଲଭା, କଟିଶମି (କୁଶୁମି) ଇତ୍ୟାଦି । *

 

*

‘‘ବୀରତ୍ୱ ପ୍ରସଙ୍ଗ’’-ମୁକୁର ୧୨ଶ ଭାଗ ୧୨୮ ପୃଷ୍ଠା ।

 

ଅବଶ୍ୟ ଏହି ତାଲିକା ମଧ୍ୟରୁ କେତେକ ପରବର୍ତ୍ତୀ କାଳର ହୋଇପାରିଥିବ; ତଥାପି ଅଧିକାଂଶ ଯେ ସ୍ୱାଧୀନ ଓଡ଼ିଶାରେ ଥିଲା ସନ୍ଦେହ ନାହିଁ, ଏବଂ ଏହା ବ୍ୟତୀତ ଆହୁରି ଯେ କେତେ ଦୁର୍ଗ ଥିଲା ତାହାର ହିସାବ କିଏ ଦେଇପାରେ ? ଏହିପରି ଆଉ କେତେ ଦୁର୍ଗ ଓଡ଼ିଶାର ଗ୍ରାମେ ଗ୍ରାମେ ଥିଲା, ତାହା ସବୁ ବି ସ୍ମୃତି ଗର୍ଭରେ ଏକାବେଳେକେ ଲୀନ ହୋଇଗଲାଣି । ବର୍ତ୍ତମାନ ଦେଶର ଅବସ୍ଥା ଦେଖି କିଏ ବିଶ୍ୱାସ କରିବ ଯେ ୩୦୦ ବର୍ଷ ମାତ୍ର ପୂର୍ବେ ଉତ୍କଳରେ ଏଡ଼େ ବୀରତ୍ୱ ସମୃଦ୍ଧି ଥିଲା, ଏବଂ ପ୍ରାଚୀନ ଓଡ଼ିଆମାନଙ୍କ ସଙ୍ଗେ ଦିଲ୍ଲୀର ପ୍ରବଳପ୍ରତାପ ବାଦସାହ ଆକବର ମିତ୍ରତା ସ୍ଥାପନ କରିବାକୁ ବାଧ୍ୟ ହୋଇଥିଲେ ।

 

ଆବୁଲ୍‍ଫଜଲ୍ ସମ୍ରାଟ ଆକବରଙ୍କର ପ୍ରତ୍ୟେକ ସୁବାର ବିବରଣ ଦେଇଅଛନ୍ତି । ଆକବରଙ୍କ ୧୫ ସୁବା ମଧ୍ୟରେ ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ସୁବା ନ ଥିଲା । ଏହା ବଙ୍ଗ ସୁବାର ଅନ୍ତର୍ଭୁକ୍ତ ଥିଲା । ତାହାଙ୍କ ବର୍ଣ୍ଣନାରେ ଓଡ଼ିଶା ପକ୍ଷରେ ଗୋଟିଏ ବିଶେଷତ୍ୱ ଏହି ଯେ ଓଡ଼ିଶାର ପ୍ରତ୍ୟେକ ସରକାରର ପ୍ରତି ମାହାଲରେ ଯେତେ ଯେତେ ଦୁର୍ଗ ଥିଲା, ଏବଂ ଯେତେ ଯେତେ ସୈନ୍ୟ ଥିଲେ, ତାହାର ସବିଶେଷ ବର୍ଣ୍ଣନା ସେ ଦେଇଅଛନ୍ତି । କିନ୍ତୁ ଅନ୍ୟ କୌଣସି ସୁବା ସମ୍ବନ୍ଧରେ ସେ ଏହିରୂପ ଉଲ୍ଲେଖ କରିନାହନ୍ତି । ଅନ୍ୟ ସ୍ଥାନମାନଙ୍କରୁ କେତେ କେତେ ରାଜସ୍ୱ ଆଦାୟ ହେଉଥିଲା କେବଳ ଏହାହିଁ ତାହାଙ୍କ ବର୍ଣ୍ଣନାରୁ ଜଣାଯାଏ । ବଙ୍ଗଦେଶରେ କେବଳ ଗୋଟିଏ ମାହାଲରେ ଇଟା ଦୁର୍ଗ ଥିବାର ସେ ଲେଖିଅଛନ୍ତି । ସେତେବେଳେ ବଙ୍ଗଦେଶରେ ପ୍ରତି ମାହାଲରେ ହାରାହାରି ୪୯୦ ସୈନ୍ୟ ଥିଲେ, କିନ୍ତୁ ଓଡ଼ିଶାର ପ୍ରତ୍ୟେକ ମାହାଲରେ ୨୬୦୯ ସୈନ୍ୟ ଥିଲେ; ଅର୍ଥାତ୍ ଓଡ଼ିଶାର ପ୍ରତ୍ୟେକ ମାହାଲରେ ବଙ୍ଗଦେଶର ପ୍ରତ୍ୟେକ ମାହାଲର ସାଢ଼େ ପାଞ୍ଚଗୁଣ ସୈନ୍ୟ ଥିଲେ । ଆବୁଲ୍‍ଫଜଲ୍‍ଙ୍କ ବର୍ଣ୍ଣନାରେ ଅନ୍ୟାନ୍ୟ ପ୍ରଦେଶ ମଧ୍ୟ ଓଡ଼ିଶା ପରି ଯୁଦ୍ଧଶିକ୍ଷା ବା ଦୁର୍ଗରକ୍ଷଣ ନିମନ୍ତେ ଏଡ଼େ ବିଖ୍ୟାତ ନ ଥିଲା । ଆକବରଙ୍କ ରାଜତ୍ୱର ଇତିହାସ ପାଠକମାନେ ଜାଣନ୍ତି ଯେ ବଙ୍ଗଦେଶ ଜୟ କରିବା ନିମନ୍ତେ ଆକବର କେତେ ସୈନ୍ୟ, ସମୟ ଓ ସମ୍ପତ୍ତି ବ୍ୟୟ କରିଥିଲେ ବଙ୍ଗଦେଶରେ ଏହା ଅନୁଭବ କଲାପରେ ସେ କିପରି ସ୍ୱାଧୀନ ଉତ୍କଳଭୂମି ଉପରେ ହସ୍ତକ୍ଷେପ କରନ୍ତେ ? ତେଣୁ ସେ ସ୍ୱୀୟ ଆଲୌକିକ ରାଜନୈତିକ ବୁଦ୍ଧି ଦ୍ୱାରା ପ୍ରଣୋଦିତ ହୋଇ ଉତ୍କଳ ଗଜପତିଙ୍କ ସଙ୍ଗେ ସଖ୍ୟ ସ୍ଥାପନ କରିବାକୁ ବାଧ୍ୟ ହୋଇଥିଲେ । ଆବୁଲ୍‍ଫଜଲ୍ ଯେ ଅନ୍ୟ ପ୍ରଦେଶର ଦୁର୍ଗ ଓ ସୈନ୍ୟମାନଙ୍କ ସମ୍ବନ୍ଧରେ କିଛି ନ କହି ଓଡ଼ିଶାର ପ୍ରତି ମାହାଲର ଦୁର୍ଗ ଓ ସୈନ୍ୟମାନଙ୍କ ହିସାବ ଦେଇଅଛନ୍ତି, ତାହାର କାରଣ ଏହି ଯେ ସେ ଆକବରଙ୍କ ବିସ୍ତୃତ ସାମ୍ରାଜ୍ୟର ପ୍ରତ୍ୟେକ ସୁବାରେ ଭ୍ରମଣ କରୁ କରୁ ଯେତେବେଳେ ଓଡ଼ିଶାରେ ଉପସ୍ଥିତ ହେଲେ, ସେତେବେଳେ ଓଡ଼ିଶାର ଦୃଶ୍ୟ ତାହାଙ୍କର ମନର ଭାବ ସମ୍ପୂର୍ଣ୍ଣ ପରିବର୍ତ୍ତିତ କରିଦେଲା; ସେତେବେଳେ ଓଡ଼ିଶାରେ ଏକ ଅଭିନବ ଦୃଶ୍ୟ ତାହାଙ୍କ ହୃଦୟରେ ବିସ୍ମୟ ଉତ୍ପାଦନ କରିଦେଲା । ଓଡ଼ିଶାରେ ପ୍ରତ୍ୟେକ ଗ୍ରାମ, ନଗର, ପ୍ରାନ୍ତର, ପର୍ବତ ଓ ଅରଣ୍ୟରେ ସୁଦୃଢ଼ ଦୁର୍ଗ ରକ୍ଷଣ ଓ ଯୁଦ୍ଧବିଦ୍ୟା ଶିକ୍ଷା ଦେଖି ସେ ବିମୋହିତ ହୋଇଥିଲେ । ତେଣୁ ସ୍ୱୀୟଗ୍ରନ୍ଥରେ ଏହାର ସବିଶେଷ ବିବରଣ ନ ଦେଇ ସେ ରହିପାରି ନ ଥିଲେ ।

 

ଆବୁଲ୍‍ଫଜଲ୍‍ଙ୍କ ବର୍ଣ୍ଣନାରୁ ଅନ୍ୟ ଗୋଟିଏ ଗଭୀର ରାଜନୀତିପୂର୍ଣ୍ଣ ନୂତନ ଚିତ୍ର ବୁଝାଯାଏ । ଜାତିବିଭାଗ ଅନୁସାରେ କ୍ଷତ୍ରିୟ ଓ ଖଣ୍ତାୟତ୍ତ ପ୍ରଭୃତି ଯୁଦ୍ଧ କରିବା ନିମନ୍ତେ ନିର୍ଦ୍ଦିଷ୍ଟ ଥିଲା । ବ୍ରାହ୍ମଣମାନେ କେବଳ ଆଧ୍ୟାତ୍ମିକ ବିଷୟରେ ନିଯୁକ୍ତି ରହୁଥିଲେ । ଆବୁଲ୍‍ଫଜଲ୍‍ଙ୍କ ବର୍ଣ୍ଣନାନୁସାରେ ଓଡ଼ିଶା କିନ୍ତୁ ଜାତି ବନ୍ଧନରୁ ବି ମୁକ୍ତ ଥିଲା । ଗଜପତିଙ୍କ ସମୟ ଓଡ଼ିଶା ଆଲୋଚନା କଲେ ଇଂରେଜ ଇତିହାସର ଏଲିଜାବେଥଙ୍କ ଯୁଗ ମନରେ ଉଦିତ ହୁଏ । ଇଂଲଣ୍ଡ ସେତେବେଳେ ଧର୍ମ ଓ ରାଜନୀତି ଘେନି ଅନ୍ତର୍ବିବାଦରେ ଛିନ୍ନଭିନ୍ନ ହୋଇଥିଲା । କିନ୍ତୁ ଯେତେବେଳେ ସ୍ଥାନିଆଡ଼୍‍ମାନଙ୍କର ଦୁର୍ଦ୍ଦମ୍ୟ ନୌସେନା (Invincible Armada) ଇଂଲଣ୍ଡକୁ ଗ୍ରାସିଯିବା ନିମନ୍ତେ ଇଂଲିଶ ପ୍ରଣାଳୀରେ ଉପସ୍ଥିତ ହେଲା, ସେତେବେଳେ ଇଂରେଜମାନେ ପରସ୍ପର ଜାତି ଭେଦ, ମତଭେଦ ଓ ଧର୍ମଭେଦ ଭୁଲିଯାଇ ଦେଶ ତଥା ଜାତିର ଗୌରବ ରକ୍ଷା ନିମନ୍ତେ ଏକତ୍ର ହୋଇ ପ୍ରାଣ ପର୍ଯ୍ୟନ୍ତ ସମର୍ପଣ କରିଥିଲେ । ଗଜପତିଙ୍କ ସମୟରେ ଓଡ଼ିଶାରେ ତାହାହିଁ ହୋଇଥିଲା । ଆବୁଲ୍‍ଫଜଲ୍‍ଙ୍କ ବର୍ଣ୍ଣନାରୁ ଜଣାଯାଏ ବାମନାଭୂମି (ମେଦିନୀପୁରର ବ୍ରାହ୍ମଣପୁର) ଆଠଗଡ଼, ହାଜିପୁର, ଶେରଗଡ଼ ଓ ବିଡ଼ାନସୀ ପ୍ରଭୃତି ସ୍ଥାନରେ ବ୍ରାହ୍ମଣମାନେ ସୈନ୍ୟଶ୍ରେଣୀଭୁକ୍ତ ହେଉଥିଲେ । ବର୍ତ୍ତମାନ ଯୁଗରେ ମଧ୍ୟ ବାହିନୀପତି, ସେନାପତି, ପ୍ରହରାଜ ପ୍ରଭୁତି ସାମରିକ ଆଖ୍ୟଧାରୀ ବ୍ରାହ୍ମଣମାନେ ପୁରୀରେ ଶାସକମାନଙ୍କରେ ଦେଖାଯାନ୍ତି । ସେମାନେ ପୁରୁଷାନୁକ୍ରମେ ଏ ଉପାଧି ଭୋଗକରି ଆସୁଅଛନ୍ତି । ଧର୍ମଭେଦ, ଜାତିଭେଦରେ ଜଳାଞ୍ଜଳି ଦେଇ ଦେଶର ବିପଦ ସମୟରେ ଓଡ଼ିଆ ବ୍ରାହ୍ମଣମାନେ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କ୍ଷେତ୍ରରେ ଅନ୍ୟାନ୍ୟ ଜାତିମାନଙ୍କ ସଙ୍ଗେ ଏକ ହୋଇ ଯୁଦ୍ଧ କରୁଥିଲେ । ବ୍ରାହ୍ମଣମାନେ କେବଳ ଆଧ୍ୟାତ୍ମିକ ଚିନ୍ତାରେ ନିମଗ୍ନ ରହୁ ନ ଥିଲେ-। ଏହି ଆଧ୍ୟାତ୍ମିକ ଚିନ୍ତା ସଙ୍ଗେ ସଙ୍ଗେ ଜାତିର ତଥା ଦେଶର ସ୍ୱାଧୀନତା ଭାବ ସେମାନଙ୍କର ବଡ଼ ପ୍ରବଳ ଥିଲା । ଜନ୍ମ ବା ଅଭ୍ୟାସଗତ ଆଧାତ୍ମିକ ସ୍ୱାଧୀନତା ସଙ୍ଗେ ସଙ୍ଗେ ଆଧିଭୌତିକ ତଥା ରାଜନୈତିକ ସ୍ୱାଧୀନତାକୁ ସେମାନେ ଆତ୍ମବିକାଶର ଗୋଟିଏ ଆପରିହେୟ ବିଭବ ବୋଲି ଅନୁଭବ କରୁଥିଲେ । ଆତ୍ମାର ସଦ୍‍ଗତି ବିଧାନ ସଙ୍ଗେ ସଙ୍ଗେ ଜାତୀୟ ସଦ୍‍ଗତି ବିଧାନ ଓଡ଼ିଆ ବ୍ରାହ୍ମଣଙ୍କର ଦୈନନ୍ଦିନ ଚିନ୍ତାର ବିଷୟ ଥିଲା । ରାଜଦରବାରଠାରୁ ଆରମ୍ଭ କରି ଧର୍ମଜୀବନ ପର୍ଯ୍ୟନ୍ତ ସମସ୍ତ ସଂସାରିକ, ରାଜନୈତିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ସ୍ୱାଧୀନତା ସେମାନଙ୍କ ଜୀବନରେ ଲକ୍ଷ୍ୟ ଥିଲା । *

 

*

ଏହା ପୁରୀର ଚାଖି ଖୁଣ୍ଟିଆ, ଏବଂ ୧୮୧୮ ଖ୍ରୀଷ୍ଟାବ୍ଦର ଖୋରଧା ବିଦ୍ରୋହ ସମ୍ପର୍କରେ ଜୟକୃଷ୍ଣ ରାଜଗୁରୁଙ୍କ ଜୀବନରେ ଏ ଯୁଗରେ ମଧ୍ୟ ପରିଦୃଷ୍ଟା ।

 

ଦିଲ୍ଲୀରେ ବାଦସାହ ଆକବର ମୁକୁନ୍ଦ ଦେବଙ୍କ ସଙ୍ଗେ ସଖ୍ୟ ସ୍ଥାପନ ଉଦ୍ଦେଶ୍ୟରେ ଯେଉଁ ମନ୍ତ୍ରୀଙ୍କି [ଆକବରଙ୍କ ରାଜତ୍ୱ ସଚୀବ ହସାନ ଖାଁ] ପ୍ରେରଣ କରିଥିଲେ । ସେ ପୁରୀରେ ତିନିମାସ ପର୍ଯ୍ୟନ୍ତ ସାଡ଼ମ୍ବରରେ ଅଭ୍ୟର୍ଥୀତ ହେବା ପରେ ଯେତେବେଳେ ଆଗ୍ରାକୁ ପ୍ରତ୍ୟାବର୍ତ୍ତନ କଲେ ସେତେବେଳେ ରାଜା ମୁକୁନ୍ଦଦେବଙ୍କର ମହାପାତ୍ର ନାମଧାରୀ ଜଣେ ଓଡ଼ିଆ ବ୍ରହ୍ମଣ ମନ୍ତ୍ରୀ ଉକ୍ତ ହାସାନଖାଁଙ୍କ ସମଭିବ୍ୟାହାରରେ ୧୫୬୫ ଖ୍ରୀଷ୍ଟାବ୍ଦରେ ଆଗ୍ରା ଯାତ୍ରା କରିଥିଲେ । ସେଠାରେ ସମ୍ରାଟଙ୍କ ଦରବାରରେ ବହୁ ଆଡ଼ମ୍ବରରେ ଗୃହୀତ ଓ ଅଭ୍ୟର୍ଥିତ ହୋଇଥିଲେ । [ଆକବର ନାମା] ଇଂଲଣ୍ଡ ଇତିହାସରେ ଯାହା ଥରେ ମାତ୍ର ଦେଖାଦେଇଥିଲା, ଗଜପତିଙ୍କ ଓଡ଼ିଶାରେ ତାହା ଦୈନନ୍ଦିନ କାର୍ଯ୍ୟଥିଲା । ଏଥିନିମନ୍ତେ ସାହିତ୍ୟ ଦର୍ପଣର ଗ୍ରନ୍ଥକାର ‘କଳିଙ୍ଗ ସାହସିକଃ’ କହିବାଦ୍ୱାରା ଓଡ଼ିଆମାନଙ୍କୁ କେବଳ ସାହସିକତାର ଅବତାର ସ୍ୱରୂପ ବର୍ଣ୍ଣନା କରିଅଛନ୍ତି । ଯୁଧିଷ୍ଠିର ‘ଧର୍ମଦେବ’ ନାମରେ ପରିଚିତ ହେଲା ପ୍ରାୟ ଓଡ଼ିଆମାନେ ‘ସାହସିକ’ ନାମରେ ଖ୍ୟାତ ଥିଲେ । ଏଥିନିମନ୍ତେ ବଙ୍ଗଦେଶର ଶେଷ ହିନ୍ଦୁ ରାଜା ଲକ୍ଷ୍ମଣସେନ ମୁସଲମାନ ଶକ୍ତି ପରାହତ ହୋଇ ଓଡ଼ିଆଙ୍କ ଆଶ୍ରୟରେ ନିରାପଦରେ ପୁରୀରେ ଶେଷଜୀବନ ଯାପନ କରିପାରିଥିଲେ; ଏହି ହେତୁରୁ ପ୍ରଚଣ୍ତ ଆଫଗାନଶକ୍ତି ତ୍ରିଶତାଧିକ ବର୍ଷ ପର୍ଯ୍ୟନ୍ତ କେତେ ଆକ୍ରମଣ କରି, କେତେ ସୈନ୍ୟ ସାମନ୍ତ ଅର୍ଥ ନଷ୍ଟ କରି, ପରିଶେଷରେ ଓଡ଼ିଆଙ୍କ ସମ୍ମୁଖରେ ନତମସ୍ତକ ହୋଇଥିଲା ଏବଂ ଏହି ହେତୁରୁହିଁ ଶ୍ରୀଯୁକ୍ତ ସୁଲେଖକ ଧରଣୀକାନ୍ତ ଲାହିଡ଼ୀ ଚୌଧୁରୀ ତାହାଙ୍କ ‘ଭାରତ ଭ୍ରମଣ’ ଗ୍ରନ୍ଥରେ ସ୍ପଷ୍ଟଭାବରେ ଲେଖିଅଛନ୍ତି–

 

ସେତେବେଳେ ଏମାନେ (ଓଡ଼ିଆମାନେ) ବୀରତ୍ୱରେ ଓ ଧୀରତ୍ୱରେ, ଶୌର୍ଯ୍ୟରେ ବୀର୍ଯ୍ୟରେ, ଏପରିକି ଶିଳ୍ପନୈପୁଣ୍ୟରେ ମଧ୍ୟ ଭାରତର ଅନ୍ୟାନ୍ୟ ଦେଶର ଅଧିବାସୀଗଣଙ୍କ ଅପେକ୍ଷା ଶ୍ରେଷ୍ଠ ଥିଲେ ।

 

ଜର୍ମାନିର ଦର୍ଶନାଚାର୍ଯ୍ୟ ମହାତ୍ମା ପିକେଟ୍ ଯଥାର୍ଥ କହି ଅଛନ୍ତି–‘Liberty I without equality there is no Liberty all men are equal ’.ଅର୍ଥାତ୍ ସ୍ୱାଧୀନତା । ସମଜ୍ଞାନ ବ୍ୟତିରେକେ ସ୍ୱାଧୀନତା ଅସମ୍ଭବ; ମାନବ ମାତ୍ରେହିଁ ସମାନ । ଓଡ଼ିଆ ବ୍ରାହ୍ମଣମାନେ ଏ ପରମ ସତ୍ୟରେ ଅନୁପ୍ରାଣିତ ହୋଇଥିଲେ, ଏବଂ ଦେଶରକ୍ଷଣ ନିମନ୍ତେ ଆଚାଣ୍ଡାଳ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେଉଥିଲେ । ପୁରୀରେ ଜଗନ୍ନାଥ ମନ୍ଦିର ସ୍ଥାପନ କରି ‘ଭଗବାନଙ୍କ ନିକଟରେ ମାନବ ମାତ୍ରେହିଁ ସମାନ’ ବୋଲି ଯେଉଁ ପରମ ସତ୍ୟ ଓଡ଼ିଆମାନେ ପ୍ରଚାର କରିଥିଲେ; ସେହି ସତ୍ୟ ‘ଶତ୍ରୁ ବିରୁଦ୍ଧରେ ଦେଶ ରକ୍ଷା କରିବା ନିମନ୍ତେ ବ୍ରାହ୍ମଣଠାରୁ ଚାଣ୍ଡାଳ ପର୍ଯ୍ୟନ୍ତ ସମ ପରିମାଣରେ ଦାୟୀ’–ଗଜପତିମାନଙ୍କ ସମୟରେ ନିତି ନିତି ପ୍ରଚାରିତ ହେଉଥିଲା । ଦେଶସେବା ଭଗବାନଙ୍କ ସେବା; ଭଗବାନଙ୍କ ସେବାରେ ହୃଦୟରେ ଯେଉଁ ସାତ୍ୱିକତା, ସ୍ୱାଧୀନତା ସଞ୍ଚାରିତ ହୁଏ, ଦେଶ ସେବା ଦ୍ୱାରା ସେହି ପବିତ୍ର ଭାବ ହୃଦୟରେ ଜାଗ୍ରତ ହୁଏ—ଏହି ଗଭୀର ତତ୍ତ୍ୱ ଧର୍ମପ୍ରାଣ ଧର୍ମାଧ୍ୟକ୍ଷ ଉତ୍କଳୀୟ ବ୍ରାହ୍ମଣମାନେ ବୁଝିଥିଲେ ।

•••

 

ସପ୍ତମ ଅଧ୍ୟାୟ

ଅନ୍ତିମ ଦଶା

 

ଉତ୍କଳର ବିଭିନ୍ନ ସ୍ଥାନର ଦୁର୍ଗମାନଙ୍କର ଉଲ୍ଲେଖ ପରେ ବର୍ତ୍ତମାନ ବାରବାଟୀର ଇତିହାସ ପ୍ରତି ପୁଣି ଦୃଷ୍ଟି ଦିଆଯାଉ । ପୂର୍ବେ ଦେଖାଯାଇଅଛି ବାରବାଟୀ ଓଡ଼ିଶା ଗଜପତିମାନଙ୍କ ପବିତ୍ର ଶାନ୍ତିଭବନରୁ ରୂପାନ୍ତରିତ ହୋଇ ଐତିହାସିକ ନିୟମାନୁସାରେ ମୁସଲମାନଙ୍କ ରାଜତ୍ୱ କାଳରେ କେତେ କେତେ ଅନ୍ତର୍ବିବାଦ, କେତେ କେତେ ଲୋମହର୍ଷଣ ହତ୍ୟାକାଣ୍ଡ ପରିଦର୍ଶନ କରି ଅବଶେଷରେ ଏକ କାରାଗାରରେ ପରିଣତ ହୋଇଥିଲା । ତତ୍ପରେ ଯେଉଁ ବାରବାଟୀ ଗଜପତିମାନଙ୍କ ଅଧୀନରେ ଉତ୍କଳକୁ ସୁଜଳା ସୁଫଳା ପରିମଳଶୀତଳ ଶସ୍ୟଶ୍ୟାମଳା * ଦେଖି ଆନନ୍ଦରେ ସ୍ପୀତ ହେଉଥିଲା, ତାହା ମରହଟ୍ଟାମାନଙ୍କ ରାଜତ୍ୱକାଳରେ ବୁଭୁକ୍ଷୁ + ଓଡ଼ିଆଙ୍କ ‘ଦେହ ଦେହ’ ଇତି ଆର୍ତ୍ତନାଦରେ ପ୍ରତିଧ୍ୱନିତ ହେଲା । ଏହିପରି ବାରବାଟୀ ଓଡ଼ିଶା ଇତିହାସରେ କେତେ ସମ୍ପଦ, ବିପଦ, ସନ୍ଧି ବିଗ୍ରହର ଜୀବନ୍ତ ସାକ୍ଷୀ ସ୍ୱରୂପ ଦଣ୍ଡାୟମାନ ଥିଲା । ବର୍ତ୍ତମାନ ସେ ଦୁର୍ଗ, ସେ ରଣାଙ୍ଗନ, ଓଡ଼ିଆ ‘ବୀର ରକ୍ତପିଣ୍ଡେ’ ଗଠିତ ସେ ବାରବାଟୀ ଦୁର୍ଗର ଧ୍ୱଂସ କିପରି ହେଲା ? ଯେଉଁ ପୁଣ୍ୟତୋୟା ଚିତ୍ରୋତ୍ପଳା-ସେବିତ ବାରବାଟୀ ଉତ୍କଳ ଗଜପତିମାନଙ୍କୁ ସ୍ୱବକ୍ଷରେ ଧାରଣ କରି ଦିନେ ଗର୍ବରେ ଉନ୍ମୁଖ ଥିଲା, ସେହି ବାରବାଟୀ ଦୁର୍ଗ ଭଗ୍ନ ହେଲା କିପରି ? ମହାନଦୀ ଅପରପାର୍ଶ୍ୱରେ ବାରବାଟୀ ଦୁର୍ଗର ଉତ୍ତର ପଶ୍ଚିମଦିଗରେ ଦଣ୍ଡାୟମାନ ହୋଇ ଏମ୍, ଲା, ମୋଟି ଯେତେବେଳେ ଏହି ବାରବାଟୀ ଦୁର୍ଗର ପ୍ରାସାଦ, ପ୍ରାକାର ଓ ଆଲୋକସ୍ତମ୍ଭ ଉପରେ ଦୃଷ୍ଟି ନିକ୍ଷେପ କଲେ, ସେତେବେଳେ ଉଇଣ୍ଡ୍‍ସର ଦୁର୍ଗର ପଶ୍ଚିମପାର୍ଶ୍ୱ ହଠାତ୍ ତାହାଙ୍କ ସ୍ମୃତିରାଜ୍ୟରେ ଉଦିତ ହୋଇଥିଲା * । ବର୍ତ୍ତମାନ ସେ ସୁରମ୍ୟ, ସୁଗଠିତ ଓଡ଼ିଶାର ଉଇଣ୍ଡ୍‍ସ୍‍ର ଦୁର୍ଗର ଭଗ୍ନାବଶେଷ ସୁଦ୍ଧା ଦେଖିବାକୁ ନ ମିଳିଲା କିପରି ? ମୁସଲମାନମାନଙ୍କ ରାଜତ୍ୱକାଳରେ ଏ ଦୁର୍ଗର କିଛି ମାତ୍ର କ୍ଷତି ହୋଇ ନ ଥିଲା । ତାହା ହୋଇଥିଲେ, ଆବୁଲ୍‍ଫଜଲ୍ ୧୫୭୦ ଖ୍ରୀଷ୍ଟାବ୍ଦ ପରେ, ଇଂରେଜ ବଣିକମାନେ ୧୬୩୩, ଏବଂ ଏମ୍, ଲ୍, ମୋଟି ୧୭୬୭ ଖ୍ରୀଷ୍ଟାବ୍ଦରେ ଏହା ଦେଖିବାକୁ ପାଇ ନଥାନ୍ତେ । ଆମ୍ଭେମାନେ ପୂର୍ବରୁ କହିଅଛୁଁ ଯେ କଳାପାହାଡ଼ ଓଡ଼ିଶାର ବହୁ ହିନ୍ଦୁମନ୍ଦିରାଦି ନଷ୍ଟ କରିଥିଲେ ସୁଦ୍ଧା, ମୁକୁନ୍ଦଦେବଙ୍କ ରାଣୀଙ୍କଠାରୁ ବହୁରତ୍ନାଦି ଉପହାର ନେଇ ବାରବାଟୀ ଦୁର୍ଗ ଉପରେ ହସ୍ତକ୍ଷେପ କରି ନ ଥିଲା । ବରଂ ମୁସଲମାନମାନଙ୍କ ରାଜତ୍ୱକାଳରେ ଓ ଦୁର୍ଗର ଆହୁରି ଉନ୍ନତି ହୋଇଥିଲା । ପୂର୍ବେ କୁହାଯାଇଅଛି ଯେ ୧୭୫୦ ଖ୍ରୀଷ୍ଟାବ୍ଦରେ ଅହମ୍ମଦସାହଙ୍କ ରାଜତ୍ୱକାଳରେ ପୂର୍ବଦିଗ ଦ୍ୱାର ତୋରଣ, ଉତ୍ତର-ପଶ୍ଚିମ ପ୍ରାକାର ପ୍ରଭୁତି ନିର୍ମିତ ହୋଇଥିଲା; ବୋଧହୁଏ ଏହି ସମୟରେ ଅଦ୍ୟାପି ବର୍ତ୍ତମାନ ମୁସଲମାନ ଭବନଟି ମଧ୍ୟ ନିର୍ମିତ ହୋଇଥିଲା । ଓଡ଼ିଶା ଇତିହାସ ଲେଖକମାନେ କହନ୍ତି ଯେ ଇଂରେଜମାନେ କଟକରେ ପ୍ରବେଶ ମାତ୍ରେ ଏହି ଦୁର୍ଗରୁ ବିଶେଷ ପ୍ରତିବନ୍ଧକ ପାଇଥିଲେ । ଅତଏବ ମରହଟ୍ଟାମାନେ ଏହି ଦୁର୍ଗ ଭଗ୍ନ ନ କରି ଏହାର ସଦ୍‍ବ୍ୟବହାର କରୁଥିଲେ । ବାରବାଟୀର ଇତିହାସ ଉପସଂହାର କରିବା ପୂର୍ବରୁ, ଏହାର ଅନ୍ତିମ ଅଧ୍ୟାୟର ବିବରଣ ଦେବା ଆବଶ୍ୟକ ।

 

*

ଗଜପତିମାନଙ୍କ ଅଧୀନରେ ଓଡ଼ିଶାରେ ଚାଉଳ ବର୍ତ୍ତମାନ ଟ୧୬ରେ ୧୧ ମହଣ ଓ ପଇସାରେ ୭ ସେର ଚାଉଳ ମିଳୁଥିଲା । —(ହଣ୍ଟର)

 

ଏହି ସମୟରେ ଓଡ଼ିଶାରେ ଯେଉଁ ଭୀଷଣ ଦୁର୍ଭିକ୍ଷମାନ ଘଟିଥିଲା, ଓଡ଼ିଶା ଇତିହାସ ପାଠକମାନେ ଜାଣନ୍ତି । ଗୋଟିଏ ଦୁର୍ଭିକ୍ଷ ସମୟରେ ବର୍ତ୍ତମାନ ଟଙ୍କାରେ ଟ ୧୬ରେ ୧ସେରେ ସୁଦ୍ଧା ଚାଉଳ ମିଳୁ ନଥିଲା ।

*

M.La. Motte ୧୭୬୭ ଖ୍ରୀଷ୍ଟାବ୍ଦରେ ଏହି ବାରବାଟୀ ଦୁର୍ଗ ଦର୍ଶନ କରିଥିଲେ । ଲଣ୍ଡନରେ ଭାରତ ସମ୍ରାଟଙ୍କ ବାସସ୍ଥାନକୁ Windsor ଦୁର୍ଗ କହୁଥିଲେ ।

 

ଓଡ଼ିଶାର ପ୍ରାୟ ସପ୍ତଶତ ବର୍ଷର ସମ୍ବଳ ବାରବାଟୀ ଦୁର୍ଗ ଭଗ୍ନ ହେଲା କିପରି ? ହଣ୍ଟର ଏ ସମ୍ବନ୍ଧରେ ପ୍ରାୟ ନୀରବ । ସେ କେବଳ ଜଣେ ଇଂରେଜ ସୈନିକଙ୍କ (ଦୁର୍ଗ ଆକ୍ରମଣକାରୀମାନଙ୍କ ମଧ୍ୟରୁ ଜଣେ) ସ୍ୱବନ୍ଧୁ ପ୍ରତି ପ୍ରେରିତ ଖଣ୍ଡେ ଘରୋଇ ପତ୍ର ମାତ୍ର ଉଦ୍ଧାର କରିଅଛନ୍ତି । ପତ୍ରଖଣ୍ତିକରୁ ଜଣାଯାଏ ଯେ ଅନ୍ତତଃ ୧୮୦୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଗଜପତିଙ୍କ ବାରବାଟୀ ଦୁର୍ଗ ଅକ୍ଷୁଣ୍ଣ ଥିଲା । ବାରବାଟୀ ଇତିହାସର ଅନ୍ତିମ ପ୍ରକରଣ ସ୍ୱରୂପ ସେ ପତ୍ରର ଅନୁବାଦ ନିମ୍ନରେ ଉଦ୍ଧୃତ ହେଲା *

 

*

Hunter’s ‘Orissa’ Vo1, 11 p. 58

 

ତୋପକୁ ଫାୟର କରିବା ନିମନ୍ତେ ସୁସଜ୍ଜିତ କରି ରଖି ଦୁର୍ଗ ଆଡ଼କୁ ଅଗ୍ରସର ହେବା ପାଇଁ ଇଂରେଜମାନଙ୍କୁ ୬ ଦିନ ଲାଗିଲା । ମହାନଦୀର ଦୁଇଟି ଶାଖା ମଧ୍ୟରେ ଦୃଢ଼ରୂପେ ଅବସ୍ଥିତ ଥିବାରୁ ଏହା ଓଡ଼ିଶା ମଧ୍ୟରେ ଗୋଟିଏ ଦୁର୍ଭେଦ୍ୟ ଦୁର୍ଗ ଥିଲା । ପ୍ରସ୍ତରପ୍ରାକାରଦ୍ୱାରା ବେଷ୍ଟିତ ଆଠଟି କ୍ଷୁଦ୍ର ଅଟ୍ଟଳିକାଦ୍ୱାରା ସୁରକ୍ଷିତ ଏହି ଦୁର୍ଗ ଗୋଟିଏ ଉଚ୍ଚ ପ୍ରାଚୀର ଏବଂ ୨୦ ରୁ ୩୦ ପାହୁଣ୍ଡ ପ୍ରସ୍ତ ଏକ ଓ ସ୍ଥାନେ ସ୍ଥାନେ ଦୁଇଟି ଗଭୀର ପରିଖାଦ୍ୱାରା ସମାବୃତ ଥିଲା । ଏହାର ଦୁର୍ବଳତା ମଧ୍ୟରେ କେବଳ ନିକଟବର୍ତ୍ତୀ ପଡ଼ିଆରେ କେତେଗୁଡ଼ିଏ ଗହ୍ୱର ଥିଲା । ଅବରୋଧକାରୀମାନେ ଏହି ଗହ୍ୱରଗୁଡ଼ିକରେ ସୁନ୍ଦର ଆଶ୍ରୟ ପାଇଥିଲେ । ଅକ୍ଟୋବର ୧୪ ତାରିଖ ସକାଳ ୧୦ ଘଣ୍ଟା ବେଳେ ଜଣେ ଇଂରେଜ ସୈନିକ ଗୁଳିଦ୍ୱାରା ଗୋଟିଏ କ୍ଷୁଦ୍ର ଦ୍ୱାର ଉଡ଼ାଇ ଦେଲେ, ଏବଂ ସେହି ସମୟରେ ସେ ନିଜ ତଂଟିରେ ଏକ ଆଘାତ ପାଇଥିଲେ । ଏହି ଦ୍ୱାରବାଟେ ଇଂରେଜ ସୈନ୍ୟ ଦୁର୍ଗ ମଧ୍ୟରେ ପ୍ରବେଶ ଲାଭକଲେ, ଏବଂ ଅଳ୍ପସମୟ ମଧ୍ୟରେ ଯୁଦ୍ଧ ବିରାମ ଲାଭକଲା । ଅବରୋଧକାରୀଙ୍କର କର୍ଣ୍ଣେଲ ପାଦରେ ଆଘାତ ପାଇ ପ୍ରାଣତ୍ୟାଗ କଲେ । ମରହଟ୍ଟାମାନେ ପ୍ରାଚୀରରୁ ଲମ୍ଫ ଦେଇ, ଅନ୍ୟ ଦ୍ୱାରବାଟେ ଦୁର୍ଗରୁ ପଳାୟନ କଲେ । ମରହଟ୍ଟାମାନଙ୍କର ପ୍ରାୟ ୩୦ଟି ମୃତଦେହ ବଳଦଗାଡ଼ିରେ ଲଦା ହୋଇ ବନ୍ୟପଶୁ ଓ ପକ୍ଷୀମାନଙ୍କର ଆହାର ନିମନ୍ତେ ନଦୀମଧ୍ୟରେ ନିକ୍ଷିପ୍ତ ହେଲା, ଏବଂ ୨୩୯୦୭ ବର୍ଗମାଇଲ କ୍ଷେତ୍ରବିଶିଷ୍ଟ ଓ ୩୦ ଲକ୍ଷ ଲୋକାଧିବାସ ପ୍ରସିଦ୍ଧ ଓଡ଼ିଶା ପ୍ରଦେଶ ଇଂରେଜ ରାଜତ୍ୱରେ ଅନ୍ତର୍ଭୁକ୍ତ ହେଲା ।

 

ବାରବାଟୀ ଦୁର୍ଗ ଇଂରେଜମାନଙ୍କ ଅଧିକୃତ ହେଲା । କିନ୍ତୁ ପ୍ରଶ୍ନ ଏହି—ଏହି ଦୁର୍ଗ କିପରି ଭଗ୍ନ ହେଲା ଓ ମୁକୁନ୍ଦଦେବଙ୍କ ସୁରମ୍ୟ ନବତଳ ପ୍ରସାଦର ଅସ୍ତିତ୍ୱ ଲୋପ ପାଇଲା କିପରି-? କେବଳ କାଳ ଏହାର କାରଣ ନୁହେ । ଟୟନ୍‍ବି (Toynbee)ଙ୍କ ‘ଓଡ଼ିଶାରୁ’ ଜଣାଯାଏ ଯେ ଉତ୍କଳର ଏ ଅଭେଦ୍ୟ ଦୁର୍ଗ ଓ ସୁରମ୍ୟ ପ୍ରାସାଦ ଇଂରେଜ ଶାସନକାଳ ମଧ୍ୟରେ ଭଗ୍ନ ହୋଇଅଛି-। ଟୟନ୍‍ବି ଓଡ଼ିଶାରେ କେନାଲ ରେଭିନିଉ ସୁପରିନ୍‍ଟେଣ୍ଡଣ୍ଟ ଥିଲେ । ସେ ଇଂରେଜ ଶାସନାଧୀନରେ ଓଡ଼ିଶାର ଇତିହାସ ବର୍ଣ୍ଣନା କରିଅଛନ୍ତି । ସ୍ୱୀୟ ପୁସ୍ତକରେ ସେ ବିଶେଷ ଦୁଃଖକରି ଲେଖିଅଛନ୍ତି *

 

*

The Public Works Department have converted this fine building into an unsightly series of earthen mounds, and the ground within the moat into a wilderness of stone-pits. The stone composing the walls of the moat which surround the fort are now being used to build an hospital. Some of the fortstones was, I belive, used for the light-house at False Point, and for other public buildings, the dust of the rest is shaken off our feet against us in the station roads. “The great arched gateway in east face” mentioned by Sterling, and a fine old mosque called after Fathi Khan Raham are almost the only objects of antiquarian interest, which remain in tact. The fate of many interesting ruins in the province has unhappily been similar.

 

ବାରିକମିସ୍ତ୍ରୀ ବିଭାଗ ଏହି [ରାଜା ମୁକୁନ୍ଦଦେବଙ୍କ] ସୁରମ୍ୟ ପ୍ରାସାଦକୁ କଦର୍ଯ୍ୟ ମୃତ୍ତକାଗଦାରେ ଏବଂ ପରିଖା ଆନ୍ତର୍ବର୍ତ୍ତୀ ଭୂଭାଗକୁ ଗୋଟିଏ ପ୍ରସ୍ତର ଜଙ୍ଗଲର, ପରିଣତ କରିଅଛନ୍ତି । ଦୁର୍ଗ ଚତୁଃପାର୍ଶ୍ୱସ୍ଥ ପରିଖା ପ୍ରାଚୀରର ପ୍ରସ୍ତର ବର୍ତ୍ତମାନ [ଅର୍ଥାତ୍ ୧୮୭୩ ଖ୍ରୀଷ୍ଟାବ୍ଦରେ] ଗୋଟିଏ ଡାକ୍ତରଖାନା ନିର୍ମାଣରେ ବ୍ୟବହୃତ ହୋଉଅଛି । ଦୁର୍ଗର କେତକ ପ୍ରସ୍ତର ଫଲସପଏଣ୍ଟର ବତୀଘର ଓ ଆନ୍ୟାନ୍ୟ ସରକାରୀ ଗୃହନିର୍ମାଣରେ ବ୍ୟୟିତ ହୋଇଥିଲେ । ଅବଷ୍ଟିତ ପ୍ରସ୍ତର ଷ୍ଟେସନ ରାସ୍ତାରେ ପଡ଼ି ଆମ୍ଭମାନଙ୍କ ପାଦ ଧୂଳିଧୂସରିତ କରୁଅଛି । ଷ୍ଟର୍ଲିଙ୍ଗ୍‍ଙ୍କ ବର୍ଣ୍ଣିତ ପୂର୍ବଭାଗର ତୋରଣବିଶିଷ୍ଟ ଦ୍ୱାରଦେଶ ଏବଂ ଫତେଖାଁ ରାହାମଙ୍କ ନାମରେ କଥିତ ଗୋଟିଏ ସୁନ୍ଦର ମନ୍ଦିରହିଁ କେବଳ ପ୍ରତ୍ନତତ୍ତ୍ୱବିଦ୍‍ମାନଙ୍କର କୌତୂହଳଜନକ ହୋଇ ରହିଅଛି । ଏହି ପ୍ରଦେଶର ବହୁତ ଆଶ୍ଚର୍ଯ୍ୟଜନକମନ୍ଦିର ଓ ପ୍ରାସାଦର ଦଶା ଦୁର୍ଭାଗ୍ୟବଶତଃ ଏହିପରି ହୋଇଅଛି ।

 

ମାନବର ପ୍ରତ୍ନ-ବିଭବ ଓ ପରମ୍ପରା ଭକ୍ତ ଟୟନ୍‍ବି ବାରବାଟୀ ଦୁର୍ଗର ଧ୍ୱଂସ ସାଧନ ନିମନ୍ତେ ଯଥାର୍ଥତଃ ବାରିକମିସ୍ତ୍ରୀ ବିଭାଗର କାର୍ଯ୍ୟ ପ୍ରତି ଆକ୍ଷେପ ପ୍ରକାଶ କରିଅଛନ୍ତି । ହଣ୍ଟର ମଧ୍ୟ କହନ୍ତି ଏକା ବାରବାଟୀ ନୁହେଁ, ଉତ୍କଳର ପବିତ୍ର ଧର୍ମକ୍ଷେତ୍ର ଯାଜପୁରର କେତେ ସୁନ୍ଦର ଦେବମନ୍ଦିର ଏହି ଦଶା ଭୋଗିଅଛି; ଏବଂ ମନ୍ଦିର ମାନଙ୍କରୁ ପଥର ଆସି ସରକାରୀ ଘର ଓ ରାସ୍ତାନିର୍ମାଣ ହୋଇଅଛି । ବାରିକମିସ୍ତ୍ରୀ ବିଭାଗର ମାନବର ଭୌତିକ ପ୍ରୟୋଜନ ଦେଖିବେ, ହିସାବ କିତାବରେ ବ୍ୟୟସଙ୍କୋଚ ପ୍ରତି ଦୃଷ୍ଟି ଦେବେ । ବାରବାଟୀ ଦୁର୍ଗ ବା ଯାଜପୁର ମନ୍ଦିରମାନଙ୍କର ଖଣ୍ଡିଏ ଖଣ୍ଡିଏ ଭଗ୍ନ ପ୍ରସ୍ତରର ଓଡ଼ିଆ ପ୍ରାଣପ୍ରତି କି ଅର୍ଥ ଓ ମୂଲ୍ୟ ଅଛି, ତାହା ସେ ବୁଝିବା ଆଶା କରାଯାଏ ନାହିଁ ।

 

ଏକ ବାରିକିମିସ୍ତ୍ରୀ ବା ଅର୍ଥଶାସ୍ତ୍ରଜ୍ଞ ପଣ୍ଡିତମାନେ କାହିଁକି, କେହି କେହି ପ୍ରୟୋଜନବାଦୀ ସମାଜତତ୍ତ୍ୱସେବୀ ମଧ୍ୟ କହିବେ ଭଗ୍ନ ଦୁର୍ଗ ବା ମନ୍ଦିରର ଉପକରଣରେ ଆଶୁପ୍ରୟୋଜନୀୟ ଗୃହାବ୍ଦ ନିର୍ମାଣ କରିବା ଉଚିତ । ପ୍ରୟୋଜନ ଦ୍ରବ୍ୟର ବ୍ୟବହାର ସ୍ଥିର କରେ ସତ, କିନ୍ତୁ ସେ କେବଳ ବର୍ତ୍ତମାନ ସୁଖ ସ୍ୱାଚ୍ଛନ୍ଦ୍ୟର ସ୍ଥାନ ଗୌଣ ଓ ହେୟ । ପ୍ରତ୍ନର ଭିତ୍ତି ଉପରେ, ଭବିଷ୍ୟତ ଆଦର୍ଶ ଦୃଷ୍ଟିରେ, ଜାତୀୟ ଆତ୍ମାର ବର୍ତ୍ତମାନ ନିୟମିତ ହୁଏ । ମହାତ୍ମା ମାଟ୍‍ସିନ ସ୍ୱଦେଶବାସୀମାନଙ୍କୁ ସମ୍ବୋଧନ କରି ଦୈବବାଣୀ ସଦୃଶ କହିଥିଲେ । *

 

*

I remember all these things & bow-down in reverence before the image of your past.

 

We ought to worship the greatness of our fathers and seek in their tombs a pledge of the future.

 

ମୁଁ ଏହି ସମସ୍ତ (ପ୍ରାଚୀନ ରୋମର କୀର୍ତ୍ତିରାଜ) ସ୍ମରଣ କରୁଅଛି ଏବଂ ତୁମ୍ଭର ପ୍ରାଚୀନତ୍ୱ ସମ୍ମୁଖରେ ଭକ୍ତି ସହକାରେ ନତ ମସ୍ତକ ହେଉଅଛି । ପୂର୍ବପୁରୁଷମାନଙ୍କର ମହତ୍ତ୍ୱର ଉପାସନା କରିବା ଆମ୍ଭମାନଙ୍କର ଉଚିତ; ଏବଂ ସେମାନଙ୍କ କବରରେ ଭବିଷ୍ୟତ ଜାତୀୟତାର ମହୋପକରଣ ଆମ୍ଭମାନଙ୍କୁ ଅନୁସନ୍ଧାନ କରିବାକୁ ହେବ ।

 

ପ୍ରାଚୀନ ଦୁର୍ଗର ଖଣ୍ଡେ ପଥରର ମୂଲ୍ୟ ବହୁ ସ୍ୱର୍ଣ୍ଣ ରୌପ୍ୟଠାରୁ ଅଧିକ । ଆମେରିକାରେ ଯେଉଁ ସ୍ୱର୍ଣ୍ଣରେ ପର୍ଟୁଗିକମାନେ ଧନ୍ୟ ହୋଇଥିଲେ, ପେରୁ ମେକ୍‍ସିକୋର ଖଣ୍ଡିଏ ଖଣ୍ଡିଏ ପୁରୁଣାପଥର ସେ ସମସ୍ତ ସ୍ୱର୍ଣ୍ଣ ରୌପ୍ୟଠାରୁ ବେଶି ମୂଲ୍ୟବାନ ନୁହେ କି ? ମିଶରର ପିରାମିଡ଼ ପଥର ସମସ୍ତ ଦକ୍ଷିଣ ଆଫ୍ରିକାର ହୀରକ ଓ ଧାତୁ ଖଣି ଅପେକ୍ଷା ମାନବ ସଭ୍ୟତାର ବିକାଶରେ ଅଧିକ ସାହାଯ୍ୟ କରିଅଛି ।

 

ପ୍ରାଚୀନତା ଓ ପରାମ୍ପରାରେ ଭବିଷ୍ୟତର ଆଦର୍ଶ ଫୁଟି ଉଠେ । ସେହି ଆଦର୍ଶ ଜାତିର ତଥା ମାନବର ପରମସମ୍ବଳ । ଯାହାଦ୍ୱାରା ଜାତି ସେ ଆଦର୍ଶ ପାଇପାରେ—ସେହି ଆଦର୍ଶ ପାଇବା ନିମନ୍ତେ ଯାହା ଜାତୀୟ ହୃଦୟରେ ଆକାଙ୍‍କ୍ଷା ଜନ୍ମାଇ ପାରେ, ତାହାହିଁ ଜାତିର ଧନ, ମାନବର ମାନବତ୍ୱ । ଶ୍ରୀଯୁକ୍ତ ଧରଣୀକାନ୍ତ ଲାହିଡ଼ୀ ଚୌଧୁରୀ ଯଥାର୍ଥରେ ତାହାଙ୍କ ଭାରତ ଭ୍ରମଣରେ ଅତ୍ୟନ୍ତ ଇଚ୍ଛା କରୁଥିଲେ କିପରି ଓଡ଼ିଶା ଜଙ୍ଗଲ ମଧ୍ୟରେ ଥିବା ଅନାଦୃତ ଓ ପରିତ୍ୟକ୍ତ ମନ୍ଦିରଟିଏ ବଙ୍ଗର ସ୍ୱର୍ଣ୍ଣଭୂମିରେ ସେ ପାଇଥାନ୍ତେ; ଏବଂ ତାହାରି ଉପରେ ସେ ବଙ୍ଗୀୟ ଜାତୀୟ ଜୀବନ ଗଢ଼ିବାର ପ୍ରୟାସ କରନ୍ତେ । ବାସ୍ତବିକ ଜାତୀୟ ଇତିହାସ ପରମସମ୍ବଳ ପ୍ରାଚୀନ ଦୁର୍ଗ ମନ୍ଦିରମାନଙ୍କରୁ ପଥର ଆଣି ରାସ୍ତା ଡାକ୍ତରଖାନା ନିର୍ମାଣ କରିବା କଦାପି ହୃଦୟବତ୍ତାର କାର୍ଯ୍ୟ ନୁହେ । ଯେଉଁ ପଥର ଆଜି ଓଡ଼ିଆମାନେ ପୂଜା ପର୍ଯ୍ୟନ୍ତ କରନ୍ତେ, ଯେଉଁ ଖଣ୍ଡିଏ ଖଣ୍ଡିଏ ପଥର ଓଡ଼ିଆ ଜାତୀୟ-ଜୀବନ-ପ୍ରାସାଦର ଭିତ୍ତି ହୁଅନ୍ତା; ତାହା ଆଜି ରାସ୍ତାରେ ପଡ଼ି ସେହି ଓଡ଼ିଆଙ୍କର ପାଦଦଳନ ସାମଗ୍ରୀ ହୋଇଅଛି । ମାନବ ସମାଜରେ ଆଧ୍ୟାତ୍ମିକ ଜୀବନର ପ୍ରୟୋଜନ ଅତୁଳନୀୟ-। ସେ ପ୍ରୟୋଜନ ଯେଉଁମାନେ ବୁଝନ୍ତି, ବାରିକମିସ୍ତ୍ରୀ ବିଭାଗର ଏହି ନିର୍ମମ ବ୍ୟବହାର ସେମାନଙ୍କ ପ୍ରାଣରେ ଆଘାତ ଦେବ, ସନ୍ଦେହ ନାହିଁ । ମାନବ ଡାକ୍ତରଖାନା ବିନା ରୋଗରେ ପ୍ରାଣ ହରାଇ ପାରେ, ରାସ୍ତାବିନା ପଥକ୍ଳେଶ ସହିପାରେ; ମାତ୍ର ପ୍ରତ୍ନସ୍ମୃତି ଏବଂ ପରମ୍ପରାର ଉଦ୍‍ବୋଧନ ବିନା ତାହାର ଜାତୀୟ ଜୀବନ ଅସମ୍ଭବ ।

•••

 

ଅଷ୍ଟମ ଅଧ୍ୟାୟ

ଉପସଂହାର

 

ବହୁ ହର୍ଷବିଷାଦରେ ‘ଉତ୍କଳର ପୂର୍ବ-କୀର୍ତ୍ତିସ୍ମୃତ୍ତି-ପୂତ ବାରବାଟୀ’ର ପ୍ରାଣସ୍ପର୍ଶୀ ଓ ଗୌରବାବହ ଜୀବନଚରିତ ଶେଷ କଲୁଁ । ଆଜି ବାରବାଟୀ ଯୌବନ ମନେ ପଡ଼ିଲେ, ହୃଦୟ ଗର୍ବରେ ବିସ୍ଫାରିତ ହୋଇ ମୁହୂର୍ତ୍ତକେ ଅଦସାଦରେ ପୁଣି ସଙ୍କୁଚିତ ହୁଏ । ଓଡ଼ିଶାର ଇତିହାସ ବହୁ ଗୌରବମୟ । ଆଜି ଆସନ୍ନବିଲୋପ ବାରବାଟୀର ଅସ୍ତିତ୍ୱ ଲୋକେ ସନ୍ଦେହ କରିପାରନ୍ତି । କିନ୍ତୁ ଦିନେ ଏହି ବାରବାଟୀ ହିଁ ଓଡ଼ିଶାକୁ ଓଡ଼ିଶା କରିଥିଲା ।

 

ଭାରତ ଇତିହାସରେ ତେଜସ୍ୱୀ ଓଡ଼ିଆର ଦାନ ହେୟ ନୁହେ । ବୀର ଓଡ଼ିଆ ବାଦାନ୍ୟତାରେ ପ୍ରସିଦ୍ଧ ଥିଲା । ଚିରକାଳ ଓଡ଼ିଆ ଆତ୍ମନିର୍ଭରଶୀଳ—କେବେ କାହାର ଅନୁଗ୍ରହ ଭିକ୍ଷା କରିବାର ପ୍ରମାଣ ନାହିଁ । ଯଶୋନାଶୀ କାଳ ଗର୍ଭରେ ବିଲୁପ୍ତ ପ୍ରାୟ ହେଲେହେଁ, ଏ କଥା ସତ୍ୟ ଏବଂ ଅନୁସନ୍ଧାନସେବୀଙ୍କର ସ୍ୱୀକାର୍ଯ୍ୟ ଯେ ଅନୁଗ୍ରହ ଦେଖାଇବା ନିମନ୍ତେ ଓଡ଼ିଆ ଭାରତରେ ଇତିହାସ ପ୍ରସିଦ୍ଧ । ଦୃଷ୍ଟାନ୍ତ ଦେବାର ଏ ସ୍ଥାନ ନୁହେଁ । ତଥାପି ଅନେକେ ଜାଣିଥିବେ କିପରି ୧୨୦୩ ଖ୍ରୀଷ୍ଟାବ୍ଦରେ ମହମ୍ମଦ ବକ୍ତିଆର ଖିଲଜୀଙ୍କ ଦ୍ୱାରା ସିଂହାସନରୁ ବିତାଡ଼ିତ ହୁଅନ୍ତେ ବଙ୍ଗଦେଶର ଶେଷ ହିନ୍ଦୁରାଜା ଲକ୍ଷ୍ମଣସେନ ଓଡ଼ିଆଙ୍କ ଅନୁଗ୍ରହ ଭିକ୍ଷାକରି ପୁରୀରେ ନିରାପଦରେ ଶେଷ ଜୀବନ ଯାପନ କରୁଥିଲେ । ଏବଂ ୧୪୫୭ ଖ୍ରୀଷ୍ଟାବ୍ଦରେ ବାହମଣି ରାଜ୍ୟର ସୁଲତାନ ହୁମାୟୁନସାହଙ୍କଦ୍ୱାରା ବାରମ୍ବାର ପରାସ୍ତ ହୋଇ ତେଲଙ୍ଗା ହିନ୍ଦୁରାଜା, ନରସିଂହଦେବଙ୍କ ରାଜତ୍ୱକାଳରେ ଓଡ଼ିଆଙ୍କ ଦ୍ୱାରେ ସାହାଯ୍ୟ ଭିକ୍ଷା କରିଥିବାର କଥା କୁହାଯାଇଅଛି । ପୁଣି କପିଳେନ୍ଦ୍ରଦେବଙ୍କ ରାଜତ୍ୱକାଳରେ ୧୪୭୦ ଖ୍ରୀଷ୍ଟାବ୍ଦରେ ହିମ୍ବରଙ୍କ ପରିବର୍ତ୍ତେ ସ୍ୱୟଂ ରାଜା ହେବା ନିମନ୍ତେ ମଙ୍ଗଳରାୟ ଏହା ବାରବାଟୀର ଆଶ୍ରୟ ଲୋଡ଼ିଥିଲେ । ଓଡ଼ିଆମାନେ ଫେରିବା ପରେ ମଲବ ସୁଲତାନ ମହମ୍ମଦସାହଙ୍କ ଆଶ୍ରୟରେ ହିମ୍ବର ପୁଣି ରାଜା ହୋଇ ଯେତେବେଳେ ମୁସଲମାନ ଦୌରାତ୍ମ୍ୟରେ ପ୍ରପୀଡ଼ିତ ହେଲେ, ସେତେବେଳେ ଉପହାରସହ ସେହି ପୂର୍ବ ଶତ୍ରୁ ଓଡ଼ିଆରାଜାଙ୍କ ସାହାଯ୍ୟ ମାଗି ପଠାଇଲେ, ଏବଂ ଉତ୍କଳରଜା ମଧ୍ୟ ଆଶ୍ରିତକୁ ରକ୍ଷା-କରିଥିଲେ+-

 

ଉତ୍ତର ଭାରତରେ ବି ଓଡ଼ିଆମାନେ ଏହିପରି ସାହାଯ୍ୟ ଦାନ ପାଇଁ ପ୍ରସିଦ୍ଧ ଥିଲେ । ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀର ମଧ୍ୟ ଭାଗରେ (୧୫୫୧-୧୫୫୯) ସୁଲେମାନମାନଙ୍କକର୍ତ୍ତୃକ ପରାଭୂତ ଏ ଦୂରୀକୃତ ବଙ୍ଗର ସୁଲତାନ ଇବ୍ରାହୀମ୍ ଜୀବନ ରକ୍ଷା ନିମନ୍ତେ ଇତସ୍ତତଃ ହୋଇ ପରିଶେଷରେ ଓଡ଼ିଆଙ୍କ ଦ୍ୱାରେ ସାହାଯ୍ୟପ୍ରାର୍ଥୀ ହୋଇଥିଲେ, ଏବଂ ସେତେବେଳେ ସ୍ୱଦେଶ ତଥା ସ୍ୱଜାତିର ଗୌରବ ରକ୍ଷା କରି ଓଡ଼ିଆମାନେ ଆପଣାର ସହଜାତ ବଦାନ୍ୟ ଗୁଣରେ ଆଶ୍ରୟପ୍ରାର୍ଥୀଙ୍କୁ ଯଥୋପଯୁକ୍ତ ଭିକ୍ଷାଦାନ କରିଥିଲେ * । ପୁଣି ଦୁର୍ଦ୍ଦାନ୍ତ ବଙ୍ଗ ନବାବ ସୁଲେମାନଙ୍କ ଦମନାର୍ଥ ଅହର୍ନିଶ ବହୁ ଅର୍ଥ ଓ ସାମର୍ଥ୍ୟ ବ୍ୟୟ କରି ଅକୃତିକାର୍ଯ୍ୟ ହେଲାପରେ ସ୍ୱୟଂ ମୋଗଲ ସମ୍ରାଟ ଆକବର ଦିନେ ଓଡ଼ିଆଙ୍କ ସାହାଯ୍ୟ ଲୋଡ଼ିଥିଲେ ଏବଂ ଓଡ଼ିଆମାନେ ସେ ସାହାଯ୍ୟରେ ଯଥାର୍ଥ ଦାନ କରି ଜନ୍ମଭୂମିକୁ ଦେଶବିଦେଶ ବ୍ୟାପି ମହାଗୌରବରେ ମହୀୟାନ୍‍ କରିଥିଲେ । ରାଜନୈତିକ ସ୍ୱାଧୀନତାର ବିଲୋପ ପରେ ମଧ୍ୟ ୧୬୩୩ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ପ୍ରଥମ ଇଂରେଜ ବଣିକ କାଟ୍‍ରାଇଟ୍ ଓ ତାହାଙ୍କର ପାଞ୍ଚୋଟି ମାତ୍ର ସହଚରଙ୍କ ପ୍ରତି ହରିଶପୁରଠାରେ ତତ୍‍କାଳୀନ ପ୍ରତାପୀ ପର୍ତୁଗିଜମାନଙ୍କର ଆକ୍ରମଣରୁ ତାହାଙ୍କୁ ରକ୍ଷାକରି ଓଡ଼ିଆମାନେ ଯେ ମାନବପ୍ରୀତି ଓ ବଦାନ୍ୟତା ଦେଖାଇଥିଲେ ତାହା ମଧ୍ୟ ସ୍ମରଣୀୟ । +

 

+

ହିମ୍ବର ମୁସଲମାନଙ୍କ ଠାରୁ ବିଜିତ ଦେଶରୁ ଭାଗ ଦେବାକୁ ପ୍ରତିଶ୍ରୁତ ହୋଇ ଆପାତତଃ ଯୁଦ୍ଧ ପୂର୍ବରୁ କୁଣ୍ଡପଲ୍ଲି (କୋଣ୍ଡାପିଲି-Cundpul) ଦୁର୍ଗ ଓ ତାହାର ଅଧୀନସ୍ଥ ରାଜ୍ୟ ଦାନ କରିଥିଲେ । ଏବଂ ତାହାଙ୍କ ସାହାଯ୍ୟ ନିମନ୍ତେ ଓଡ଼ିଆ ରାଜା ଦଶସହସ୍ର ଅଶ୍ୱାରୋହୀ ଓ ଆଠସହସ୍ର ପଦାତିକ ସୈନ୍ୟ ପ୍ରେରଣ କରିଥିଲେ–Ferista’s Histoty of Dekkan (J. Scott) Vo1.I.pp. 162-3.

*

Found shelter at the Orissa Court, and received an estate from the royal demesne:-Hunter’s Orissa. Vo1.II

+

Bruton’s letter in Wilson, Vo1. I pp 3-6

ବାରବାଟୀ ଏ ସମସ୍ତ ଘଟନାର ମୂକସାକ୍ଷୀ—ଏ ସମସ୍ତ ଗୌରବ ବାରବାଟୀର ଅଙ୍ଗେ ନିଭିଅଛି । ବାରବାଟୀ ଦୁର୍ଗ ନାହିଁ—ନବତଳ ପ୍ରାସାଦ ନାହିଁ; ତଥାପି ଦେଶର କୀର୍ତ୍ତିପୂତ ଗାଥାର ପରିତ୍ୟକ୍ତ ମୂକସାକ୍ଷୀ ସେହି ପାଷାଣ ପୁରଦ୍ୱାର ଜୀର୍ଣ୍ଣ ହେଲେହେଁ ଅଦ୍ୟାପି ରହିଅଛି । ଦେଶବାସୀ ତାହାର ରକ୍ଷା କରନ୍ତୁ । ସୁଖର କଥା, କଟକ କଲେଜର ଭୂତପୂର୍ବ ଅଧ୍ୟାପକ ଶ୍ରୀ ହେମଚନ୍ଦ୍ର ସରକାର କେତେକ ଓଡ଼ିଆଙ୍କ ସାହଯ୍ୟରେ ୬/୭ ବର୍ଷ ତଳେ ଏହାର ରକ୍ଷା ନିମନ୍ତେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ । ଲର୍ଡ୍‍ କର୍ଜନଙ୍କୁ ଧନ୍ୟବାଦ, ତାହାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରତ୍ନତତ୍ତ୍ୱାନୁଶୀଳନ ବିଭାଗ ଦେଶରେ ବହୁ ପୁରାଣସ୍ମୃତିସମ୍ବଳିତ କୀର୍ତ୍ତି ରକ୍ଷା କରୁଅଛନ୍ତି । ବାରବାଟୀର ପୁରଦ୍ୱାର ଆଜି ନଗଣ୍ୟ ହେଲେହେଁ, ଉତ୍କଳ ଜୀବନର ଗୌରବାବହ ସ୍ମୃତି ଏଥିରେ ପୂରି ରହିଅଛି । ଉତ୍କଳର ଗୌରବ ତଥା ଉତ୍କଳସନ୍ତାନର ଆତ୍ମଜ୍ଞାନ ଓ ଶକ୍ତିର ଉଦ୍‍ବୋଧନ ନିମନ୍ତେ ଏହି ଜୀର୍ଣ୍ଣ ପତନୋନ୍ମୁଖ ଦ୍ୱାରର ସଂରକ୍ଷଣ ସର୍ବଥା କର୍ତ୍ତବ୍ୟ ।

Image